ଜମ୍ମୁ-କଶ୍ମୀରରୁ ୩୭୦ ଧାରା ଉଚ୍ଛେଦ ବିରୋଧରେ ଆବେଦନର ତତ୍କାଳ ଶୁଣାଣିକୁ ମନା କଲେ ସୁପ୍ରିମ୍କୋର୍ଟ, କହିଲେ ମାମଲା ଅତ୍ୟନ୍ତ ସମ୍ବେଦନଶୀଳ
ନୂଆଦିଲ୍ଲୀ: ଜମ୍ମୁ କଶ୍ମୀରରୁ ୩୭୦ ଧାରା ଉଚ୍ଛେଦ ପରେ ସେଠାରେ ସ୍ଥିତି ଅତ୍ୟନ୍ତ ସମ୍ବେଦନଶୀଳ ହୋଇପଡ଼ିଛି । ଖାସ ଏଥିପାଇଁ ଜମ୍ମୁ-କଶ୍ମୀରରୁ ବିଭିନ୍ନ କଟକଣା ହଟାଇବା ଉଚିତ ହେବ ନାହିଁ । ୩୭୦ ଧାରା ଉଚ୍ଛେଦ ବିରୋଧରେ ହୋଇଥିବା ଆବେଦନର ତତ୍କାଳ ଶୁଣାଣି କରିବାକୁ ମଙ୍ଗଳବାର ସୁପ୍ରିମ୍କୋର୍ଟ ମନା କରି ଏହା କହିଛନ୍ତି। ଏଥି ପାଇଁ ସରକାରଙ୍କୁ ସମୟ ଦିଆଯିବାର ଆବଶ୍ୟକତା ରହିଥିବା ସର୍ବୋଚ୍ଚ ନ୍ୟାୟାଳୟ ସୂଚନା ଦେଇଛନ୍ତି। ଏହା ସହିତ ଲୋକଙ୍କ ପାଖରେ ଯେପରି ଅତ୍ୟାବଶ୍ୟକ ସାମଗ୍ରୀ ପହଞ୍ଚି ପାରିବ, ସେଠାରେ କୌଣସି ଜୀବନ ହାନି ନହେବ ସେନେଇ ସର୍ବୋଚ୍ଚ ଅଦାଲତ ଗୁରୁତ୍ୱାରୋପ କରିଛନ୍ତି। ଏଠାରେ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ ବଢ଼ାଇ ଦିଆଯାଇଛି । ଫୋନ ଇଣ୍ଟରନେଟ ଆଦି ସେବାକୁ ବନ୍ଦ କରି ଦିଆଯାଇଛି ।
କିଛି ଦିନ ମଧ୍ୟରେ ପରିସ୍ଥିତି ସ୍ୱାଭାବିକ ହେବ ବୋଲି ସୁପ୍ରିମ୍କୋର୍ଟ ଆଶା ପୋଷଣ କରିଛନ୍ତି। ସାଧାରଣ ସୁବିଧା ଉପଲବ୍ଧ କରିବା ଲାଗି କେତେ ଦିନ ସମୟ ଲାଗିବ ବୋଲି ଆଟର୍ନି ଜେନେରାଲଙ୍କୁ କୋର୍ଟ ପ୍ରଶ୍ନ କରିଥିଲେ। ଏହାର ଉତ୍ତରରେ ଆଟର୍ନି ଜେନେରାଲ କେ.କେ. ବେଣୁଗୋପାଳ କହିଛନ୍ତି ଯେ ସ୍ଥିତିରେ ସୁଧାର ଆସିଲେ ଯଥାଶୀଘ୍ର ଲୋକଙ୍କୁ ସାଧାରଣ ସୁବିଧା ସୁଯୋଗ ଯୋଗାଇ ଦିଆଯିବ। ଗତ ସୋମବାର ଦିନ କଟକଣା ଲାଗୁ ହେବା ପରଠାରୁ ଗୋଟିଏ ହେଲେ ଜୀବନ ହାନି ଘଟିନାହିଁ ବୋଲଇ ସେ ସୂଚନା ଦେଇଛନ୍ତି । ଆହୁରି ମଧ୍ୟ କହିଛନ୍ତି, ୧୯୯୦ରୁ ଏପର୍ଯ୍ୟନ୍ତ ଆତଙ୍କବାଦୀ ଆକ୍ରମଣରେ ଜମ୍ମୁ କଶ୍ମୀରରେ ୪୪ ହଜାର ଲୋକଙ୍କ ମୃତ୍ୟୁ ହେଲାଣି । ତେଣୁ ସେଠାରେ ଶାନ୍ତି ପ୍ରତିଷ୍ଠା ନିହାତି ଜରୁରୀ । କେନ୍ଦ୍ର ସରକାରଙ୍କ ପକ୍ଷରୁ ଦୈନିକ ସେଠାକାର ସ୍ଥିତି ସମୀକ୍ଷା କରାଯାଉଛି ବୋଲି ବେଣୁଗୋପାଳ କହିଛନ୍ତି ।
ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ମେନକା ଗୁରୁସ୍ୱାମୀ ସାଧାରଣ ସୁବିଧା ସୁଯୋଗ କିଭଳି ଲୋକଙ୍କୁ ଯୋଗାଇ ଦିଆଯିବ ସେନେଇ ପ୍ରଶ୍ନ କରିଥିଲେ।
ସେପଟେ ସ୍ୱାଧୀନତା ଦିବସ ପାଇଁ ରାଜ୍ୟରେ ଜୋରଦାର ପ୍ରସ୍ତୁତି ଚାଲିଛି । ଶ୍ରୀନଗର ଶେର-ଇ-କଶ୍ମୀର ଷ୍ଟାଡିୟମ୍ରେ ପରେଡ୍ ସହ ସାଂସ୍କୃତିକ କାର୍ଯ୍ୟକ୍ରମର ମଧ୍ୟ ଅଭ୍ୟାସ ଜାରି ରହିଛି ।
#WATCH Jammu and Kashmir: Cultural programme rehearsals underway at Srinagar’s Sher-i-Kashmir stadium ahead of #IndependenceDay pic.twitter.com/VZxIsL0yBO
— ANI (@ANI) August 13, 2019
#WATCH Jammu and Kashmir: Dress rehearsals underway at Srinagar’s Sher-i-Kashmir stadium ahead of #IndependenceDay pic.twitter.com/BqBPKYd913
— ANI (@ANI) August 13, 2019