Below header

୯୫ ବର୍ଷରେ ପଦାର୍ପଣ କଲେ ଲାଲ୍‌କୃଷ୍ଣ ଆଡ୍‌ଭାଣୀ; ଜନ୍ମଦିନରେ ଶୁଭେଚ୍ଛା ଜଣାଇବାକୁ ପହଞ୍ଚିଲେ ପିଏମ୍‌ ନରେନ୍ଦ୍ର ମୋଦି, ନେଲେ ଆଶୀର୍ବାଦ

ବିଜେପିର ବରିଷ୍ଠ ନେତା ଲାଲ୍‌କୃଷ୍ଣ ଆଡ୍‌ଭାଣୀଙ୍କର ଆଜି ଜନ୍ମଦିନ। ସେ ୯୫ ବର୍ଷରେ ପଦାର୍ପଣ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଡ୍‌ଭାଣୀଙ୍କ ଜନ୍ମଦିନରେ ତାଙ୍କୁ ଶୁଭେଚ୍ଛା ଜଣାଇବା ପାଇଁ ତାଙ୍କ ଘରେ ପହଞ୍ଚିଥିଲେ। ଏଥି ପୂର୍ବରୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ମଧ୍ୟ ଆଡ୍‌ଭାଣୀଙ୍କ ଘରେ ପହଞ୍ଚି ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଥିଲେ।

ପିଏମ୍‌ ମୋଦି ପାଖାପାଖି ଅଧଘଣ୍ଟା ପର୍ଯ୍ୟନ୍ତ ଆଡ୍‌ଭାଣୀଙ୍କ ଘରେ ରହିଥିଲେ ଏବଂ ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଥିଲେ। ପିଏମ୍‌ ମୋଦି ଏହି ସମୟରେ ଆଡ୍‌ଭାଣୀଙ୍କଠାରୁ ଆଶୀର୍ବାଦ ନେଇଥିଲେ। ଆଡ୍‌ଭାଣୀଙ୍କ ଜନ୍ମଦିନ ଅବସରରେ ମୋଦି ପ୍ରତ୍ୟେକ ବର୍ଷ ତାଙ୍କୁ ଶୁଭେଚ୍ଛା ଜଣାଇବା ପାଇଁ ତାଙ୍କ ଘରେ ପହଞ୍ଚି ଥାଆନ୍ତି ଏବଂ ତାଙ୍କଠାରୁ ଆଶୀର୍ବାଦ ନିଅନ୍ତି।

ପ୍ରତିରକ୍ଷା ମନ୍ତ୍ରୀ ଟ୍ଵିଟ୍‌ରେ କହିଛନ୍ତି, ‘ଶ୍ରଦ୍ଧେୟ ଲାଲ୍‌କୃଷ୍ଣ ଆଡ୍‌ଭାଣୀ ଜୀଙ୍କୁ ତାଙ୍କ ଜନ୍ମଦିନରେ ଅନେକ ଶୁଭକାମନା। ଭାରତୀୟ ରାଜନୀତିରେ ବଡ଼ ବଡ଼ ବ୍ୟକ୍ତିଙ୍କ ମଧ୍ୟରେ ତାଙ୍କୁ ଗଣାଯାଇଥାଏ। ଦେଶ, ସମାଜ ଏବଂ ଦଳର ବିକାଶ ଯାତ୍ରାରେ ତାଙ୍କର ଅତ୍ୟନ୍ତ ମହତ୍ୱପୂର୍ଣ୍ଣ ଯୋଗଦାନ ରହିଛି। ମୁଁ ତାଙ୍କର ଉତ୍ତମ ସ୍ୱାସ୍ଥ୍ୟ ଏବଂ ଦୀର୍ଘ ଜୀବନ କାମନା କରୁଛି’।

ଲାଲ୍‌କୃଷ୍ଣ ଆଡ୍‌ଭାଣୀଙ୍କ ଜନ୍ମ ୧୯୨୭, ନଭେମ୍ବର ୮ରେ ଅବିଭାଜିତ ଭାରତର ସିନ୍ଧ ପ୍ରାନ୍ତରେ ହୋଇଥିଲା। ତାଙ୍କ ବାପାଙ୍କ ନାମ କୃଷ୍ଣଚନ୍ଦ୍ର ଡି ଆଡ୍‌ଭାଣୀ ଓ ମା’ଙ୍କ ନାମ ଜ୍ଞାନୀ ଦେବୀ ଥିଲା। ପାକିସ୍ତାନର କରାଚିରେ ସେ ନିଜର ସ୍କୁଲ ଶିକ୍ଷା ସମାପ୍ତ କରିଥିଲେ। ପରେ ସେ ସିନ୍ଧରେ କଲେଜ ଆଡ୍‌ମିସନ ନେଇଥିଲେ। ଯେତେବେଳେ ଦେଶର ବିଭାଜନ ହୋଇଥିଲା, ତ ତାଙ୍କ ପରିବାର ମୁମ୍ବାଇ ଚାଲି ଆସିଥିଲେ। ଏଠାରେ ସେ ଆଇନ ଶିକ୍ଷା ଲାଭ କରିଥିଲେ।

ଆଡ୍‌ଭାଣୀ ଯେତେବେଳେ ୧୪ ବର୍ଷର ଥିଲେ, ସେବେ ସଂଘ ସହ ଯୋଡ଼ି ହୋଇଥିଲେ। ୧୯୫୧ ମସିହାରେ ସେ ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ଦ୍ୱାରା ସ୍ଥାପିତ ଜନସଂଘ ସହ ଯୋଡ଼ି ହୋଇଥିଲେ। ପରେ ୧୯୭୭ରେ ଜନତା ପାର୍ଟିରେ ସାମିଲ ହୋଇଥିଲେ। ସେ ବିଜେପିର ସଂସ୍ଥାପକ ସଦସ୍ୟ ଅଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.