ଅଧାରେ ରହିଗଲା ମହାଦେବଙ୍କୁ ଜଳଲାଗି, ବିଦ୍ୟୁତ ସଂସ୍ପର୍ଶରେ ଆସି ୬ କାଉଡିଆ ମୃତ

ମହାଦେବଙ୍କୁ ଜଳଲାଗି କରିବା ପାଇଁ ଯାଉଥିବା ବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସି ୬ କାଉଡିଆ ମୃତ । ଏହି ଘଟଣାରେ ୧୦ ଜଣ ଗୁରୁତର ଆହତ ମଧ୍ୟ ହୋଇଛନ୍ତି । ଉତ୍ତରପ୍ରଦେଶ ମେରଠରେ ଏଭଳି ଅଘଟଣ ଘଟିଛି ।

ହରିଦ୍ୱାରରୁ ପାଣିଭରା ଆଣିଥିବା କାଉଡିଆ ଯାତ୍ରୀଙ୍କ ଡିଜେ ୧୧ କେ.ଭି ଲାଇନ ସମ୍ପର୍କରେ ଆସି ୬ କାଉଡିଆଙ୍କ ମୃତ୍ୟୁ ହୋଇଛି।  ଉତ୍ତର ପ୍ରଦେଶର ମେରଠ ଜିଲ୍ଲାର ରାଲି ଚୌହାନ ଗାଁରେ ଏହି ଅଘଟଣ ଘଟିଛି । ୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଲା କାଉଡ଼ିଆଙ୍କ ଗାଡ଼ି । ଏଥିରେ ୬ ଜଣ କାଉଡ଼ିଆଙ୍କ ମୃତ୍ୟୁ ହୋଇଥିବାବେଳେ ୧୦ ଜଣ ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ଖବର ମୁତାବକ, କାଉଡ଼ିଆମାନେ ଜଳଲାଗି ପାଇଁ ହରିଦ୍ୱାରରୁ ପାଣି ନେଇ ଗାଡ଼ିରେ ଆସୁଥିଲେ । ସେମାନଙ୍କ ଗାଡ଼ି ରାଲି ଚୌହାନ ଗାଁ ଅତିକ୍ରମ କରୁଥିବା ବେଳେ ତାହା ତଳକୁ ଓହଳି ରହିଥିବା ଏକ ୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଯାଇଥିଲା । ସ୍ଥାନୀୟ ଲୋକ ସେମାନଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲେ । ଡାକ୍ତର ସେମାନଙ୍କ ମଧ୍ୟରୁ ୬ ଜଣଙ୍କୁ ମୃତ ଘୋଷଣା କରିଥିଲେ ।

ଏହି ଘଟଣା ପରେ ଅନ୍ୟ କାଉଡିଆ ମାନେ ରାସ୍ତାରେ ଆନ୍ଦୋଳନ କରି ଗାଡି ବନ୍ଦ କରିଥିଲେ । ବିଦ୍ୟୁତ ବିଭାଗର ଦାୟିତ୍ୱହୀନତା ଯୋଗୁଁ ଏଭଳି ଦୁର୍ଘଟଣା ହୋଇଛି ବୋଲି ରାସ୍ତା ଜାମ୍‌ କରିଥିଲେ । ଘଟଣା ପରେ ପୋଲିସ ଅଧିକାରୀ ଏବଂ ପ୍ରଶାସନ ଘଟଣା ସ୍ଥଳରେ ପହଞ୍ଚି ପରିସ୍ଥିତିକୁ ସମ୍ଭାଳିଥିଲେ । ତେବେ ଦୁର୍ଘଟଣାରେ ମୃତକଙ୍କ ସଂଖ୍ୟା ବଢିପାରେ ବୋଲି ଅନୁମାନ କରାଯାଉଛି ।

ଗତ ମାସରେ ରଥଯାତ୍ରା ଦିନ ତ୍ରିପୁରାର ଉନାକୋଟି ଜିଲ୍ଲାରେ ଏକ ରଥ ଉଚ୍ଚ କ୍ଷମତା ସଂପନ୍ନ ଏକ ବିଦ୍ୟୁତ୍ ତା’ର ସଂସ୍ପର୍ଶ ଆସିଯିବାରୁ ୨ ଶିଶୁଙ୍କ ସମେତ ୭ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୬ ଜଣ ଆହତ ହୋଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.