‘ମୁସଲମାନ ଡେଲିଭରି ବୟ ପଠାଇବ ନାହିଁ’; ସ୍ୱିଗି ଗ୍ରାହକଙ୍କ ଏପରି ମେସେଜ୍‌କୁ ନେଇ ସୋସିଆଲ ମିଡିଆରେ ହଙ୍ଗାମା

ଆଜିକା ସମୟରେ ସବୁକିଛି ଅନଲାଇନ ହେବାରେ ଲାଗିଛି। ଲୋକେ ଘରେ ବସି ଗୋଟିଏ କ୍ଲିକ୍‌ରେ ନିଜର ଅତ୍ୟାବଶ୍ୟକ ଜିନିଷ ପାଇ ପାରୁଛନ୍ତି। ଏହିପରି ଅନଲାଇନ ଫୁଡ୍‌ ଡେଲିଭରି ମଧ୍ୟ ଆମ ଦୈନନ୍ଦିନ ଜୀବନରେ ଯୋଡ଼ି ହୋଇ ଗଲାଣି। କିନ୍ତୁ ଏବେ ନିକଟରେ ହାଇଦ୍ରାବାଦରୁ ଏମିତି ଏକ ମାମଲା ସାମ୍ନାକୁ ଆସିଛି, ଯାହାକୁ ନେଇ ବିବାଦ ସୃଷ୍ଟି ହୋଇଛି।

ହାଇଦ୍ରାବାଦର ଜଣେ ଗ୍ରାହକ ଫୁଡ୍‌ ଡେଲିଭରି ଆପ୍‌ରେ ଯେଉଁ ଡିମାଣ୍ଡ କରିଛନ୍ତି, ତାହା ସୋସିଆଲ ମିଡିଆରେ ଲୋକଙ୍କୁ ଆକ୍ରୋଶିତ କରି ଦେଇଛି। ଅନେକ ଲୋକ ଉକ୍ତ ଗ୍ରାହକଙ୍କୁ କଡ଼ା ସମାଲୋଚନା କରିବା ସହ ଗାଳିମନ୍ଦ ଦେଇଛନ୍ତି।

ଗ୍ରାହକ ଜଣକ ଅନଲାଇନରେ ଖାଦ୍ୟ ଅର୍ଡର କରିଥିଲେ, ହେଲେ ଖାଦ୍ୟକୁ କେହି ମୁସଲମାନ ବ୍ୟକ୍ତି ଡେଲିଭରି କରିବେ ନାହିଁ ବୋଲି ରୋକ୍‌ଠୋକ୍‌ କହିଥିଲେ। କହିବାକୁ ଗଲେ, ସେ କୌଣସି ମୁସଲମାନ ଡେଲିଭରି ବୟ ଚାହୁଁ ନ ଥିଲେ, ଯେଉଁ କାରଣରୁ ସେ ଆପ୍‌ରେ ଏ ନେଇ ଏକ ଖାସ୍‌ ମେସେଜ ଛାଡ଼ିଥିଲେ। ଏହି ମେସେଜର ସ୍କ୍ରିନଶର୍ଟ ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି।

ସୂଚନା ମୁତାବକ, ସ୍କ୍ରିନ୍‌ଶର୍ଟକୁ କର୍ମଚାରୀ ସଙ୍ଗଠନର ମୁଖ୍ୟ ଶେଖ୍‌ ସଲାଉଦ୍ଦୀନ ସେୟାର କରିଛନ୍ତି। ଏଥି ସହିତ ସେ ଲୋକଙ୍କୁ ଏହା ବିରୋଧରେ ସ୍ୱର ଉଠାଇବାକୁ ଦାବି କରିଛନ୍ତି। ସେ କହିଛନ୍ତି କି, ଡେଲିଭରି କରୁଥିବା ବ୍ୟକ୍ତି ହିନ୍ଦୁ ହୁଅନ୍ତୁ କି ମୁସଲମାନ, ଶିଖ୍‌ ହୁଅନ୍ତୁ କି ଇସାଇ। ଆମେ ସମସ୍ତେ ଏଠାରେ ଲୋକଙ୍କ ପାଖରେ ସେମାନଙ୍କ ଅର୍ଡର ପହଞ୍ଚାଇବାର କାମ କରୁଛୁ। ସଲାଉଦ୍ଦୀନ ସ୍ୱିଗିକୁ ମଧ୍ୟ ଏହି ପୋଷ୍ଟରେ ମେନ୍ସନ କରି ଲେଖିଛନ୍ତି, ଏହି ପ୍ରକାରର ଅର୍ଡରକୁ ଯଥା ଶୀଘ୍ର ବୟକଟ୍‌ କରିବା ଉଚିତ୍‌।

ଶେଖ୍‌ ସଲାଉଦ୍ଦୀନଙ୍କ ଦ୍ୱାରା ଟ୍ଵିଟ୍‌ ସେୟାର କରାଯିବା ପରେ ଲୋକମାନେ ଏହି ପୋଷ୍ଟକୁ ଭାଇରାଲ କରି ଦେଇଥିଲେ। ଅନେକ ଲୋକ ଏହାକୁ ବିରୋଧ କରି କମେଣ୍ଟ ଲେଖିଥିଲେ। ସେମାନଙ୍କ ମଧ୍ୟରେ କର୍ଣ୍ଣାଟକର କଂଗ୍ରେସ ଏମ୍‌ପି କାର୍ତ୍ତି ଚିଦମ୍ବରମ୍‌ ମଧ୍ୟ ସାମିଲ ଅଛନ୍ତି। ଯଦିଓ ଏ ପର୍ଯ୍ୟନ୍ତ ସ୍ୱିଗି ଏହା ଉପରେ କୌଣସି ପ୍ରତିକ୍ରିୟା ଦେଇନାହିଁ।

କହି ରଖୁଛୁ, ଏହି ପରି ଧର୍ମ ସହ ଯୋଡ଼ି ଖାଦ୍ୟ ଅର୍ଡର କରିବାର ଏହା ପ୍ରଥମ ମାମଲା ନୁହେଁ। ଏହା ପୂର୍ବରୁ ମଧ୍ୟ ୨୦୧୯ରେ ଏମିତି ହିଁ ଏକ ଘଟଣା ଘଟିଥିଲା। ସେତେବେଳେ ଜମାଟୋ ଅର୍ଡର କ୍ୟାନ୍ସଲ କରିବା ବିରୋଧରେ ଟ୍ଵିଟ୍‌ କରି ଲେଖିଥିଲା କି, ‘ଖାଦ୍ୟର କୌଣସି ଧର୍ମ ନ ଥାଏ। ଖାଦ୍ୟ ହିଁ ଧର୍ମ’।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.