ରେଳଧାରଣା କଡ଼ରେ ଇନ୍‌ଷ୍ଟା ରିଲ୍ସ ବନାଇବା ହେଲା କାଳ, ପିଟି ହୋଇଗଲା ଦ୍ରୁତ ବେଗରେ ଆସୁଥିବା ଟ୍ରେନ୍‌; ଦେଖନ୍ତୁ ଛାତିଥରା ଭିଡିଓ

ଏବେ ସୋସିଆଲ ମିଡିଆ ଯୁଗରେ ମୋବାଇଲ ବ୍ୟବହାର ଯେତେ ବଢ଼ୁଛି, ଲୋକଙ୍କ ଜୀବନ ସେତିକି ବିପଦ ମୁହଁକୁ ଠେଲି ହୋଇଯାଉଛି। ଏବେ ଭାଇରାଲ ହେଉଥିବା ଏକ ଭିଡିଓରେ ଏହା ପୁଣିଥରେ ପ୍ରମାଣିତ ହୋଇଛି। ନିକଟରେ ଜଣେ ଯୁବକଙ୍କ ଏକ ଭିଡିଓ ସାମ୍ନାକୁ ଆସିଛି। ଏଥିରେ ସେ ଟ୍ରେନ୍‌ ଧାରଣା କଡ଼ରେ ଚାଲି ଚାଲି ଭିଡିଓ କରୁଛନ୍ତି। ଏହି ସମୟରେ ଦ୍ରୁତ ଗତିରେ ଆସୁଥିବା ଏକ ଟ୍ରେନ୍‌ ତାଙ୍କୁ ଧକ୍କା ଦେଉଛି। ଫଳରେ ସେ ତଳେ ପଡ଼ିଯାଉଛନ୍ତି। ଏହି ଭିଡିଓଟି ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି।

ସୂଚନା ମୁତାବକ, ଇନ୍‌ଷ୍ଟା ରିଲ୍ସ ପାଇଁ ତେଲେଙ୍ଗାନାର ଜଣେ ଯୁବକ ଦ୍ରୁତ ବେଗରେ ଆସୁଥିବା ଟ୍ରେନ୍‌ର ଅତି ନିକଟକୁ ଚାଲି ଆସିଥିଲେ। ହନମକୋଣ୍ଡା ଜିଲ୍ଲାର କାଜିପେଟ୍‌ ରେଲେଓ୍ଵ ଷ୍ଟେସନ୍‌ ପାଖ ଟ୍ରାକ୍‌ରେ ଭିଡିଓ ସୁଟିଂ କରୁଥିବା ଯୁବକ ଜଣକ ଟ୍ରେନ୍‌ ଧକ୍କାର ଶିକାର ହୋଇଛନ୍ତି। ଟ୍ରେନ୍‌ ପିଟି ହୋଇଯିବାରୁ ଯୁବକ ଜଣକ ଗୁରୁତର ହୋଇଛନ୍ତି। ସେ ତଳେ ହିଁ ବସିପଡ଼ୁଛନ୍ତି। ପରେ ସୁଟିଂ କରୁଥିବା ସାଙ୍ଗମାନେ ତାଙ୍କ ନିକଟକୁ ଆସି ଡାକୁଛନ୍ତି। କିନ୍ତୁ ସେ ଚୁପ୍‌ ଅଛନ୍ତି। ଏହି ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଘୂରି ବୁଲୁଛି।

ଦେଖନ୍ତୁ ଭିଡିଓ:

ଭିଡିଓ କରୁଥିବା ଯୁବକ ହେଲେ ଚନ୍ତାକୁଲା ଅକ୍ଷୟ ରାଜୁ (୧୭)। ଗୁରୁତର ଅବସ୍ଥାରେ ତାଙ୍କୁ ବାରଙ୍ଗଲର ଏମ୍‌ଜିଏମ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଅକ୍ଷୟ ଜଣେ ଇଞ୍ଜିନିୟରିଂ ଛାତ୍ର। ସେ ସାଙ୍ଗମାନଙ୍କ ସହ ରେଳଧାରଣା ନିକଟକୁ ଇନ୍‌ଷ୍ଟା ରିଲ୍ସ କରିବାକୁ ଯାଇଥିଲେ। ଏହି ସମୟରେ ଦ୍ରୁତ ବେଗରେ ଆସୁଥିବା ଏକ ଟ୍ରେନ୍‌ ତାଙ୍କୁ ଜୋରରେ ଧକ୍କା ଦେଇଥିଲା। ଫଳରେ ସେ ଅପରପାର୍ଶ୍ୱକୁ ଛିଟିକି ପଡ଼ିଥିଲେ। ତାଙ୍କ ମୁଣ୍ଡ, ହାତ ଓ ଗୋଡ଼ରେ ଗଭୀର ଆଘାତ ଲାଗିଛି। ସାଙ୍ଗମାନେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିବା ଜଣାଯାଇଛି। ଏହି ଛାତି ଥରିଯିବା ଭଳି ଭିଡିଓକୁ ସେୟାର କରି ରିଲ୍ସ ବନାଇବାରୁ ବିରତ ରହିବାକୁ ସୋସିଆଲ ମିଡିଆ ବ୍ୟବହାରକାରୀ ପରାମର୍ଶ ଦେଇଛନ୍ତି।

Also Read: ଦିନ ଆରମ୍ଭରୁ ଜାଣନ୍ତୁ କ’ଣ କହୁଛି ଆଜି ଆପଣଙ୍କ ରାଶି !

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.