ଆଜି ଭାରତ ଫେରିବେ ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ତ୍ତମାନ

ଆଜି ଭାରତ ଫେରିବେ ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ତ୍ତମାନ। ଭାରତ-ପାକ ସୀମାନ୍ତ ଓ୍ଵାଘା ବୋର୍ଡରେ ଅଭିନନ୍ଦନଙ୍କୁ ଛଡାଯିବ । ଏ ନେଇ ଗତକାଲି ପାକିସ୍ତାନ ସଂସଦରେ ସୂଚନା ଦେଇଥିଲେ ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ । ଶାନ୍ତିର ସଙ୍କେତ ହିସାବରେ ତାଙ୍କୁ ଛଡାଯିବ ବୋଲି ସେ କହିଥିଲେ । ସେପଟେ ଏହାକୁ ଭାରତର ବଡ଼ କୂଟନୈତିକ ବିଜୟ ବୋଲି କୁହାଯାଉଛି । ବୁଧବାର ଦିନ ପାକ ବାୟୁସେନା ଆକ୍ରମଣକୁ ପ୍ରତିହତ ପାଇଁ ଉଦ୍ୟମ ବେଳେ, ଅଭିନନ୍ଦନ ପାକ୍ ସେନା ହାତରେ ଧରା ପଡିଥିଲେ । ଅଭିନନ୍ଦନଙ୍କ ପାଇଁ ପାକିସ୍ତାନ ସହ କୌଣସି ଡିଲ୍ ହେବ ନାହିଁ ବୋଲି ସ୍ପଷ୍ଟ କରିଥିଲା ଭାରତ । ଏହାସହ ତାଙ୍କୁ ଛାଡିବା ଲାଗି ଆନ୍ତର୍ଜାତିକ ଚାପ ମଧ୍ୟ ପଡିଥିଲା ପାକିସ୍ତାନ ଉପରେ ।

ପାକିସ୍ତାନ ପଦକ୍ଷେପ ଫଳରେ ଆଗକୁ ଭାରତ-ପାକ୍ ମଧ୍ୟରେ ଉତ୍ତେଜନା ହ୍ରାସ ପାଇବ ବୋଲି ଆଶା କରାଯାଉଛି । ଗତ ୨୭ ତାରିଖରେ ଭାରତ ସୀମାରେ ଅନୁପ୍ରବେଶ ବେଳେ ପାକ୍ ବିମାନ ଏଫ-୧୬କୁ ଭାରତୀୟ ବାୟୁସେନାର ମିଗ୍ ବିମାନ ୨୧ ଉଡ଼ାଇ ଦେଇଥିଲା । ରାଜୌରୀରୁ ମିଳିଥିବା ଏଫ-୧୬ ବିମାନର ଭଗ୍ନାବଶେଷକୁ ତିନି ସେନାର ମିଳିତ ପ୍ରେସମିଟ୍ରେ ପ୍ରଦର୍ଶନ କରାଯାଇଛି । ପାକିସ୍ତାନ ୨ଦିନରେ ୩୫ଥର ଅସ୍ତ୍ରବିରତି ଉଲ୍ଲଂଘନ କରିଛି । ବାଲାକୋଟରେ ଭାରତୀୟ ବାୟୁସେନା ଆକ୍ରମଣର ପ୍ରମାଣ ସେନା ପାଖରେ ରହିଛି । ପିଓକେରେ ଜୈଶ ଆତଙ୍କୀ ଆଡ୍ଡା ଧ୍ୱଂସ କରିବାରେ ସଫଳ ହୋଇଛୁ ବୋଲି ସେନା ଦାବି କରିଛି । ସବୁ ପ୍ରକାର ପରିସ୍ଥିତିର ମୁକାବିଲା ପାଇଁ ସେନା ପ୍ରସ୍ତୁତ ରହିଛି ବୋଲି ସ୍ଥଳ, ନୌ ଓ ବାୟୁସେନା ପକ୍ଷରୁ ମିଳିତ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.