Below header

ଗାଡ଼ି ସ୍କ୍ରାପିଂ ପଲିସି : ଫିଟ୍‌ନେସ୍‌ ଟେଷ୍ଟ ପରେ ହିଁ ଚାଲିପାରିବ ଗାଡ଼ି, ଜାଣନ୍ତୁ ଭେଇକିଲ୍‌ ପଲିସିର କିଛି ଖାସ୍‌ କଥା

ନୂଆଦିଲ୍ଲୀ : ପୁରୁଣା ଗାଡ଼ିର ଫିଟ୍‌ନେସ୍‌ ସୁନିଶ୍ଚିତ କରିବା ସହ ସ୍କ୍ରାପିଂର ବିଧିବଦ୍ଧ ବ୍ୟବସ୍ଥା ପାଇଁ ସରକାର ନୂଆ ପଲିସି ଆଣୁଛନ୍ତି । ସଡ଼କ ପରିବହନ ମନ୍ତ୍ରୀ ନିତିନ୍‌ ଗଡ଼କରୀ ଗୁରୁବାର ଲୋକସଭାରେ ଭେଇକିଲ୍‌ ସ୍କ୍ରାପିଂ ପଲିସି ନେଇ ଘୋଷଣା କରିଛନ୍ତି । ଏହି ପଲିସି ଅନୁଯାୟୀ, ୧୫ ବର୍ଷ ପୁରୁଣା କମର୍ସିଆଲ୍‌ ଗାଡ଼ି ଓ ୨୦ ବର୍ଷ ପୁରୁଣା ବ୍ୟକ୍ତିଗତ ଗାଡ଼ିର ଫିଟ୍‌ନେସ୍‌ ଜରୁରୀ । ଏଥିରେ ପାସ୍‌ ହେଲେ ପୁରୁଣା ଗାଡ଼ି ରିନ୍ୟୁ ହେବା ସହ ଫିଟ୍‌ନେସ୍‌ ଫେଲ୍‌ ଗାଡ଼ିକୁ କବାଡିରେ ଦିଆଯିବ ।

ଗାଡ଼ିର ଏହି ଫିଟ୍‌ନେସ୍‌ ପରୀକ୍ଷା ପାଇଁ ବିଶେଷ ସେଣ୍ଟର ଖୋଲାଯିବ । ତେବେ ଏହି ନୂଆ ପଲିସି ଦ୍ୱାରା ସବୁ ପକ୍ଷ ଲାଭବାନ ହେବେ ବୋଲି ମନ୍ତ୍ରୀ ଗଡ଼କରୀ କହିଛନ୍ତି । ଲୋକସଭାରେ ନୂଆ ଯୋଜନା ଘୋଷଣା କରିବା ପରିପ୍ରେକ୍ଷୀରେ ଶ୍ରୀ ଗଡ଼କରୀ ଏହା କହିଛନ୍ତି । ଖୁବ୍‌ ଶୀଘ୍ର ଏ ସମ୍ପର୍କରେ ସରକାର ଏହି ଡ୍ରାଫ୍ଟକୁ ସାର୍ବଜନୀନ କରିବା ସହ ଏ ସଂକ୍ରାନ୍ତରେ ସମ୍ପର୍କୀତ ଲୋକଙ୍କ ରାୟ ନେବେ । ଦେଶରେ ଏକ ପ୍ରକାର ବିଶେଷ ସ୍କ୍ରାପିଂ କେନ୍ଦ୍ର ପ୍ରସ୍ତୁତ କରାଯିବ ବୋଲି ଶ୍ରୀ ଗଡ଼କରୀ କହିଛନ୍ତି ।

ପଲିସି ସମ୍ପର୍କୀତ କିଛି ଖାସ୍‌ କଥା

ନିର୍ଦ୍ଦିଷ୍ଟ ସୀମା ପାର କରିଥିବା ବ୍ୟକ୍ତିଗତ ଓ କମର୍ସିଆଲ୍‌ ଗାଡ଼ି ପାଇଁ ଫିଟ୍‌ନେସ୍‌ ଯାଞ୍ଚ୍‌ ହେବ । ଯଦି ପିଟ୍‌ନେସ୍‌ରେ ପାସ୍‌ ନ କରେ ତେବେ ତା’ର ରେଜିଷ୍ଟ୍ରେସନ୍‌ ରଦ୍ଦ କରାଯିବ ।

– ପୁରୁଣା ଗାଡ଼ିର ରେଜିଷ୍ଟ୍ରେସନ ରିନ୍ୟୁ କରିବା ପାଇଁ ଅଧିକ ଫିସ୍‌ ଦାଖଲ କରିବାକୁ ପଡ଼ିବ ।

– କେନ୍ଦ୍ର ସରକାର, ରାଜ୍ୟ ସରକାର ଓ ଅନ୍ୟ ବିଭାଗର ୧୫ ବର୍ଷ ପୁରୁଣା ଗାଡ଼ିକୁ ରିନ୍ୟୁ ହେବନାହିଁ । ଏହାକୁ କବାଡ଼କୁ (ସ୍କ୍ରାପ୍‌କୁ) ଦିଆଯିବ ।

– ପୁରୁଣା ଗାଡ଼ି ସ୍କ୍ରାପ୍‌କୁ ଦେଲେ ନୂଆ ଗାଡ଼ି ର ଏକ୍ସ ଶୋରୁମ୍‌ ରାଶି ଉପରେ ୪ ରୁ ୬ % ରିହାତି ମିଳିବ ।

– ରେଜିଷ୍ଟେଡ୍‌ ସ୍କାପ୍‌ ସେଣ୍ଟରରେ ଗାଡ଼ି ଦେଲେ ଇନ୍‌ସେଟିଭ୍‌ ସହ ଏକ ସାର୍ଟିଫିକେଟ୍‌ ମିଳିବ । ଏହି ସାର୍ଟିଫିକେଟ୍‌ ଦେଖାଇଲେ କାର୍‌ କମ୍ପାନୀ ୫% ପର୍ଯ୍ୟନ୍ତ ରିହାତି ଦେବ ।

– ସ୍କ୍ରାପିଂ ସାର୍ଟିଫିକେଟ୍‌ ଦାଖଲ କଲେ ନୂଆ ଗାଡ଼ିର ରେଜିଷ୍ଟ୍ରେସନ୍‌ ଫିସ୍‌ ମଧ୍ୟ ଛାଡ଼ କରାଯାଇପାରେ ।

– ନୂଆ ଗାଡ଼ି ଉପରେ ରୋଡ୍‌ ଟ୍ୟାକ୍ସରେ ମଧ୍ୟ ଇନ୍‌ସେଟିଭ୍‌ ଦେବାକୁ ବିଚାର କରାଯାଉଛି । ବ୍ୟକ୍ତିଗତ ଗାଡ଼ି ଉପରେ ୨୫ % ଓ କର୍ମସିଆଲ୍‌ ଗାଡ଼ି ଉପରେ ୧୫ % ପର୍ଯ୍ୟନ୍ତ ଇନ୍‌ସେଟିଭ ଦେବାକୁ ବିଚାର କରାଯାଉଛି ।

– ଏପ୍ରିଲ ୨୦୨୨ ରୁ ୧୫ ବର୍ଷ ହୋଇଥିବା ସବୁ ସରାକାରୀ ଗାଡ଼ିର ସ୍କ୍ରାପିଂ ଆରମ୍ଭ ହେବ ।

– ଏପ୍ରିଲ ୨୦୨୩ ରୁ ୧୫ ବର୍ଷ ପୁରୁଣା କମର୍ସିଆଲ ଗାଡ଼ି ର ଫିଟ୍‌ନେସ୍‌ ଯାଞ୍ଚ ଅନିର୍ବାଯ୍ୟ ହେବ ।

– ଜୁନ୍‌ ୨୦୨୪ ରୁ ୨୦ ବର୍ଷ ପୁରୁଣା ନିଜ ଗାଡ଼ିର ଫିଟ୍‌ନେସ୍‌ ଯାଞ୍ଚ ଜରୁରୀ ହେବ ।

ସବୁଠାରୁ ଆଶ୍ଚର୍ଯ୍ୟ କଥା ଯେ ଏବେ ଭାରତରେ ୧୫ ବର୍ଷରୁ ପୁରୁଣା ୧୭ ଲକ୍ଷ ମିଡିୟମ୍‌ ଓ ହେବି ଭେଇକିଲ୍‌ ବିନା ଫିଟ୍‌ନେସ୍‌ରେ ଚାଲୁଅଛି । ଏହାସହ ୨୦ ବର୍ଷ ପୁରୁଣା ୫୧ ଲକ୍ଷ ହାଲ୍‌କା ଯାନ ଓ ୧୫ ବର୍ଷରୁ ପୁରୁଣା ୩୪ ଲକ୍ଷ ହାଲ୍‌କା ମୋଟର ଯାନ ଚାଲୁଥିବା ଜଣାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.