ବାପ ମା ବଞ୍ଚିଥିଲା ଯାଏ ତାଙ୍କ ସମ୍ପତ୍ତି ଉପରେ ପୁଅ ଦାବି କରି ପାରିବ ନାହିଁ

ମୁମ୍ବାଇ : ବମ୍ବେ ହାଇକୋର୍ଟଙ୍କ ଏକ ବଡ଼ ଫଇସଲା ବାପା ମା’ଙ୍କ ସପକ୍ଷରେ । ଜଣେ ପୁଅର ଆବେଦନକୁ ଶୁଣାଣି କରି ବମ୍ବେ ହାଇକୋର୍ଟ ଏହି ଫଇସଲା ଶୁଣାଇଛନ୍ତି । ଯେପର୍ଯ୍ୟନ୍ତ କୌଣସି ଘର ମା ବାପା ନାଁରେ ଅଛି ସେପର୍ଯ୍ୟନ୍ତ ତାଙ୍କର କୌଣସି ସନ୍ତାନ ସେ ଘର ଉପରେ ନିଜର ଦାବି ଉପସ୍ଥାପନ କରି ପାରିବେ ନାହିଁ । ସେମାନେ ଏହାକୁ କାହାକୁ ଦେବେ କି ବିକିବେ ସେ ନିଷ୍ପତ୍ତି ସେଇମାନେ ହିଁ କରି ପାରିବେ ।

ଜଷ୍ଟିସ୍‌ ଗୌତମ ପଟେଲ ଏବଂ ଜଷ୍ଟିସ୍‌ ମାଧବ ଜାମଦାରଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଥିଲେ । ମାମଲା ଏଇଆ ଥିଲା ଯେ ମା ଘର ବିକି ଦେବାକୁ ଚାହୁଁଥିବା ବେଳେ ପୁଅ ତାଙ୍କ ବିରୁଦ୍ଧରେ ହାଇକୋର୍ଟକୁ ଯାଇଥିଲେ । ତେବେ କେସ୍‌ କରିଥିବା ପୁଅର ବାପା ଅନେକ ବର୍ଷ ହେଲା କୋମାରେ ଅଛନ୍ତି। ତାଙ୍କ ଚିକିତ୍ସା ପାଇଁ ବହୁତ ଖର୍ଚ୍ଚ ହେଉଛି । ତେଣୁ ତାଙ୍କ ମା ଘର ବିକି ନିଜ ସ୍ୱାମୀଙ୍କ ଚିକତ୍ସା କରିବାକୁ ଚାହୁଁଛନ୍ତି । ଯାହାକୁ ବିରୋଧ କରି ପୁଅ କୋର୍ଟର ଦ୍ୱାରସ୍ଥ ହୋଇଥିଲେ ।
ହାଇକୋର୍ଟ ଏହି ମାମଲାର ଶୁଣାଣି କରି କହିଲେ କି ବାପା ମା’ଙ୍କ ସମ୍ପତ୍ତି ଉପରେ କେବଳ ସେଇମାନେ ହିଁ ନିଷ୍ପତ୍ତି ନେଇ ପାରିବେ । ସେମାନେ ବଞ୍ଚିଥିବା ଯାଏ ପୁଅ ସେହି ସମ୍ପତ୍ତି ଉପରେ କୌଣସି ଅଧିକାର ସାବ୍ୟସ୍ତ କରି ପାରିବ ନାହିଁ । ଆହୁରି ମଧ୍ୟ ଏହି ମାମଲାରେ ମା ସୋନିଆ ଖାନ୍‌ ଏକ ଆବେଦନ କରିଥିଲେ । ତାଙ୍କ ସ୍ୱାମୀ ଭୀଷଣ ଅସୁସ୍ଥ ଥିବାରୁ ତାଙ୍କ ନାଁରେ ଥିବା ସମସ୍ତ ସମ୍ପତ୍ତିର ମାଲିକାନା ତାଙ୍କ ହାତରେ ଦେବାକୁ ସେ ଆବେଦନରେ ଉଲ୍ଲେଖ କରିଥିଲେ । ଯାହାକୁ ପୁଅ ଆସିଫ ଖାନ୍‌ ଖଣ୍ଡନ କରି ବାପାଙ୍କ ଦାୟିତ୍ୱ ସେ ନେଉଥିବାରୁ ତାଙ୍କୁ ମାଲିକାନା ଦିଆଯାଉ ବୋଲି ଦାବି କରିଥିଲେ ।

ହେଲେ ହାଇକୋର୍ଟ ଏହାକୁ ଖାରଜ କରି ବାପା ମା’ଙ୍କ ସପକ୍ଷରେ ରାୟ ଦେଇଛନ୍ତି । କୋର୍ଟ କହିଛନ୍ତି କି ଆସିଫଙ୍କ ପାଖରେ ନିଜ ବାପାଙ୍କର ସେବା ଯତ୍ନ କରୁଥିବା କିମ୍ବା ତାଙ୍କର ଦାୟିତ୍ୱ ନେଇଥିବା ନେଇ କୌଣସି ପ୍ରମାଣ ନାହିଁ । ହେଲେ ତାଙ୍କ ମା ଘର ବିକବା ପାଇଁ ଚାହୁଁଥିବା ବେଳେ ସେ ବିରୋଧ କରୁଛନ୍ତି । ଏହା ତାଙ୍କର ସ୍ୱଭାବ କଣ ସେକଥା ସ୍ପଷ୍ଟ କରୁଛି । ସେ ଆଦୌ ବାପାଙ୍କ ବିଷୟରେ ଚିନ୍ତା କରୁ ନାହାନ୍ତି ଏବଂ ଜଣେ ଲୋଭୀ ମଣିଷ ବୋଲି କୋର୍ଟ ସ୍ପଷ୍ଟ କରିବା ସହ ଆସିଫଙ୍କ ଆବେଦନକୁ ଖାରଜ କରିଛନ୍ତି । କୌଣସି ପରିସ୍ଥିତିରେ ଘର ଉପରେ ଆସିଫ ଦବେି କରି ପାରିବେ ନାହିଁ ବୋଲି କୋର୍ଟ ରାୟ ଦେଇଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.