ଆଶ୍ଚର୍ଯ୍ୟ! ଉଡାଣ ସମୟରେ ବିମାନରେ ଶିଶୁ ଜନ୍ମ, ମହିଳାଙ୍କୁ ନ ଥିଲା ଗର୍ଭବତୀ ହେବାର ସୂଚନା

ଦେଶ ଦୁନିଆରୁ ଏମିତି ଅନେକ ଘଟଣା ସାମ୍ନାକୁ ଆସୁଥାଏ, ଯାହା ବିଷୟରେ ଶୁଣି ଆମେ ଆଶ୍ଚର୍ଯ୍ୟ ହୋଇଯାଇଥାଉ। ଏମିତି ହିଁ ଏକ ଘଟଣା ଏବେ ସାମ୍ନାକୁ ଆସିଛି, ଯେଉଁଠି ଜଣେ ମହିଳା ଉଡାଣ ସମୟରେ ବିମାନରେ ସନ୍ତାନ ଜନ୍ମ ଦେଇଛନ୍ତି। ତେବେ ଏଠି ଆପଣ ଭାବୁଥିବେ, ଏଥିରେ ଆଶ୍ଚର୍ଯ୍ୟଜନକ ଘଟଣା କ’ଣ? ବାସ୍ତବରେ ଯେଉଁ ମହିଳା ସନ୍ତାନ ଜନ୍ମ ଦେଇଛନ୍ତି, ତାଙ୍କୁ ଜଣା ନ ଥିଲା କି, ସେ ଗର୍ଭବତୀ ଅଛନ୍ତି।

ମହିଳା ଜଣକ ହେଉଛନ୍ତି, ୟୁଟାର ଲବିନିୟା ମୋଉଙ୍ଗା। ଲବିନିୟା ବିମାନ ଯୋଗେ ସଲଟ ଲେକ ସିଟିରୁ ହୋନୋଲୁଲୁ ଯାଉଥିଲେ। ଉଡାଣ ସମୟରେ ହଠାତ ତାଙ୍କର ଲେବର ପେନ ହୋଇଥିଲା, ଯାହା ପରେ ସେ ଏକ ଶିଶୁକୁ ଜନ୍ମ ଦେଇଥିଲେ। ଏ ନେଇ ଲବିନିୟା ପରେ ଟ୍ୱିଟ କରି ଲେଖିଥିଲେ ଯେ ମୁଁ ବହୁତ ଖୁସି। ଏଥି ପୂର୍ବରୁ ସେ ଆଉ ଏକ ଟ୍ୱିଟରେ ହୋନୋଲୁଲୁ ଯିବା ନେଇ ଖୁସି ଜାହିର କରିଥିଲେ।

ତେବେ ଏହି ଘଟଣା ସେତେବେଳେ ଭାଇରଲ ହୋଇଥିଲା, ଯେବେ ବିମାନରେ ଥିବା ଜଣେ ଯାତ୍ରୀ ଜୁଲିଆ ହ୍ୟାନସନ ଟ୍ୱିଟରରେ ଏହା ଜଣାଇଥିଲେ କି, ବିମାନରେ ଏକ ଶିଶୁ ଜନ୍ମ ହୋଇଛି। ସେହିପରି କନସାସ ସିଟିର ଜଣେ ନର୍ସ ଲାନୀ ବମଫିଲଡ ଏକ ଫେସବୁକ ପୋଷ୍ଟରେ ଲେଖିଥିଲେ, ‘ଯଦି କାହାକୁ ଜାଣିବାର ଅଛି କି, ଆମ ବିମାନ ଯାତ୍ରା କେମିତି ରହିଲା, ତ ଏହା ଏମିତି ଭାବେ ଆରମ୍ଭ ହୋଇଥିଲା। ଆମେ ବିମାନ ବାଥରୁମରେ ଡେଲିଭରି କରାଇଲୁ। ଆମ ସହିତ ୩ ନର୍ସ, ଜଣେ ସହାୟକ ଫିଜିଶିୟନ ଓ ଜଣେ ଡାକ୍ତର ଥିଲେ। ଆମେ ବିମାନର ଲ୍ୟାଣ୍ଡିଂର ୩ ଘଣ୍ଟା ପୂର୍ବରୁ ଡେଲିଭରି କରାଇଲୁ। ସେ ଲେଖିଥିଲେ, ନିଶ୍ଚିତ ରୂପେ ଭଗବାନ ଆମ ସହିତ ଥିଲେ’।

ଲବିନିୟା ନିଜ ନବଜାତକର ନାଁ ରେମଣ୍ଡ କାଇମାନା ବେଡ କୋବେ ଲବାକୀ ମୋଉଙ୍ଗା ରଖିଛନ୍ତି। ବିମାନ ଲ୍ୟାଣ୍ଡିଂ କରିବା ପରେ ମାଆ ଓ ନବଜାତକକୁ ହୋନୋଲୁଲୁର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଦୁଇଜଣଙ୍କ ସ୍ୱାସ୍ଥ୍ୟବସ୍ଥା ବର୍ତ୍ତମାନ ଠିକ ଅଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.