Below header

୫ ଲକ୍ଷ ଟଙ୍କାର ଡିଲ୍‌! ଅବୈଧ ସମ୍ପର୍କକୁ ବିରୋଧ କରୁଥିଲା ବୋଲି…ଘରେ ପଶି ସ୍ତ୍ରୀକୁ ନିର୍ମମ ଭାବେ ହତ୍ୟା କଲେ ସ୍ୱାମୀର ସହଯୋଗୀ

ଦିଲ୍ଲୀର ମାଲବୀୟ ନଗର ଥାନା ଅଧୀନ ଶେଖ ସରାୟ ଅଞ୍ଚଳରେ ୩୩ ବର୍ଷୀୟା ଜଣେ ମହିଳାଙ୍କ ହତ୍ୟା ମାମଲାରେ ପୋଲିସ ତାଙ୍କ ସ୍ୱାମୀଙ୍କ ସମେତ ୩ ଜଣଙ୍କୁ ଗିରଫ କରିଛି। ତଦନ୍ତରୁ ଜଣାପଡ଼ିଛି କି, ସ୍ୱାମୀଙ୍କ ନିର୍ଦ୍ଦେଶରେ ହିଁ ମହିଳାଙ୍କୁ ହତ୍ୟା କରାଯାଇଛି। ଏଥିପାଇଁ ୫ ଲକ୍ଷ ଟଙ୍କାର ସୁପାରୀ ଦିଆଯାଇଥିଲା। ଅଭିଯୁକ୍ତ ସ୍ୱାମୀର ଅନ୍ୟ ଜଣେ ମହିଳାଙ୍କ ସହିତ ଅବୈଧ ସମ୍ପର୍କ ଥିଲା, ଯାହାକୁ ସ୍ତ୍ରୀ ବିରୋଧ କରି ଆସୁଥିଲା। ଏଥିଯୋଗୁ ସ୍ୱାମୀ ଜଣକ ସୁପାରୀ ଦେଇ ସ୍ତ୍ରୀକୁ ହତ୍ୟା କରିବାକୁ ଷଡ଼ଯନ୍ତ୍ର ରଚିଥିଲା। ଏହି ମାମଲାରେ ଜଣେ ଅଭିଯୁକ୍ତ ଫେରାର ଥିବାରୁ ପୋଲିସ ତାଙ୍କୁ ଧରିବା ପାଇଁ ଖୋଜାଖୋଜି ଜାରି ରଖିଛି।

ସାଉଥ୍‌ ଦିଲ୍ଲୀର ଡିସିପି ବେନିତା ମେରୀ ଜୟକର କହିଛନ୍ତି, ଗିରଫ ଅଭିଯୁକ୍ତମାନେ ହେଉଛନ୍ତି ନବୀନ କୁମାର ଗୁଲିୟା, ରାହୁଲ ଓ ସୋନୁ। ଏମାନଙ୍କ ଭିତରୁ ମୁଖ୍ୟ ଅଭିଯୁକ୍ତ ହେଲେ ୩୬ ବର୍ଷୀୟ ନବୀନ କୁମାର, ଯିଏକି ମୃତା ମହିଳାଙ୍କ ସ୍ୱାମୀ। ନବୀନ ଏଠାରେ କେବୁଲ ଅପରେଟର ଭାବେ କାମ କରୁଛନ୍ତି। ତାଙ୍କ ବିରୋଧରେ ପୂର୍ବରୁ ବି ଏକ ମାମଲା ରହିଛି। ୨୨ ବର୍ଷୀୟ ରାହୁଲ ପେସାରେ ଡ୍ରାଇଭର ଥିବା ବେଳେ ୧୯ ବର୍ଷୀୟ ସୋନୁ ବାଇକ୍‌ ମେକାନିକ ଭାବେ କାମ କରୁଛନ୍ତି। ପୋଲିସ ନବୀନଙ୍କ ସ୍କୁଟର ଜବତ କରି ତାଙ୍କ ପାଖରୁ ୫୦ ହଜାର ଟଙ୍କା ମଧ୍ୟ ଜବତ କରି ନେଇଛି, ଯାହାକୁ ସେ ସୁପାରୀ କିଲରକୁ ଦେଇ ଥାଆନ୍ତେ। ଏଥି ସହିତ ଏକ କିପ୍ୟାଡ୍‌ ମୋବାଇଲ ଫୋନ ଏବଂ ହତ୍ୟାରେ ବ୍ୟବହୃତ ଛୁରିକୁ ମଧ୍ୟ ପୋଲିସ ଜବତ କରିଛି।

ପୋଲିସ ମୁତାବକ, ପାଖାପାଖି ଦେଢ଼ ବର୍ଷ ହେବ ନବୀନ ଜଣେ ମହିଳାଙ୍କ ସହିତ ସମ୍ପର୍କ ରଖିଥିଲେ। ୪ ମାସ ତଳେ ଏ ବିଷୟରେ କୌଣସି ମତେ ସ୍ତ୍ରୀଙ୍କୁ ସୂଚନା ମିଳି ଯାଇଥିଲା। ଏହା ଜାଣିବା ପରେ ସ୍ତ୍ରୀ ଏହାକୁ ବିରୋଧ କରିଥିଲେ, ଯେଉଁ କାରଣରୁ ସେ ଅନେକ ବାର ସ୍ୱାମୀଙ୍କୁ ଭିଡିଓ କଲ କରି ତାଙ୍କ ଲୋକେଶନର ପତ୍ତା ଲଗାଉଥିଲେ। ପୋଲିସ ସୂଚନା ଅନୁଯାୟୀ, ପଚରାଉଚରା ବେଳେ ନବୀନ କହିଥିଲେ କି, ସ୍ତ୍ରୀଙ୍କର ଏଭଳି ହରକତ ଯୋଗୁ ସେ ଏବଂ ତାଙ୍କ ମହିଳା ବନ୍ଧୁ ବିରକ୍ତ ହୋଇ ଯାଇଥିଲେ। ସ୍ତ୍ରୀଙ୍କୁ ପିଛା ଛଡ଼ାଇବା ପାଇଁ ସେ ନିଜ ପରିଚିତ ଲୋକଙ୍କ ସହଯୋଗ ଲୋଡ଼ି ତାଙ୍କୁ ହତ୍ୟା କରିଥିଲେ।

ଛୁରିରେ ୧୬/୧୭ ଥର ଭୁସି ମହିଳାଙ୍କୁ ହତ୍ୟା କରାଯାଇଥିଲା। ହତ୍ୟା କରି ସୁପାରୀ କିଲର ଘର ବାହାରକୁ ବାହାରୁଥିବା ବେଳେ ତାହା ସିସିଟିଭି କ୍ୟାମେରାରେ କଏଦ ହୋଇ ଯାଇଥିଲା। ପୋଲିସ ସିସିଟିଭି ଫୁଟେଜ ଆଧାରାରେ ମହିଳାଙ୍କ ସ୍ୱାମୀଙ୍କ ସମେତ ୩ ଜଣଙ୍କୁ ଧରିବାରେ ସକ୍ଷମ ହୋଇଥିଲା। ତେବେ ଏହି ଘଟଣାକୁ ପୂରା ଯୋଜନାବଦ୍ଧ ଭାବେ କରାଯାଇଥିଲା, ଯେପରି ପୋଲିସକୁ ସାମାନ୍ୟ ସନ୍ଦେହ ନ ହେବ। ପୂର୍ବ ଯୋଜନା ମୁତାବକ, ସୁପାରୀ କିଲର ହତ୍ୟା କରିବା ପରେ ନବୀନଙ୍କୁ ସୂଚନା ଦେଇଥିଲେ। ଏହାପରେ ନବୀନ ଘଟଣାସ୍ଥଳରେ ପହଞ୍ଚି ସ୍ତ୍ରୀଙ୍କୁ ହସ୍ପିଟାଲ ନେଇ ଯାଇଥିଲେ। ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଏ ସମସ୍ତ କଥା ଅଭିଯୁକ୍ତ ସ୍ୱୀକାର କରିଥିବା ପୋଲିସ କହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.