ଜନ୍ମରୁ ହିଁ ପର କଲା ପରିବାର, ଦୁଇ ପାଦ ବଙ୍କା ଥିବାରୁ ମେଡିକାଲରେ ଛାଡ଼ି ଚାଲିଗଲେ ମା’-ବାପା

ଅସ୍ୱାଭାବିକ ପିଲା ଜନ୍ମ ହେବାରୁ ଛାଡ଼ି ଚାଲିଗଲେ ପରିବାର ଲୋକେ। ଏଭଳି ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ମଧ୍ୟ ପ୍ରଦେଶରେ। ହରଦା ଜିଲ୍ଲା ହସ୍ପିଟାଲରେ ଏକ ଅପରିପକ୍ୱ ଶିଶୁ ଜନ୍ମ ହୋଇଛି। ଛୁଆଟିର ପାଦ ଦୁଇଟି ପଛ ଆଡ଼କୁ ମୋଡ଼ି ହୋଇ ରହିଛି। ଏହା ଏକ ବିରଳ କେସ୍‌ ବୋଲି ଡାକ୍ତର କହିଛନ୍ତି। ଏବେ ଶିଶୁକୁ ସ୍ପେଶାଲ ନ୍ୟୁ ବର୍ଣ୍ଣ ଚାଇଲ୍ଡ କେୟାର ୟୁନିଟ୍‌ରେ ଭର୍ତ୍ତି କରାଯାଇଛି। ଅନ୍ୟପଟେ ଶିଶୁ ଜନ୍ମ ପରେ ତା’ ପିତା-ମାତା ତାକୁ ହସ୍ପିଟାଲରେ ଛାଡ଼ି ଚାଲିଯାଇଥିବା ଜଣାପଡ଼ିଛି। ଅବଶ୍ୟ ୩୬ ଘଣ୍ଟା ପରେ ସେମାନେ ମେଡିକାଲ ଆସିଥିବା ଜଣାଯାଇଛି।

ରିପୋର୍ଟ ମୁତାବକ, ଖରକିଆ ବ୍ଲକ୍‌ର ଝାଞ୍ଝରୀ ନିବାସୀ ବିକ୍ରମଙ୍କ ପତ୍ନୀ ପପ୍ପିଙ୍କ ଡେଲିଭରି ସୋମବାର ଅପରାହ୍ନ ୧୨ଟାରେ ହୋଇଥିଲା। ସେ ଏକ ଝିଅ ଜନ୍ମ ଦେଇଥିଲେ। ଡେଲିଭରି ନର୍ମାଲ ଥିଲା। କିନ୍ତୁ ନବଜାତକର ଦୁଇଟି ଯାକ ପାଦ ଓଲଟା ଥିଲା। ଛୁଆର ଓଜନ ୧ କିଲୋ ୬୦୦ ଗ୍ରାମ୍‌ ଥିଲା। ଏଣୁ ତାକୁ ସ୍ପେଶାଲ କେୟାର ୟୁନିଟ୍‌ରେ ରଖାଯାଇଛି। ତେବେ ଡାକ୍ତରଙ୍କ କହିବାନୁସାରେ, ଛୁଆ ଏବେ ବିପଦମୁକ୍ତ ଅଛି। ଗୋଡ଼ ଅପରେସନ୍‌ ପରେ ସେ ବି ସାଧାରଣ ଲୋକଙ୍କ ଭଳି ଚଲାବୁଲା କରିପାରିବ।

ଅନ୍ୟପଟେ ଝିଅର ମା’-ବାପାଙ୍କ ବିଷୟରେ କୌଣସି ସୂଚନା ନ ମିଳିବାରୁ ମେଡିକାଲ କର୍ତ୍ତୃପକ୍ଷ ପୋଲିସରେ ଖବର ଦେଇଥିଲେ। ପ୍ରାୟ ୩୬ ଘଣ୍ଟା ପରେ ଝିଅର ଦାଦି ମୁନିଆ ବାଇ, ମା’ ପପ୍ପି ଓ ବାପା ବିକ୍ରମ ହସ୍ପିଟାଲରେ ପହଞ୍ଚିଥିଲେ। ସେମାନେ କହିଛନ୍ତି ଯେ ସେମାନେ କୁଆଡ଼େ ବି ଯାଇନଥିଲେ। ତେବେ ପୋଲିସ ମେଡିକାଲରେ ପହଞ୍ଚି ନବଜାତକର ମାତା-ପିତାଙ୍କୁ ପଚରାଉଚରା ଚଳାଇଛି।