୮ ଦିନରେ ୪ଟି ବଡ ଗୁରୁତ୍ବପୂର୍ଣ୍ଣ ମାମଲାର ଶୁଣାଣି କରିବେ ସୁପ୍ରିମକୋର୍ଟ, ଦେଶ ଉପରେ ପଡିବ ଗଭୀର ପ୍ରଭାବ

ଦୀପାବଳି ଛୁଟି ପରେ ଆସନ୍ତାକାଲିଠୁ ଖୋଲିବ ସୁପ୍ରିମକୋର୍ଟ। ଆସନ୍ତା ୧୭ ତାରିଖରେ ଅବସର ନେବେ ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇ। ଆଉ ମାତ୍ର ୮ଟି କାର୍ଯ୍ୟ ଦିବସ ରହିଛି। ଏହି ସମୟ ଭିତରେ ବହୁ ଗୁରୁତ୍ୱପୂର୍ଣ୍ଣ ମାମଲାର ସେ ରାୟ ଶୁଣାଇପାରନ୍ତି। ଏମିତି ସବୁ ମାମଲାର ରାୟ ଆସିବ, ଯାହାକି ଦେଶର ଧାର୍ମିକ, ସାମାଜିକ ଓ ରାଜନୈତିକ ଉପରେ ପ୍ରଭାବ ପକାଇବ। ଆସନ୍ତୁ ତେବେ ଆସନ୍ତୁ ଜାଣିବା ସେହି ଗୁରୁତ୍ୱପୂର୍ଣ୍ଣ ମାମଲା ଉପରେ।

ଅଯୋଧ୍ୟା ମାମଲା

ସବୁଠୁ ଗୁରୁତ୍ୱପୂର୍ଣ୍ଣ ମାମଲା ହେଉଛି ବହୁ ପ୍ରତିକ୍ଷୀତ ରାମ ଜନ୍ମଭୂମି ଓ ବାବ୍ରି ମସଜିଦ ଜମି ବିବାଦ। ଗତ ଅକ୍ଟୋବର ୧୬ ତାରିଖରେ ଶୁଣାଣି କରି ରାୟ ସଂରକ୍ଷିତ ରଖିଛନ୍ତି ସର୍ବୋଚ୍ଚ ଅଦାଲତ। ୪୦ ଦିନ ଧରି ଚାଲିଥିଲା ନିୟମିତ ଶୁଣାଣି । ସୁନି ୱାକ୍‌ଫ ବୋର୍ଡ, ନିର୍ମୋହୀ ଆଖଡ଼ା ଓ ରାମଲାଲ୍ଲା ନିଜ ନିଜ ଦସ୍ତାବିଜ ଉପସ୍ଥାପନ କରିଛନ୍ତି। ୨୦୧୨ରେ ଆହ୍ଲାବାଦ ହାଇକୋର୍ଟ ଦେଇଥିବା ରାୟ ବିରୋଧରେ ସୁପ୍ରିମକୋର୍ଟରେ ଦାୟର ହୋଇଥିଲା ୧୪ଟି ମାମଲା। ଏବେ ଅପେକ୍ଷା ଅଯୋଧ୍ୟା ମାମଲାରେ ପାଞ୍ଚ ଜଣିଆ ସମ୍ବିଧାନିକ ଖଣ୍ଡପୀଠ ସମସ୍ତ ପକ୍ଷକୁ ସୁହାଇଲା ଭଲି ରାୟ ଦେଉଛନ୍ତି କି ନାହିଁ?

supremecourtସାବରିମାଳା ମାମଲା

ସାବରିମାଳା ବିବାଦରେ ବି ଆସିପାରେ ସୁପ୍ରିମ ଫୈସଲା। ଆୟପ୍ପାଙ୍କ ମନ୍ଦିରରେ ମହିଳାଙ୍କ ପ୍ରବେଶ ଉପରେ ପୂର୍ବରୁ ଗତବର୍ଷ ସେପ୍ଟେମ୍ବର ୨୮ ତାରିଖରେ କୋର୍ଟ ରାୟ ଦେଇଥିଲେ। ଏହାପରେ ପୁନର୍ବିଚାର ପାଇଁ ହୋଇଥିଲା ଆବେଦନ। ଫେବ୍ରୁଆରୀ ୬ ତାରିଖରେ ପ୍ରଧାନ ବିଚାରପତିଙ୍କ ଅଧ୍ୟକ୍ଷତାରେ ପାଞ୍ଚ ଜଣିଆ ଖଣ୍ଡପୀଠ ୬୫ଟି ଆବେଦନର ଶୁଣାଣି କରି ରାୟ ସଂରକ୍ଷିତ ରଖିଥିଲେ। ଏବେ କୋର୍ଟ କଣ ନିଷ୍ପତ୍ତି ଶୁଣାଇବେ କୋର୍ଟ ତା ଉପରେ ବି ନଜର ରହିଛି।

ଏହାସହ ପଢନ୍ତୁ : ଇତିହାସରେ ପ୍ରଥମ, ବିନା ବେହୋସ କରି ମହିଳାଙ୍କ ବ୍ରେନ ସର୍ଜରୀ କଲେ ଡାକ୍ତର

ରାଫେଲ ବିବାଦ

ବହୁ ଚର୍ଚ୍ଚିତ ରାଫେଲ୍‌ ଯୁଦ୍ଧ ବିମାନ କିଣା ଅନିୟମିତତା ଅଭିଯୋଗରେ କେନ୍ଦ୍ରରେ ମୋଦି ସରକାରଙ୍କୁ ମିଳିବ କି କ୍ଲିନଚିଟ୍‌? ଫ୍ରାନ୍ସର ଡାସୋଲ୍ଟ କମ୍ପାନୀରୁ ୩୬ଟି ଲଢୁଆ ଯୁଦ୍ଧ ବିମାନ କିଣାରେ କେନ୍ଦ୍ର ବିରୋଧରେ ଆସିଥିଲା ଅନୁକମ୍ପା ଅଭିଯୋଗ। ଗତବର୍ଷ ଡିସେମ୍ବର ୧୪ ତାରିଖରେ ଏହି ମାମଲାରେ କେନ୍ଦ୍ରକୁ କୋର୍ଟରୁ କ୍ଲିନଚିଟ୍‌ ମିଳିଥିଲା। ରାୟର ପୁନର୍ବିଚାର ପାଇଁ ପିଟିସନ୍‌ ଦାଖଲ କରିଥିଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଯଶଓ୍ଵନ୍ତ ସିହ୍ନା, ଅରୁଣ ସୌରୀ ଓ ଆଇନଜୀବୀ ପ୍ରଶାନ୍ତ ଭୂଷଣ। ଏହା ଉପରେ ଫୈସଲାକୁ ଏବେ ଅପକ୍ଷା ରହିଛି।

ଆରଟିଆଇ ପରିସରରେ ଆସିବେ CJI ?

ଆରଟିଆଇ ପରିସରଭୁକ୍ତ ହେବେ କି ପ୍ରଧାନ ବିଚାରପତି? ଏସମ୍ପର୍କିତ ଗୁରୁତ୍ୱପୂର୍ଣ୍ଣ ମାମଲାର ରାୟ ଶୁଣାଇବେ ପ୍ରଧାନ ବିଚାରପତିଙ୍କ ନେତୃତ୍ୱାଧୀନ ପାଞ୍ଚ ଜଣିଆ ଖଣ୍ଡପୀଠ। ଗତ ଏପ୍ରିଲ ୪ ତାରିଖରେ ମାମଲାର ଶୁଣାଣି କରି ରାୟ ସଂରକ୍ଷିତ ରଖିଛନ୍ତି ସର୍ବୋଚ୍ଚ ଅଦାଲତ। ଆବେଦନକାରୀ ଦର୍ଶାଇଥିଲେ, ପ୍ରଧାନ ବିଚାରପତିଙ୍କ କାର୍ଯ୍ୟାଳୟରୁ ଆରଟିଆଇ ପରିସରଭୁକ୍ତ କରାଯାଉ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.