ଲୋଭ କଲେନି ଟିଟିଆଇ! ଟ୍ରେନ୍‌ରେ ୫୦ ହଜାର ଟଙ୍କା ଛାଡ଼ି ଚାଲିଯାଇଥିଲେ ଯାତ୍ରୀ, ଡାକି କରିଦେଲେ ଫେରସ୍ତ

ସଚ୍ଚୋଟପଣିଆ ଦେଖାଇଛନ୍ତି ଟିଟିଆଇ। ଆହ୍ଲାବାଦ-ମଥୁରା ଏକ୍ସପ୍ରେସ୍‌ ଟ୍ରେନ୍‌ରେ ଜଣେ ଯାତ୍ରୀ ନିଜର ୫୦ ହଜାର ଟଙ୍କା ଭୁଲ୍‌ବଶତଃ ଛାଡ଼ି ଚାଲିଯାଇଥିଲେ। କିନ୍ତୁ ଡ୍ୟୁଟିରେ ଥିବା ଟିଟିଆଇ କୌଣସି ଲୋଭ ନ କରି ଉକ୍ତ ଟଙ୍କାକୁ ସମ୍ପୃକ୍ତ ଯାତ୍ରୀଙ୍କୁ ଡାକି ଫେରାଇ ଦେଇଛନ୍ତି।

ଆଜି ବି ମଣିଷ ଭିତରେ ବଞ୍ଚି ରହିଛି ସଚ୍ଚୋଟପଣିଆ। ଯେଉଁଠି ପଇସା ଦେଖିଲେ କିଛି ଲୋକ ନିଜର ଲୋଭ ସମ୍ଭାଳି ପାରି ନ ଥାଆନ୍ତି, ସେଠି ଜଣେ ଟିଟିଆଇ ସମସ୍ତଙ୍କ ପାଇଁ ସୃଷ୍ଟି କରିଛନ୍ତି ଏକ ଅନନ୍ୟ ଉଦାହରଣ। ଆହ୍ଲାବାଦ-ମଥୁରା ଏକ୍ସପ୍ରେସ୍‌ ଟ୍ରେନ୍‌ରେ ଟିଟିଆଇଙ୍କୁ ଏକ ସିଟ୍‌ ଉପରୁ ମିଳିଥିବା ନଗଦ ୫୦ ହଜାର ଟଙ୍କାକୁ ସେ ସମ୍ପୃକ୍ତ ଯାତ୍ରୀଙ୍କୁ ଡାକି ଫେରାଇ ଦେଇଛନ୍ତି।

ସୂଚନା ମୁତାବକ, ଆହ୍ଲାବାଦ-ମଥୁରା ଏକ୍ସପ୍ରେସ୍‌ରେ କୌଣସି ଜଣେ ଯାତ୍ରୀ ନିଜ ସିଟ୍‌ ଉପରେ ଟଙ୍କା ଭର୍ତ୍ତି ଲଫାଫାକୁ ଭୁଲ୍‌ବଶତଃ ଛାଡ଼ି ପଳାଇଥିଲେ। ଯେତେବେଳେ ଟିଟିଆଇଙ୍କ ନଜର ସେହି ଲଫାଫା ଉପରେ ପଡ଼ିଥିଲା, ତ ସେ ତାକୁ ଯାଞ୍ଚ କରିବାରୁ ସେଥିରେ ନଗଦ ୫୦ ହଜାର ଟଙ୍କା ରହିଥିଲା। କିନ୍ତୁ ଟିଟିଆଇ କୌଣସି ଲୋଭ ନ କରି ସମ୍ପୃକ୍ତ ଯାତ୍ରୀଙ୍କୁ ଉକ୍ତ ଟଙ୍କା ଭର୍ତ୍ତି ଲଫାଫା ଫେରାଇ ଦେଇଥିଲେ। ଆଉ ପ୍ରମାଣ କରି ଦେଇଥିଲେ ଯେ ଆଜି ବି ସଚ୍ଚୋଟପଣିଆ ବଞ୍ଚି ରହିଛି।

ଗତ ବୁଧବାର ପ୍ରୟାଗରାଜରୁ ବିକାନେର୍‌ ଯାଉଥିବା ଟ୍ରେନ୍‌ରେ କୋଚ୍‌ ବି-୧ର ସିଟ୍‌ ସଂଖ୍ୟା ୧୩ରେ ସୁନିଲ କୁମାର ନାମକ ବ୍ୟକ୍ତି ଯାତ୍ରା କରୁଥିଲେ। ରାତି ସମୟରେ ତାଙ୍କର ୫୦ ହଜାର ଟଙ୍କା ଥିବା ଲଫାଫାଟି ଟ୍ରେନ୍‌ରେ କେଉଁଠି ଗଳି ପଡ଼ିଥିଲା। ଏହି ସମୟରେ ଡ୍ୟୁଟିରେ ଥିବା ଟିଟିଆଇ ନିବେଦନ ସିଂଙ୍କୁ ଉକ୍ତ ଲଫାଫା ଗ୍ୟାଲେରୀରେ ପଡ଼ିଥିବାର ମିଳିଥିଲା।

ଟିଟିଆଇ ସଙ୍ଗେ ସଙ୍ଗେ ଏ ବିଷୟରେ ଟ୍ରେନ୍‌ରେ ଶୋଇଥିବା ଯାତ୍ରୀମାନଙ୍କୁ ପଚାରିଥିଲେ। ସୁନିଲ କୁମାର ଏହି ଟଙ୍କାକୁ ନିଜର ବୋଲି କହିଥିଲେ। ଟିଟିଆଇ ଆଉ କେତୋଟି ପ୍ରଶ୍ନ ପଚାରିବା ପରେ ଉକ୍ତ ୫୦ ହଜାର ଟଙ୍କାକୁ ତାଙ୍କୁ ଫେରାଇ ଦେଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.