ଦେଶରେ ରାଜଦ୍ରୋହ ମାମଲା ଉପରେ ରୋକ୍ ଲଗାଇଲେ ସୁପ୍ରିମକୋର୍ଟ, ଏବେ ଆଇପିସିର ଦଫା ୧୨୪-Aରେ କୌଣସି ଏତଲା ରୁଜୁ ହୋଇପାରିବ ନାହିଁ

ନୂଆଦିଲ୍ଲୀ: ଦେଶରେ ରାଜଦ୍ରୋହ ମାମଲା ଉପରେ ଲାଗିଲା ରୋକ । ସୁପ୍ରିମକୋର୍ଟ ଦେଶଦ୍ରୋହ ମାମଲା ଉପରେ ରୋକ ଲଗାଇଛନ୍ତି । ଏବେ ଆଇପିସିର ଦଫା ୧୨୪-Aରେ କୌଣସି ଏତଲା ରୁଜୁ ହୋଇପାରିବ ନାହିଁ । କେନ୍ଦ୍ର ରାଜଦ୍ରୋହ ମାମଲା ଆଇନ ଉପରେ ପୁନର୍ବିଚାର କରିବା ପର୍ଯ୍ୟନ୍ତ ଏହି ରୋକ ରହିବ । ଜୁଲାଇ ତୃତୀୟ ସପ୍ତାହରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ।

ପ୍ରଧାନ ବିଚାରପତିଙ୍କ ଖଣ୍ଡପୀଠ କହିଛନ୍ତି ରାଜଦ୍ରୋହ ମାମଲାରେ ଯେଉଁମାନେ ଗିରଫ ହୋଇ ଜେଲରେ ଅଛନ୍ତି ସେମାନେ ବେଲ ପାଇଁ କୋର୍ଟରେ ଆବେଦନ କରିପାରିବେ । ୧୬୨ ବର୍ଷ ପରେ ପ୍ରଥମ ଥର ପାଇଁ ରାଜଦ୍ରୋହ ସଂପର୍କୀତ ଧାରାର କାର୍ଯ୍ୟକାରିତା ଉପରେ ରୋକ ଲାଗିଛି । ଦେଶଦ୍ରୋହ ଆଇନ ୧୮୭୦ ମସିହାରେ ବ୍ରିଟିସ ସରକାର ଅମଳରେ ଲାଗୁହୋଇଥିଲା ।

୧୯୪୮ରେ ସମ୍ବିଧାନରୁ ଏହାକୁ ହଟାଯାଇଥିଲା । ତେବେ ଆଇପିସିର ଦଫା ୧୨୪-A ବଳବତ୍ତର ରହିଥିଲା । ଦେଶଦ୍ରୋହ ମାମଲା ଜାମିନ ବିହୀନ ଅପରାଧ । ଏଥିରେ ୩ ବର୍ଷରୁ ଆଜୀବନ କାରାଦଣ୍ଡ ସହ ଜରିମାନା ହୋଇପାରେ । ଏପରିକି ରାଜଦ୍ରୋହ ମାମଲା ଥିବା ବ୍ୟକ୍ତି କୌଣସି ସରକାରୀ ଚାକିରି ପାଇଁ ଆବେଦନ କରିପାରିବେ ନାହିଁ । ସରକାରଙ୍କ ବିରୋଧରେ ଲିଖିତ କିମ୍ବା ମୌଖିକ ଭାବେ ସାଙ୍କେତିକ ଭାବେ ବିଦ୍ୱେଷ କିମ୍ବା ଅବମାନନା କଲେ ଆଇପିସିର ଦଫା ୧୨୪-Aରେ ରାଜଦ୍ରୋହ ମାମଲା ରୁଜୁ ହେଉଥିଲା । NCRB ତଥ୍ୟ ଅନୁସାରେ ୨୦୧୯ ମସିହା ପରେ ରାଜଦ୍ରୋହ ମାମଲା ବଢି ଚାଲିଛି । ମାତ୍ର ୩ ପ୍ରତିଶତ ଅଭିଯୁକ୍ତ ଏଥିରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.