Below header

ଟଳିଲା ବଡ଼ ବିପଦ: ବର୍ଷାରେ ଧସିଥିବା ରେଳଧାରଣାରେ ଆସିଗଲା ଟ୍ରେନ୍, ଲାଲ୍ କପଡ଼ା ଦେଖାଇ ଅଟକାଇଲେ ଲୋକେ

ହରିୟାଣାର ରେୱାଡି ଜିଲାରେ ବୁଧବାର ରାତିସାରା ହୋଇଥିବା ପ୍ରବଳ ବର୍ଷାରେ ବିଭିନ୍ନ ଅଞ୍ଚଳ ପ୍ରଭାବିତ ହୋଇଛି। ଗୋବିନ୍ଦପୁର ଗାଁ ନିକଟ ରେଲୱେ ନାରନୌଲ ରେଳପଥରେ ବର୍ଷାପାଣି ପ୍ରବାହିତ ହେବା ଫଳରେ ଟ୍ରାକ୍ ତଳ ମାଟି ଧସିପଡ଼ିଥିଲା। ମାଟି ଧସିଯିବାରୁ ବଡ଼ ବଡ଼ ପଥର ସବୁ ଦେଖାଯାଇଥିଲା। ସକାଳେ ଗ୍ରାମବାସୀ ଏହା ଦେଖି ସଙ୍ଗେ ସଙ୍ଗେ ରେଲୱେ ଅଧିକାରୀ ଏବଂ ପୋଲିସକୁ ଖବର ଦେଇଥିଲେ।

ଏହି ସମୟରେ ମହେନ୍ଦ୍ରଗଡ଼ ଆଡ଼ୁ ଏକ ପାସେଞ୍ଜର ଟ୍ରେନ ଆସୁଥିବାର ଦେଖି ଗାଁର ଜଣେ ଯୁବକ ଲାଲ୍ କପଡ଼ା ଦେଖାଇ ଟ୍ରେନ ଅଟକାଇଥିଲେ। ଫଳରେ ଏକ ବଡ଼ ବିପଦ ଟଳିଯାଇଥିଲା। ବର୍ଷାରେ ରେଳଧାରଣା ପ୍ରଭାବିତ ହେବା ଫଳରେ ପାଖାପାଖି ୧୨ଟି ଟ୍ରେନର ଚଳାଚଳ ବାଧାପ୍ରାପ୍ତ ହୋଇଥିଲା।

ଏହାସହ ପଢ଼ନ୍ତୁ: ଆସୁଛି ନୂଆ ଟେକ୍ନୋଲଜି, ସ୍ମାର୍ଟଫୋନରେ ନିୟନ୍ତ୍ରଣ ହେବ ଆପଣଙ୍କ ମସ୍ତିଷ୍କ

ଖବର ପାଇ ରେଲୱେ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ। ପାଖାପାଖି ଅଧ ଘଣ୍ଟା ପରେ ଟ୍ରେନ୍ ଚଳାଚଳ ସ୍ବାଭାବିକ ହୋଇଥିଲା। ତେବେ ଗ୍ରାମବାସୀଙ୍କ କହିବାନୁଯାୟୀ, ରେଳଧାରଣା ତଳୁ ଗୋବିନ୍ଦପୁର ଗାଁ ପାଇଁ ଏକ ଅଣ୍ଡରପାସ୍ ନିର୍ମାଣ କରାଯାଉଛି। କିନ୍ତୁ କାମ ଅତି ଧିମା ଗତିରେ ଚାଲିଛି। ଅଧା ଅଣ୍ଡରପାସ୍ କାମ କଞ୍ଚା ହେବା କାରଣରୁ ବର୍ଷାପାଣି ସେଥିରେ ଚାଲିଆସିଥିଲା ଏବଂ ରେଳଧାରଣାରୁ ମାଟି ଧସିପଡ଼ିଥିଲା। ଅନ୍ୟପକ୍ଷରେ ପ୍ରବଳ ବର୍ଷାରେ ନିର୍ମାଣାଧୀନ ଥିବା ଏକ ଘରର କଂକ୍ରିଟ ଖସିପଡ଼ିଥିଲା। ଏଥିରେ ଜଣେ ଦମ୍ପତି ସମେତ ୫ଜଣ ଆହତ ହୋଇଛନ୍ତି। ସମସ୍ତଙ୍କୁ ଟ୍ରମା ସେଣ୍ଟରରେ ଭର୍ତ୍ତି କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.