ଆମେରିକାର ଦେଶ ଛାଡ଼ି ଚାଲିଆସିବା ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କଲେ ୟୁକ୍ରେନ୍‌ ରାଷ୍ଟ୍ରପତି; କହିଲେ-ମୋତେ ଗୁଳିବାରୁଦ ଦରକାର, ପରାମର୍ଶ ନୁହେଁ

ଆମେରିକାର ଦେଶ ଛାଡ଼ିବା ପ୍ରସ୍ତାବକୁ ଅଗ୍ରାହ୍ୟ କରିଛନ୍ତି ୟୁକ୍ରେନ୍‌ର ରାଷ୍ଟ୍ରପତି ଭୋଲୋଦିମିର ଜେଲେନ୍‌ସ୍କି। ଜେଲେନ୍‌ସ୍କି କହିଛନ୍ତି, ସେ ଜୀବନ ବଞ୍ଚାଇ ଲୁଚି ପଳାଇବାକୁ ବାହନ ଚାହୁଁନାହାନ୍ତି। ସେ ଯୁଦ୍ଧ କରିବାକୁ ଗୁଳି ବାରୁଦ ଚାହୁଁଛନ୍ତି। ଜେଲେନ୍‌ସ୍କି ରୁଷର ଆକ୍ରମଣରୁ ନିଜ ଦେଶକୁ ବଞ୍ଚାଇବା ପାଇଁ ଲଢ଼ିବାକୁ ଶପଥ ନେଇଛନ୍ତି। ଏଣୁ ସେ କାପୁରୁଷ ଭଳି ଲୁଚିବାକୁ ଚାହୁଁନଥିବା କହିଛନ୍ତି।

ଜେଲେନ୍‌ସ୍କି ୟୁକ୍ରେନ୍‌ର ଲୋକଙ୍କୁ କହିଛନ୍ତି, ରାଜଧାନୀ କିଭ୍‌ ଏବେ ବି ତାଙ୍କ ନିୟନ୍ତ୍ରଣରେ ରହିଛି ଓ ଦେଶର ସୈନ୍ୟବାହିନୀ ସଫଳତାପୂର୍ବକ ଶତ୍ରୁ ସେନାକୁ ଜବାବ ଦେଉଛନ୍ତି।

ବ୍ରିଟେନ୍‌ ସ୍ଥିତ ୟୁକ୍ରେନ୍‌ ଦୂତାବାସର ସୂଚନା ଅନୁସାରେ, ଜେଲେନ୍‌ସ୍କି ଆମେରିକାକୁ କହିଛନ୍ତି- ଯୁଦ୍ଧ ଏଠି ହେଉଛି; ମୋତେ ଗୋଳାବାରୁଦ ଦରକାର, ପରାମର୍ଶ ନୁହେଁ।
ଦୂତାବାସ ପକ୍ଷରୁ କୁହାଯାଇଛି ଯେ ଆମକୁ ଆମ ରାଷ୍ଟ୍ରପତିଙ୍କ ପାଇଁ ଗର୍ବ ଅନୁଭବ ହେଉଛି।


ସୂଚନାଯୋଗ୍ୟ ଯେ ଶନିବାର ଦିନ ଜେଲେନ୍‌ସ୍କି ଏକ ଭିଡିଓ ଜାରି କରି କହିଥିଲେ, ଗୁଜବ ଉପରେ ଧ୍ୟାନ ଦିଅନ୍ତୁ ନାହିଁ। ମୁଁ ଏଠାରେ ହିଁ ଅଛି। ଆମେ ଅସ୍ତ୍ର ଛାଡ଼ିବୁ ନାହିଁ। ଆମେ ଦେଶକୁ ରକ୍ଷା କରିବୁ। କାରଣ ସତ୍ୟ ହିଁ ଆମ ଅସ୍ତ୍ର ଓ ଏହା ସତ ଯେ ୟୁକ୍ରେନ୍‌ ଆମ ମାଟି। ଆମ ଦେଶ, ଆମ ପିଲା ଆମେ ସମସ୍ତଙ୍କୁ ରକ୍ଷା କରିବୁ। ଜେଲେନ୍‌ସ୍କି କହିଥିଲେ- ମୁଁ କେବଳ ଏତିକି କହିବାକୁ ଚାହୁଁଛି- ୟୁକ୍ରେନ୍‌ର ଜୟ ହେଉ।

ପ୍ରକାଶ ଯେ ଆମେରିକାର ବୈଦେଶିକ ମନ୍ତ୍ରାଳୟର ପ୍ରବକ୍ତା ଗୁରୁବାର କହିଥିଲେ ଯେ ରୁଷର ପ୍ରଥମ ଟାର୍ଗେଟ୍‌ ହେଉଛନ୍ତି ଜେଲେନ୍‌ସ୍କି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.