ତାଲିବାନ ଭୟ: ଆମେରିକୀୟ ବାୟୁସେନା ବିମାନରୁ ଖସି ୩ ଆଫ୍‌ଗାନିସ୍ତାନୀ ମୃତ, ଦେଶ ଛାଡ଼ିବା ପାଇଁ ଟାୟର ଉପରେ ବସି କରୁଥିଲେ ଯାତ୍ରା

ଆଫ୍‌ଗାନିସ୍ତାନରେ ତାଲିବାନୀ ଯୁଗ ଆରମ୍ଭ ହେବା ପରଠୁ ହିଁ ସେଠାକାର ସ୍ଥିତି ଭୟାବହ ରହିଛି। ଲୋକେ କୌଣସି ଜିନିଷପତ୍ର ନ ନେଇ ଦେଶ ଛାଡ଼ି ପଳାଉଛନ୍ତି। କାବୁଲ ଏୟାରପୋର୍ଟରେ ବି ଅସମ୍ଭାଳ ଭିଡ଼ ଲାଗି ରହିଛି, ଯାହାକୁ କାବୁ କରିବା ପାଇଁ କମର୍ଶିଆଲ ଫ୍ଲାଇଟ୍‌ସକୁ ବନ୍ଦ କରିବାକୁ ଘୋଷଣା କରାଯାଇଛି। ଏହାପରେ ଲୋକେ ରନ୍‌େଓ୍ଵରେ ବସି ଯାଇଛନ୍ତି ଏବଂ ୟୁଏସ୍‌ ଆର୍ମିର ବିମାନରେ ପଶିବାକୁ ଚେଷ୍ଟା କରୁଛନ୍ତି। ଦେଶରୁ ବାହାରିବା ପାଇଁ ଲୋକେ ନିଜ ଜୀବନକୁ ବି ଭୟ କରୁନାହାନ୍ତି।

ଏମିତି ହିଁ ଏକ ଘଟଣା ସୋମବାର କାବୁଲ ଏୟାରପୋର୍ଟରେ ଘଟିଛି। ଏଠାରେ ଏକ ବିମାନରେ ପ୍ରବଳ ଭିଡ଼ ଭିତରେ ଯାତ୍ରା କରୁଥିବା ୩ ଆଫ୍‌ଗାନିସ୍ତାନୀ ନାଗରିକ ଉଡ଼ାଣ ଭରିବା ପରେ ବିମାନରୁ ଖସି ଯାଇଛନ୍ତି, ଯାହାଫଳରେ ସେମାନଙ୍କ ମୃତ୍ୟୁ ଘଟିଛି।

ସୋସିଆଲ ମିଡିଆରେ ଏହି ଘଟଣାର ଭିଡିଓ ଖୁବ୍‌ ଭାଇରାଲ ହେବାରେ ଲାଗିଛି। ଏଥିରେ ଆକାଶରେ ଉଡ଼ୁଥିବା ଏକ ବିମାନରୁ ୩ ଲୋକ ଖସି ପଡ଼ୁଥିବା ସ୍ପଷ୍ଟ ଭାବେ ନଜର ଆସୁଛି। ସୂଚନା ମୁତାବକ, ଏହି ଲୋକମାନେ ବିମାନର ଟାୟାର ମଝିରେ ଛିଡ଼ା ହୋଇ ଯାତ୍ରା କରିବାକୁ ଚେଷ୍ଟା କରୁଥିଲେ। କିନ୍ତୁ ଯେମିତି ହିଁ ବିମାନଟି ଆକାଶରେ ଉଡ଼ିବାକୁ ଲାଗିଲା, ତ ଜଣ ଜଣ କରି ୩ଜଣ ଯାକ ନିଜର ସନ୍ତୁଳନ ହରାଇ ତଳକୁ ଖସି ପଡ଼ିଥିଲେ। ତେବେ ଏ ପର୍ଯ୍ୟନ୍ତ ମୃତ ବ୍ୟକ୍ତିଙ୍କର କୌଣସି ପରିଚୟ ଜଣାପଡ଼ି ନାହିଁ।

ଭିଡିଓ ଭାଇରାଲ ପରେ ଏହା କୁହାଯାଉଛି କି, ବିମାନରୁ ଖସି ପଡ଼ିଥିବା ୩ଜଣ ଲୋକ କାବୁଲ ଏୟାରପୋର୍ଟରେ ବିମାନର କୌଣସି ବାହାର ଭାଗରେ ଲୁଚିକି ଦେଶରୁ ପଳାଇ ଯିବାକୁ ଚାହୁଁଥିଲେ। ବିମାନଟି ଆମେରିକାର ସୈନ୍ୟ ବିମାନ ସି ୧୭ ବୋଲି ଜଣାପଡ଼ିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.