ଦୀପାବଳି ପୂର୍ବରୁ ସରକାର ନେଲେ ବଡ଼ ନିଷ୍ପତ୍ତି! ଡାଲି, ପିଆଜର କମାଇ ଦେଲେ ଦାମ୍‌

ଦୀପାବଳିର ଠିକ୍‌ ପୂର୍ବରୁ ସରକାର ସାଧାରଣ ଜନତାଙ୍କୁ ବଡ଼ ଉପହାର ଦେଇଛନ୍ତି। ସରକାର ଏବେ ନିଜ ଉପଭୋକ୍ତାମାନଙ୍କୁ ଶସ୍ତା ଭୋଜନ ଉପଲବ୍ଧ କରାଇବା ପାଇଁ ଜବରଦସ୍ତ ଘୋଷଣା କରିଛନ୍ତି। ସରକାର କମ୍‌ ଦାମ୍‌ରେ ଡାଲି ଓ ପିଆଜ ଉପଲବ୍ଧ କରାଇଛନ୍ତି। ଉପଭୋକ୍ତା ମନ୍ତ୍ରାଳୟ ଗୁରୁବାର କହିଛି ଯେ ଦୀପାବଳିରେ ଖାଦ୍ୟପେୟ ଜିନିଷଗୁଡ଼ିକର ଦାମ୍‌ ନିୟନ୍ତ୍ରଣରେ ରଖିବା ପାଇଁ ସମସ୍ତ ଚେଷ୍ଟା କରାଯାଉଛି।

ଉପଭୋକ୍ତା ମନ୍ତ୍ରାଳୟ ତରଫରୁ ଦିଆଯାଇଥିବା ସୂଚନା ମୁତାବକ, ସରକାର ବଡ଼ ପଦକ୍ଷେପ ଉଠାଇବାକୁ ଯାଇ ରାଜ୍ୟଗୁଡ଼ିକୁ ବହୁତ ଶସ୍ତା ଦାମ୍‌ରେ ଡାଲି ଉପଲବ୍ଧ କରାଇବାକୁ ଘୋଷଣା କରିଛନ୍ତି। କେନ୍ଦ୍ର ସରକାର ଡାଲିଗୁଡ଼ିକ ଦାମ୍‌ରେ ୮ ଟଙ୍କା ହ୍ରାସ କରିଛନ୍ତି ଏବଂ ଏହି ଦାମ୍‌ରେ ରାଜ୍ୟଗୁଡ଼ିକୁ ଡାଲି ଉପଲବ୍ଧ କରାଇଛନ୍ତି, ଯେପରି ଉପଭୋକ୍ତାମାନଙ୍କ ପାଖରେ ଶସ୍ତା ଖାଦ୍ୟଶସ୍ୟ ପହଞ୍ଚି ପାରିବ। ଏଥି ସହିତ ଲୋକଙ୍କୁ ଉତ୍ସବ ସମୟରେ ମୂଲ୍ୟ ବୃଦ୍ଧିରୁ ମୁକ୍ତି ମିଳି ପାରିବ।

କେବଳ ଏତିକି ନୁହେଁ, କେନ୍ଦ୍ର ସରକାର ଆହୁରି ବି ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଉପଭୋକ୍ତା ମନ୍ତ୍ରାଳୟ ଅନୁସାରେ, ସରକାର ପିଆଜ ଦାମ୍‌ ମଧ୍ୟ କମାଇ ଦେଇଛନ୍ତି। ଉତ୍ସବ ସମୟରେ ବଜାରରେ ଯେପରି ପିଆଜର ଅଭାବ ନ ରହିବ, ସେଥିପାଇଁ ସରକାର ବଫର ଷ୍ଟକ୍‌ରୁ ପିଆଜ ଉପଲବ୍ଧ କରାଉଛନ୍ତି। ସରକାରଙ୍କ ତରଫରୁ ଦିଆଯାଇଥିବା ସୂଚନା ମୁତାବକ, ସରକାରଙ୍କ ପାଖରେ ବର୍ତ୍ତମାନ ପାଖାପାଖି ୪୩ ଟନ୍ ଡାଲିର ଷ୍ଟକ୍ ରହିଛି। ଉତ୍ସବ ପୂର୍ବରୁ ସରକାର ରାଜ୍ୟଗୁଡ଼ିକୁ ସୁଲଭ ମୂଲ୍ୟରେ ଡାଲି ଉପଲବ୍ଧ କରାଇଛନ୍ତି। କହି ରଖୁଛୁ କି, କେନ୍ଦ୍ର ସରକାର ଏ ପର୍ଯ୍ୟନ୍ତ ରାଜ୍ୟଗୁଡ଼ିକୁ ୮୮,୦୦୦ ଟନ୍ ଡାଲି ଯୋଗାଇ ସାରିଛନ୍ତି ଏବଂ ମସୁର ଡାଲିର ଏମଏସପି କୁଇଣ୍ଟାଲ ପିଛା ୫୦୦ ଟଙ୍କା ବଢ଼ାଇଛନ୍ତି। ଫଳରେ ମସୁରର ଏମଏସପି ୫,୫୦୦ ଟଙ୍କାରୁ ବଢ଼ି ୬,୦୦୦ ଟଙ୍କା ହୋଇଯାଇଛି।

ସୂଚନାଥାଉ କି, ଉପଭୋକ୍ତାମାନଙ୍କ ଆବଶ୍ୟକତା ପୂରଣ ପାଇଁ ଭାରତ ଡାଲି ଆମଦାନୀ କରିଥାଏ। ଉପଭୋକ୍ତା ମନ୍ତ୍ରାଳୟର ସୂଚନା ମୁତାବକ, ୨୦୨୨ରୁ ୨୦୨୬ ଆର୍ଥିକ ବର୍ଷ ଭିତରେ ଦେଶରେ ପ୍ରତ୍ୟେକ ବର୍ଷ ୨.୫ ଲକ୍ଷ ଟନ୍ ବିରି ଏବଂ ୧ ଲକ୍ଷ ଟନ୍ ହରଡ଼ ଡାଲି ମିଆଁମାରରୁ ଆମଦାନୀ କରାଯିବ। ଏହା ବ୍ୟତୀତ ଦକ୍ଷିଣ ପୂର୍ବ ଆଫ୍ରିକୀୟ ଦେଶ ମଲାୱିରୁ ମଧ୍ୟ ଆଗାମୀ ୫ ବର୍ଷ ଭିତରେ ୫୦ ହଜାର ଟନ୍ ହରଡ଼ ଡାଲି ଆମଦାନୀ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.