ମାସେ ତଳେ କିଣାଯାଇଥିବା ଜମି ଖୋଳିଲାବେଳେ ଶୁଭିଲା ଆବାଜ୍‌, ଦେଖିଲା ବେଳକୁ ହାଣ୍ଡିଏ ସୁନା ଗହଣା

ହାଇଦ୍ରାବାଦ : କଥାରେ ଅଛି ଭଗବାନ ଯେତେବେଳେ ଦିଅନ୍ତି ଛପର ଫାଡିକରି ଦିଅନ୍ତି । ତେଲେଙ୍ଗାନା ଜନଗାଁଓରେ ମାଟି ତଳୁ ହାଣ୍ଡିଏ ଗହଣା ପାଇବା ପରେ ଏପରି ଲୋକ କଥାର ସତ୍ୟତା ପରିଲକ୍ଷିତ ହୋଇଛି ।

ସୂଚନାନୁଯାୟୀ, ହାଇଦ୍ରାବାଦର ନରସିଂହା ନାମକ ଜଣେ ବ୍ୟକ୍ତି ରିଏଲ ଇଷ୍ଟେଟ୍‌ ବ୍ୟବସାୟ କରନ୍ତି । ସେ ତେଲେଙ୍ଗାନା ଜନଗାଓଁ ଜିଲ୍ଲା ପେମବର୍ଥା ଗାଁ ଜାତୀୟ ରାଜପଥ-୧୬୩ ନିକଟରେ ୧୧ ଏକରର ଜମି କିଣିଥିଲେ । ଏହି ଜମିକୁ ସଫା କରିବା ବେଳେ ଠନ୍‌ କରି ଏକ ବଡ଼ ଶବ୍ଦ ଶୁଭିଥିଲା । ଏହାକୁ ଖୋଳିବା ପରେ ଜମିର ମାତ୍ର ଦୁଇଫୁଟ ତଳୁ ତମ୍ବାର ଏକ ହାଣ୍ଡି ବାହାରିଥିଲା । ଯେଉଁଥିରେ ସୁନା,ରୂପା ଓ ମୋତି ଆଦି ବିଭିନ୍ନ ଗହଣା ଭରି ହୋଇଥିବା ଦେଖିବାକୁ ମିଳିଥିଲା ।

ଏହି ଖବର ବିଜୁଳି ବେଗରେ ସର୍ବତ୍ର ଖେଳିଯାଇଥିବା ବେଳେ କଥା ଯାଇ ଜିଲ୍ଲାପାଳଙ୍କ କାନରେ ପଡ଼ିଥିଲା । ଫଳରେ ଜିଲ୍ଲାପାଳ କାର୍ଯ୍ୟାଳୟ ଏହାକୁ ଜବତ କରି ନେଇଜାଇଥିବା ଜଣାପଡ଼ିଛି । ହାଣ୍ଡିକୁ ଓଜନ କରିବା ପରେ ଏହା ୫ କେଜି ଓଜନ ଥିବାବେଳେ ହାଣ୍ଡିର ଓଜନକୁ ବାଦ ଦେଲେ ପ୍ରାୟ ୩ କିଗ୍ରା ୮୦୦ ଗ୍ରାମର ଗହଣା ଥିବା ଜଣାଯାଇଛି ।

ଏହି ଗହଣା ଭିତରେ ୭୭.୨୨୦ ଗ୍ରାମ ଓଜନର ୨୨ ଟି ସୁନା ଝୁମୁକା, ୫୭.୮୦୦ ଓଜନର ୫୧ ଟି ସୁନା ମୋତି, ୧୭.୮୦୦ ଗ୍ରାମ ଓଜନର ୧୧ ଟି ସୁନା ମଙ୍ଗଳ ସୂତ୍ର ଯାହାର ମୋଟ ଓଜନ ରହିଛି ୧ କିଗ୍ରା ୮୯୮ ଗ୍ରାମ । ସେହିପରି ୧ କିଗ୍ରା ୭୨୭ ଗ୍ରାମ ରୂପା ଗହଣା ଓ ୬.୫ ଗ୍ରାମର ମାଣିକ ରହିଥିବା ଜଣାଯାଇଛି ।
ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ଏହା କାକତୀୟ କାଳ ବଂଶର ହୋଇଥାଇପାରେ । ତେଣୁ ଏହା ଉପରେ ଅଧିକ ଗବେଷଣା ସହ ଖନନ କଲେ ଅନେକ ଏପରି ଗହଣା ମିଳିପାରେ ବୋଲି ସେ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.