ବ୍ୟାଙ୍କକ୍‌ ଯାଉଥିବା SpiceJet ବିମାନର ଇଞ୍ଜିନ୍‌ ବ୍ଲେଡ୍‌ ଭାଙ୍ଗିଲା, କୋଲକାତା ବିମାନବନ୍ଦରରେ କଲା ଜରୁରୀ ଅବତରଣ

SpiceJet ବିମାନର ଚାଳକ ହଠାତ୍‌ ଦେଖିବାକୁ ପାଇଥିଲେ କି, ବିମାନର ବାମ ଇଞ୍ଜିନର ଏକ ବ୍ଲେଡ୍‌ ଭାଙ୍ଗିଯାଇଛି, ଯାହାପରେ ସେ ତୁରନ୍ତ କଣ୍ଟ୍ରୋଲ ରୁମ୍‌କୁ କଲ୍‌ କରି କୋଲକାତା ଏୟାରପୋର୍ଟରେ ବିମାନକୁ ଜରୁରୀ ଅବତରଣ କରାଇଥିଲେ।

ବ୍ୟାଙ୍କକ୍‌ ଯାଉଥିବା ସ୍ପାଇସ୍‌ଜେଟ୍‌ର ଏକ ବିମାନର ଇଞ୍ଜିନ୍‌ ବ୍ଲେଡ୍‌ ଭାଙ୍ଗି ଯାଇଥିବା ଦେଖିବାକୁ ମିଳିଥିଲା, ଯାହାପରେ ବିମାନକୁ ରବିବାର ବିଳମ୍ବିତ ରାତିରେ ଜରୁରୀକାଳୀନ ସ୍ଥିତିରେ କୋଲକାତା ବିମାନବନ୍ଦରରେ ଅବତରଣ କରାଯାଇଥିଲା। ଅଧିକାରୀମାନେ କହିଛନ୍ତି କି, ଏହି ବୋଇଙ୍ଗ୍‌ ୭୩୭ର ଉଡ଼ାଣ ସଂଖ୍ୟା ଏସ୍‌ଜି୮୩ରେ ୧୭୮ ଯାତ୍ରୀ ଏବଂ ଚାଳକ ଦଳର ୬ ସଦସ୍ୟ ଥିଲେ।

ବିମାନଟି ବିଳମ୍ବିତ ରାତି ୧ଟା ୯ ମିନିଟ୍‌ରେ ବ୍ୟାଙ୍କକ୍‌ ପାଇଁ କୋଲକାତା ବିମାନବନ୍ଦରରୁ ଉଡ଼ାଣ ଭରିଥିଲା। କିନ୍ତୁ କିଛି ହିଁ ମିନିଟ୍‌ ପରେ ବିମାନ ଚାଳକ ଦେଖିବାକୁ ପାଇଥିଲେ କି, ବାମ ଇଞ୍ଜିନର ଏକ ବ୍ଲେଡ୍‌ ଭାଙ୍ଗି ଯାଇଛି। ଏହାପରେ ଚାଳକ ଉଡ଼ାଜାହାଜ ଯାତାୟାତ ନିୟନ୍ତ୍ରଣ କକ୍ଷ ସହ ତୁରନ୍ତ ଯୋଗାଯୋଗ କରିଥିଲେ, ଯାହାପରେ କୋଲକାତା ବିମାନବନ୍ଦରରେ ପୂର୍ଣ୍ଣ ଜରୁରୀ ସ୍ଥିତି ଘୋଷଣା କରାଯାଇଥିଲା।

ଏହି ସମୟରେ ଦମକଳ ଗାଡ଼ି, ଆମ୍ବୁଲାନ୍ସ ଏବଂ କେନ୍ଦ୍ରୀୟ ଉଦ୍ଦ୍ୟୋଗିକ ସୁରକ୍ଷା ବଳର ଜରୁରୀକାଳୀନ ଟିମ୍‌କୁ ମୁତୟନ ରଖାଯାଇଥିଲା। ବିମାନବନ୍ଦର ଅଧିକାରୀମାନେ କହିଛନ୍ତି ଯେ ବିମାନକୁ ବିଳମ୍ବିତ ରାତି ୧ଟା ୨୭ ମିନିଟ୍‌ରେ ଜରୁରୀକାଳୀନ ସ୍ଥିତିରେ ଲ୍ୟାଣ୍ଡିଂ କରାଯାଇଥିଲା ଏବଂ ସମସ୍ତ ଯାତ୍ରୀ ଓ ଚାଳକ ଦଳର ସଦସ୍ୟମାନଙ୍କୁ ସୁରକ୍ଷିତ ବାହାର କରାଯାଇଥିଲା।

ସୂଚନା ମୁତାବକ, ବିଳମ୍ବିତ ରାତି ୨ଟା ସମୟରେ ପୂର୍ଣ୍ଣ ଜରୁରୀ ସ୍ଥିତିକୁ ହଟା ଯାଇଥିଲା। ଯାତ୍ରୀମାନେ ସକାଳ ୭ଟା ୧୦ ମିନିଟ୍‌ରେ ଅନ୍ୟ ଏକ ବିମାନ ଯୋଗେ ବ୍ୟାଙ୍କକ୍‌ ଯାଇଥିଲେ। ଅଧିକାରୀ କହିଛନ୍ତି, ଇଞ୍ଜିନ୍‌ ବ୍ଲେଡ୍‌ ଭାଙ୍ଗିଯାଇଥିବା ବିମାନର ଯାଞ୍ଚ କରାଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.