ହଳଦୀ କିଲୋ ୩,୮୫୩ ଟଙ୍କା! ବ୍ରେଡ୍‌ ବି ଏତେ ମହଙ୍ଗା…ଶ୍ରୀଲଙ୍କା ସରକାରଙ୍କ ବିରୋଧରେ ଅବିଶ୍ୱାସ ପ୍ରସ୍ତାବ ଆଣିବାକୁ ଚାଲିଛି ପ୍ରସ୍ତୁତି

ଶ୍ରୀଲଙ୍କାରେ ଘୋର ଆର୍ଥିକ ସଙ୍କଟ। ଏହାରି ଭିତରେ ବିରୋଧ ପ୍ରଦର୍ଶନ ବି ଦିନକୁ ଦିନ ଉଗ୍ର ହେବାରେ ଲାଗିଛି। ପ୍ରଦର୍ଶନର ସବୁଠାରୁ ବଡ଼ ପଏଣ୍ଟ ସାଜିଛି ରାଜଧାନୀ କଲମ୍ବୋ। ଦେଶରେ ପେଟ୍ରୋଲ-ଡିଜେଲଠୁ ଆରମ୍ଭ କରି ଖାଦ୍ୟପେୟର ଦରଦାମ୍‌ ବୃଦ୍ଧି ଏବଂ ଅଭାବ ଅନଟନ ଯୋଗୁ ଲୋକେ ହାତରେ ପତାକା, ବ୍ୟାନର, ପୋଷ୍ଟର ଆଦି ଧରି ରାଜରାସ୍ତାକୁ ଓହ୍ଲାଇଛନ୍ତି। କହି ରଖୁଛୁ, ଶ୍ରୀଲଙ୍କାରେ ପେଟ୍ରୋଲ ଦର ବର୍ଷେ ଭିତରେ ୮୫ ପ୍ରତିଶତ ବଢ଼ିଛି। ଡିଜେଲ ୬୯ ପ୍ରତିଶତ ମହଙ୍ଗା ହୋଇଛି। ସେହିପରି ରୋଷେଇ ଗ୍ୟାସ୍‌ ସିଲିଣ୍ଡର ଦାମ୍‌ ମଧ୍ୟ ୮୪ ପ୍ରତିଶତ ବଢ଼ିଛି।

ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଦେଶରେ ୧ କିଲୋ ହଳଦୀର ମୂଲ୍ୟ ୩,୮୫୩ ଟଙ୍କା ହୋଇଯାଇଛି, ଯେଉଁଥିରେ ୪୪୩ ପ୍ରତିଶତ ବୃଦ୍ଧି ଘଟିଛି। ଏତିକି ନୁହେଁ, ୧ କିଲୋ ବ୍ରେଡ୍‌ ୩,୫୮୩ ଟଙ୍କାରେ ମିଳୁଛି, ଯାହାର ଦାମ୍‌ ବି ୪୪୩ ପ୍ରତିଶତ ବଢ଼ିଛି। ଚାଉଳ ଦାମ୍‌ରେ ୯୩ ପ୍ରତିଶତ ବୃଦ୍ଧି ଘଟିଥିବା ବେଳେ ମସୁର ଡାଲି ଦାମ୍‌ରେ ୧୧୭ ପ୍ରତିଶତ ବୃଦ୍ଧି ଘଟିଛି।

ଖାଦ୍ୟ ଜିନିଷର ଏହି ସବୁ ବର୍ଦ୍ଧିତ ମୂଲ୍ୟ ଜଣାଇ ଦେଉଛି ଯେ ବର୍ତ୍ତମାନ ଶ୍ରୀଲଙ୍କାରେ କିଭଳି ରହିଛି ସ୍ଥିତି। ଏଠି ଇନ୍ଧନର ମଧ୍ୟ ଘୋର ଅଭାବ ଦେଖା ଦେଇଛି, ଯାହାକୁ ଦୂର କରିବା ପାଇଁ ଭାରତ ବଡ଼ ଭୂମିକା ଗ୍ରହଣ କରିଛି। ବିଗତ ଦିନରେ ଭାରତ ୪୦ ହଜାର ମେଟ୍ରିକ ଟନ ଡିଜେଲ ସହିତ ୩୬ ହଜାର ମେଟ୍ରିକ ଟନ ପେଟ୍ରୋଲ କ୍ରେଡିଟ୍‌ ଲାଇନ ରୂପେ ଶ୍ରୀଲଙ୍କାରେ ପହଞ୍ଚାଇଛି।

ତେବେ ଶ୍ରୀଲଙ୍କାରେ ଏଭଳି ଅବସ୍ଥା ଦେଖି ସରକାରଙ୍କ ବିରୋଧରେ ଅବିଶ୍ୱାସ ପ୍ରସ୍ତାବ ଆଣିବାକୁ ପ୍ରସ୍ତୁତି ଚାଲିଛି। ଦେଶର ମୁଖ୍ୟ ବିରୋଧୀ ଦଳ ଏସ୍‌ଜେବି ସରକାରଙ୍କ ବିରୋଧରେ ଅବିଶ୍ୱାସ ପ୍ରସ୍ତାବ ଆଣିବାକୁ ଘୋଷଣା କରି ଦେଇଛି। ଖବର ମୁତାବକ, ଏସ୍‌ଜେବି ଏଥିପାଇଁ ସଂସଦରୁ ହସ୍ତାକ୍ଷର ସଂଗ୍ରହ ମଧ୍ୟ ଆରମ୍ଭ କରି ଦେଇଛି। ଦେଶର ଫରେନ୍‌ ରିଜର୍ଭ ଗ୍ରାଫ୍‌ ବହୁତ ତଳକୁ ଖସି ଆସିଛି, ଯାହାର ପରିଣାମ ସ୍ୱରୂପ ଜରୁରୀ ଜିନିଷପତ୍ରର ଦାମ୍‌ ଆକାଶଛୁଅାଁ ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.