ଏହି ସ୍ଥାନରେ ଚାଷ କରିଥିଲେ ମହାଦେବ, ଜାଣନ୍ତୁ ଓଡ଼ିଶାର ବାଲେଶ୍ବର ଜିଲ୍ଲାରେ ଥିବା ଲଙ୍ଗଳେଶ୍ବର ଶୈବପୀଠର ମହିମା

ଜଳେଶ୍ୱର (କେନ୍ୟୁଜ) : ଓଡିଶାର ଅନ୍ଯ ସମସ୍ତ ପ୍ରାଚୀନ ଶୈବପୀଠ ମାନଙ୍କ ମଧ୍ଯରୁ ବାଲେଶ୍ବର ଜିଲ୍ଲା ଅନ୍ତର୍ଗତ ଲଙ୍ଗଳେଶ୍ବର ଶୈବପୀଠ ଅନ୍ଯତମ। ଯେଉଁଠାରେ ଉଭୟ ମହାଦେବ ଏବଂ ପାର୍ବତୀ ଏକା ସାଙ୍ଗରେ ପୂଜା ପାଉଛନ୍ତି । ଏହି ପାଚୀନ ଶୈବପୀଠର ଅନେକ ପୌରାଣିକ କିମ୍ବଦନ୍ତୀ ରହିଥିବା ବେଳେ ଏହାର ମାହାତ୍ମ୍ଯ ମଧ୍ଯ ସ୍ବତନ୍ତ୍ର ରହିଛି। ନିଜର ମନସ୍କାମାନା ପୂରଣ କରିବା ପାଇଁ ଏଠାକୁ ଓଡିଶା ସମେତ ବାହାର ରାଜ୍ଯରୁ ମଧ୍ଯ ଶ୍ରଦ୍ଧାଳୁ ମାନେ ଛୁଟି ଆସିଥାନ୍ତି। ଏହି ପ୍ରାଚୀନ ଶୈବପୀଠଟି ଓଡିଶା ପର୍ଯ୍ଯଟନ ମାନଚିତ୍ର ରେ ସ୍ଥାନ ପାଇଥିଲେ ମଧ୍ଯ ଏ ପର୍ଯ୍ଯନ୍ତ ଆଖିଦୃଶିଆ ବିକାଶ ହୋଇନାହିଁ। ଏଠାକୁ ଆସୁଥିବା ଶ୍ରଦ୍ଧାଳୁ ଏବଂ ପର୍ଯ୍ଯଟକ ମାନଙ୍କ ପାଇଁ ଆନୁସଙ୍ଗିକ ସୁବିଧାସୁଯୋଗ ନଥିବାରୁ ଶ୍ରଦ୍ଧାଳୁ ଏବଂ ପର୍ଯ୍ଯଟକ ମାନେ ଏଠାରୁ ମୁହଁ ଫେରାଇ ଦଉଛନ୍ତି। ଏହି ପ୍ରାଚୀନ ଶୈବପୀଠର ବିକାଶ ଏବଂ ସୌନ୍ଦର୍ଯୀକରଣ କରାଗଲେ ବାଲିଆପାଳ ବ୍ଲକ ସମେତ ସମଗ୍ର ଜିଲ୍ଲାର ଅର୍ଥନୈତିକ ଓ ସାମାଜିକ କ୍ଷେତ୍ରରେ ପ୍ରଗତି ସମ୍ଭାବନା ଥିବା ବେଳେ ଏଦିଗରେ ସରକାର ଗୁରୁତ୍ବ ନଦେବା ଯୋଗୁଁ ସ୍ଥାନୀୟ ବାସିନ୍ଦା ଏବଂ ଶ୍ରଦ୍ଧାଳୁଙ୍କ ମହଲରେ ଅସନ୍ତୋଷ ଦେଖାଦେଇଛି।

ଓଡିଶାର ସୀମାନ୍ତବର୍ତୀ ଜିଲ୍ଲା ହେଉଛି ବାଲେଶ୍ବର ଜିଲ୍ଲା। ଏହି ଜିଲ୍ଲା ରେ ମୋଟ ୨୨ଟି ପର୍ଯ୍ଯଟନସ୍ଥଳୀ ରହିଥିବା ବେଳେ ବାଲିଆପାଳ ବ୍ଲକ ରେ ଥିବା ଲଙ୍ଗଳେଶ୍ବର ଶୈବପୀଠ ଅନ୍ଯତମ। ଜିଲ୍ଲା ସଦର ମହକୁମା ଠାରୁ ୫୦ କିମି ଏବଂ ବାଲିଆପାଳ ବ୍ଲକ ମୁଖ୍ଯାଳୟ ଠାରୁ ମାତ୍ର ୧୦ କିଲୋମିଟର ଦୂରରେ ଏହି ପ୍ରାଚୀନ ଶୈବପୀଠ ଅବସ୍ଥିତ। ଏହି ପ୍ରାଚୀନ ଶୈବପୀଠର ମାହାତ୍ମ୍ଯ ରହିଛି ସ୍ବତନ୍ତ୍ର। ଏଠାରେ ଥିବା ମହାଦେବଙ୍କ ମନ୍ଦିର ସମ୍ମୁଖ ଭାଗରେ ମାତା ପାର୍ବତୀଙ୍କ ମନ୍ଦିର ବିଦ୍ଯମାନ। ମହାଦେବଙ୍କ ଶକ୍ତି ଏଠାରେ ସ୍ପଷ୍ଟ ବାରି ହୋଇ ପଡୁଥିବା ବେଳେ ଜ୍ଯୋତିର୍ଲିଙ୍ଗ ଭୂତଳଗାମୀ ହୋଇଯାଇଛି। ମହାଦେବଙ୍କ କୃପା କରୁଣାରୁ ଏଠାକୁ ଆସୁଥିବା ସମସ୍ତ ଶ୍ରଦ୍ଧାଳୁ ମାନଙ୍କର ମନସ୍କାମନା ପୂର୍ଣ୍ଣ ହୋଇଥାଏ। କୌଣସି ବ୍ଯାଧିଗ୍ରସ୍ତ ଲୋକ ଯଦି ଲଙ୍ଗଳେଶ୍ବର ମହାଦେବଙ୍କ ଠାରେ ଅଧିଆ ପଡିବା ସହ ମହାଦେବଙ୍କ ପାଦୁକା ସେବନ କରନ୍ତି ତାହାଲେ ରୋଗରୁ ମୁକ୍ତି ମିଳିଥାଏ । ସେଥିପାଇଁ ଏଠାରେ ବର୍ଷ ତମାମ ଶ୍ରଦ୍ଧାଳୁ ଏବଂ ପର୍ଯ୍ଯଟକ ମାନଙ୍କର ଗହଳି ଲାଗି ରହିଥାଏ। ପ୍ରାକୃତିକ ପରିବେଶ ଭିତରେ ଥିବା ଏହି ପ୍ରାଚୀନ ଶୈବପୀଠର ସୌନ୍ଦର୍ଯ୍ଯ ଅତ୍ଯନ୍ତ ମନ ମୁଗ୍ଧକର।

temple 2

ଏହି ମନ୍ଦିର କିଏ ଏବଂ କେବେ ନିର୍ମାଣ କରିଥିଲେ ତାର କୌଣସି ନିର୍ଦ୍ଦିଷ୍ଟ ପ୍ରମାଣ ନଥିଲେ ବି ପ୍ରାୟ ସାତଶହ ବର୍ଷ ପୂର୍ବରୁ ଏଠାରେ ମହାଦେବ ପୂଜା ପାଇ ଆସୁଛନ୍ତି ବୋଲି ସ୍ଥାନୀୟ ଲୋକ କହିଛନ୍ତି। ପୌରାଣିକ କିମ୍ବଦନ୍ତୀ ଅନୁସାରେ ସ୍ବୟଂ କୈଳାଶଧିପତୀ ମହାଦେବ ମାତା ପାର୍ବତୀଙ୍କ ସହିତ ଏହି ଠାରେ ଆବିର୍ଭୂତ ହୋଇଥିଲେ। ଆବିର୍ଭାବ ହେଲାପରେ ସ୍ବୟଂ ମହାଦେବ ଲଙ୍ଗଳ ଧରି ନିକଟରେ ଥିବା ଷୋଳସା ପାଣ୍ଠକୁ ହଳ କରି ଚାଷ କରିଥିଲେ। ଏହାପରେ ଲଙ୍ଗଳ ରଖି ଏହି ସ୍ଥାନରେ ବିଶ୍ରାମ ନେଇଥିଲେ। ସେଥିପାଇଁ ଏହି ସ୍ଥାନର ନାମ ଲଙ୍ଗଳେଶ୍ବର ନାମରେ ନାମିତ ହୋଇଛି। କବି ବର ରାଧାନାଥ ରାୟ ତାଙ୍କର ଉଷା ଏବଂ ନନ୍ଦିକେଶ୍ବରୀ କାବ୍ଯରେ ଲଙ୍ଗଳେଶ୍ବର ମହାଦେବଙ୍କ ମାହାତ୍ମ୍ଯ ବର୍ଣ୍ଣନା କରିଛନ୍ତି। ମନ୍ଦିର ନିକଟରେ ଥିବା ନଦୀରେ ମାତା ପାର୍ବତୀ କେଉଟୁଣୀ ରୂପ ଧାରଣ କରି ନୌକା ସାହାଯ୍ଯ ରେ ନଦୀ ପାର ହୋଇଥିବାରୁ ଏହି ନଦୀର ନାମ କେଉଁ କାଳରୁ ପାର୍ବତୀ ନଦୀ ନାମରେ ନାମିତ ହୋଇ ରହିଛି। ମହାଦେବଙ୍କୁ ଲଙ୍ଗଳରେ ସାହାଯ୍ଯ କରିଥିବା ଦୁଇ ବଳଦ ପବନା ଏବଂ ବାସୁଆଙ୍କ ମଧ୍ଯରୁ ବାସୁଆ ବଳଦ ମନ୍ଦିର ସାମ୍ନାରେ ଜଗି ବସିଛି। ଲଙ୍ଗଳେଶ୍ବର ମହାଦେବଙ୍କ କୃପାରୁ ଏଠାକୁ ଆସୁଥିବା ସମସ୍ତ ଭକ୍ତଙ୍କ ମନସ୍କାମନା ପୂରଣ ହୋଇ ଥାଏ । ସେଥିପାଇଁ ଏହି ଶୈବପୀଠରେ ବର୍ଷ ତମାମ ଶ୍ରଦ୍ଧାଳୁ ମାନଙ୍କର ଭିଡ ଲାଗି ରହିଥାଏ । ମାତ୍ର ଶ୍ରଦ୍ଧାଳୁ ଏବଂ ପର୍ଯ୍ଯଟକ ମାନଙ୍କ ପାଇଁ ଏଠାରେ ଆନୁସଙ୍ଗିକ ସୁବିଧାସୁଯୋଗ ନଥିବାରୁ ନାନା ଅସୁବିଧାରେ ସମ୍ମୁଖୀନ ହୋଇ ଥାନ୍ତି।

temple

ତେବେ ଏହି ପ୍ରାଚୀନ ଶୈବପୀଠଟି ଓଡିଶା ପର୍ଯ୍ଯଟନ ମାନଚିତ୍ର ରେ ସ୍ଥାନ ପାଇଥିବାରୁ ପଡୋଶୀ ପଶ୍ଚିମବଗଂ ଏବଂ ଝାଡଖଣ୍ତରୁ ମଧ୍ଯ ଅନେକ ଶ୍ରଦ୍ଧାଳୁ ଏଠାକୁ ଲଙ୍ଗଳେଶ୍ବର ବାବାଙ୍କ ଦର୍ଶନ ପାଇଁ ଆସିଥାନ୍ତି। ମନ୍ଦିରରେ ଶିବରାତ୍ରୀ ,ଚଡକମେଳା , ଦୂର୍ଗାପୂଜା , ବାସନ୍ତୀ ପୂଜା ଆଦି ପର୍ବପର୍ବାଣୀ ବେଶ ଧୂମଧାମ ରେ ପାଳନ କରାଯାଏ। ପ୍ରତି ବର୍ଷ ଜାଗର ରାତ୍ରୀରେ ଲଙ୍ଗଳେଶ୍ବର ମହାଦେବଙ୍କ ନିକଟରେ ଦ୍ବୀପ ଜାଳିବା ପାଇଁ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥାଏ। ଏହି ପୀଠରେ ଉଜାଗର ରହି ଦ୍ବୀପ ଜାଳିଲେ ବାବା ଲଙ୍ଗଳେଶ୍ବର ମହାଦେବ ଭକ୍ତ ମାନଙ୍କର ସମସ୍ତ ମନସ୍କାମନା ପୂରଣ କରନ୍ତି। ପୀଠରେ ଶିବରାତ୍ରୀ ଦିନ ଠାରୁ ୧୫ ଦିନ ପର୍ଯ୍ଯନ୍ତ ଜାଗର ମେଳା ଅନୁଷ୍ଠିତ ହୋଇଥାଏ। ଏହି ମେଳାରେ ଓଡିଶା ସମେତ ରାଜ୍ଯ ବାହାରୁ ମଧ୍ଯ ଶହ ଶହ ଦୋକାନୀ ଆସି ବ୍ଯବସାୟ କରିଥାନ୍ତି। ମେଳା କୁ ଉପଭୋଗ କରିବା ପାଇଁ ପ୍ରତିଦିନ ଓଡିଶା ସମେତ ଓଡିଶା ବାହାରୁ ମଧ୍ଯ ହଜାର ହଜାର ଲୋକେ ଛୁଟି ଆସିଥାନ୍ତି। ମାତ୍ର ଏଠାରେ ଶ୍ରଦ୍ଧାଳୁ ମାନଙ୍କ ପାଇଁ ଅତ୍ୟାବଶକୀୟ ପିଇବା ପାଣି , ଶୌଚାଳୟ ଏବଂ ରାତ୍ରୀଜାପନ ପାଇଁ କୌଣସି ବ୍ଯବସ୍ଥା ନଥିବାରୁ ଶ୍ରଦ୍ଧାଳୁ ମାନେ ଏଠାକୁ ଆସି ନାନା ଅସୁବିଧାରେ ସମ୍ମୁଖୀନ ହୋଇଥାନ୍ତି । ମନ୍ଦିରର ରକ୍ଷାଣାବେକ୍ଷଣ ଠାରୁ ଆରମ୍ଭ କରି ଏହାର ଚତୁର୍ପାଶ୍ବରେ ପାଚେରୀ ନଥିବାରୁ ପରିବେଶ ସମ୍ପୂର୍ଣ୍ଣ ଅସ୍ବଚ୍ଛ ହୋଇପଡିଛି। ମନ୍ଦିର ପରିସର ମାଳମାଳ ବୁଲାଷଣ୍ଢ , ଗାଇଗୋରୁ ଓ କୁକୁର ଆଦି ପଶୁଙ୍କର ଚରା ଭୂଇଁ ପାଲଟିଛି। ତେବେ ପର୍ଯ୍ଯଟନ କ୍ଷେତ୍ରରେ ଏହି ପ୍ରାଚୀନ ଶୈବପୀଠ ର ସର୍ବାଙ୍ଗୀନ ଉନ୍ନତି ପାଇଁ ସରକାରୀ ସ୍ତରରେ ପଦକ୍ଷେପ ନେବାକୁ ବୁଦ୍ଧିଜିବୀ ମହଲରେ ଦାବି ହେଉଛି।

ଜଳେଶ୍ବରରୁ ରାଧାଗୋବିନ୍ଦ ଦାସଙ୍କ ରିପୋର୍ଟ, (କେନ୍ୟୁଜ ଓଡିଶା)

 

Also Read : ଫାଲଗୁନ ଅମାବାସ୍ୟା କ’ଣ, ଜାଣନ୍ତୁ ଏହାର ମହତ୍ତ୍ୱ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.