ବିଶାଖାପାଟଣା ଏଲଜି ପଲିମର୍ସ ପ୍ଲାଣ୍ଟରୁ କେମିତି ହେଲା ଗ୍ୟାସ ଲିକ୍‌ ?ତଦନ୍ତ କର: ମୁଖ୍ୟମନ୍ତ୍ରୀ ୱାଇ. ଏସ ଜଗନମୋହନ ରେଡ୍ଡୀ

କେନ୍ୟୁଜ୍ (ବ୍ୟୁରୋ): ବିଶାଖାପାଟଣା ସ୍ଥିତ ଏଲଜି ପଲିମର୍ସ କେମିକାଲ ପ୍ଲାଣ୍ଟରେ ଷ୍ଟାଇରିନ ଗ୍ୟାସ୍‌ ଲିକ୍‌ ଘଟଣାରେ ବଢୁଛି ମୃତ୍ୟୁ ସଂଖ୍ୟା । ୧୦ ଜଣ ପ୍ରାଣ ହରାଇଥିବା ବେଳେ ୫ ହଜାର ଲୋକ ଅସୁସ୍ଥ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ଅଧିକାଂଶଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ଫଳରେ ମୃତ୍ୟୁସଂଖ୍ୟା ବଢିବା ନେଇ ଆଶଙ୍କା ରହିଛି । ମୃତକଙ୍କ ମଧ୍ୟରେ ୨ ଜଣ ବରିଷ୍ଠ ନାଗରିକଙ୍କ ସମେତ ଜଣେ ୮ ବର୍ଷର ଝିଅ ରହିଛି । ବିଶାଖାପାଟଣା ନାଇଡୁ ଥୋଟା ଆରଆର ଭେଙ୍କଟପୁରମ ନିକଟରେ ଥିବା ଏଲଜି ପଲିମର୍ସ ପ୍ଲାଣ୍ଟରୁ ଗତକାଲି ରାତି ୨ଟା ୩୦ଟା ମିନିଟରେ ବିଷାକ୍ତ ଷ୍ଟାଇରିନ ଗ୍ୟାସ ଲିକ ଆରମ୍ଭ ହୋଇଥିଲା । ଫଳରେ ପ୍ଲାଣ୍ଟର ପରିଧି ମଧ୍ୟରେ ଥିବା ଲୋକେ ଭୟଭୀତ ହୋଇପଡ଼ିଥିଲେ । ଏହି ଘଟଣା ପରେ ପ୍ଲାଣ୍ଟର ୩ କିଲୋମିଟର ପରିଧିରେ ଥିବା ଗାଁ ପ୍ରଭାବିତ ହୋଇଛି । ପ୍ରତିଷେଧମୂଳକ ବ୍ୟବସ୍ଥା ସ୍ୱରୂପ ଆଖକପାଖ ୫ଟି ଗାଁ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି । ଏନଡିଆରଏଫ ଓ ଏସଡିଆରଏଫ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ସହ ପରିସ୍ଥିତି ଉପରେ ନଜର ରଖିଛନ୍ତି ।

 ସେପଟେ ଗ୍ୟାସ୍‌ ଲିକ୍‌ ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏନଡିଏମ ସହ ଅଧିକାରୀଙ୍କ ସହ ଏକ ବୈଠକରେ ଆଲୋଚନା କରିଛନ୍ତି । ପରିସ୍ଥିତି ସଂପର୍କରେ ଗୃହମନ୍ତ୍ରାଳୟ ସହ ମଧ୍ୟ ଆଲୋଚନା କରିଛନ୍ତି ମୋଦି । ସମସ୍ତଙ୍କ ସୁରକ୍ଷା ସହ ଅସୁସ୍ଥଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି । ସେହିପରି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇ. ଏସ ଜଗନମୋହନ ରେଡ୍ଡୀ ଗ୍ୟାସ ଲିକ୍‌ ଘଟଣାର ଅନୁଧ୍ୟାନ କରିବା ସହ ତୁରନ୍ତ ଆବଶ୍ୟକ ପଦକ୍ଷେପ ନେବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ।

ଏଥିସହ ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିବାକୁ କହିଛନ୍ତି । କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା କହିଛନ୍ତି, ସରକାର ପରିସ୍ଥିତି ଉପରେ ନଜର ରଖିଛନ୍ତି । ଆନ୍ଧ୍ରପ୍ରଦେଶ ମୁଖ୍ୟ ଶାସନ ସଚିବ ଓ ପୋଲିସ ଡିଜିଙ୍କ ସହ ପରିସ୍ଥିତି ସମ୍ପର୍କରେ କଥା ହୋଇଛନ୍ତି ଗୃହ ରାଷ୍ଟ୍ରମନ୍ତ୍ରୀ କେ. କ୍ରିଷ୍ଣ ରେଡ୍ଡୀ । ପୀଡ଼ିତଙ୍କୁ ତୁରନ୍ତ ସହାୟତା ଯୋଗାଇ ଦେବାକୁ ଏନଡିଆର୍‌ଏଫକୁ ନିର୍ଦ୍ଦେଶ ଦେଇଛି ଗୃହ ମନ୍ତ୍ରାଳୟ ।

ଡିଜିପି ଦାମୋଦର ଗୌତମ ସେୱାଙ୍ଗ କହିଛନ୍ତି, ଫରେନସିକ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି । କେଉଁ କାରଣରୁ ଗ୍ୟାସ ଲିକ ହେଲା ତାର ଅନୁଧ୍ୟାନ କରାଯାଉଛି । ସ୍ଥିତି ଏବେ ନିୟନ୍ତ୍ରଣରେ ରହିଛି । ଗ୍ୟାସ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିମାନେ ପ୍ରଚୁର ପାଣି ପିଇବାକୁ ସେ ପରାମର୍ଶ ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.