ସେମିଫାଇନାଲ ମ୍ୟାଚ ହାରିବା ପରେ ଅଞ୍ଜୁମ ଚୋପ୍ରାଙ୍କୁ ଧରି କାନ୍ଦିଲେ ହରମନପ୍ରୀତ, ଆଇସିସି ସେୟାର କଲା ଭିଡିଓ
ଅଷ୍ଟ୍ରେଲିଆ ଠାରୁ ସେମିଫାଇନାଲ ମ୍ୟାଚ୍ ହାରିଯିବା ପରେ କାନ୍ଦିଲେ ହରମନପ୍ରୀତ । ମହିଳା ଟି-୨୦ ବିଶ୍ୱକପ ସେମିଫାଇନାଲରେ ମାତ୍ର ୫ ରନରେ ହାରିବା ପରେ ଅଞ୍ଜୁମ ଚୋପ୍ରାଙ୍କୁ ଧରି କାନ୍ଦିଲେ ହରମନପ୍ରୀତ । ଯାହାର ଭିଡିଓ ସେୟାର କଲା ଆଇସିସି।
ମହିଳା ଟି୨୦ ବିଶ୍ୱକପ ୨୦୨୩ର ସେମିଫାଇନାଲରେ ଅଷ୍ଟ୍ରେଲିଆ ଠାରୁ ହାରିବା ପରେ ଭାରତୀୟ ଖେଳାଳିଙ୍କ ମନୋବଳ ଭାଙ୍ଗିପଡିଛି । ଆଉ ଟିମ୍ ଇଣ୍ଡିଆର ଅଧିନାୟକ ହରମନପ୍ରୀତ କୌର ପୂର୍ବତନ ଖେଳାଳି ତଥା କମେଣ୍ଟେଟର ଅଞ୍ଜୁମ ଚୋପ୍ରାଙ୍କୁ ଧରି କାନ୍ଦିଛନ୍ତି । ଆଇସିସି ନିଜ ଟ୍ଵିଟର ଆକାଉଣ୍ଟରେ ଏହାର ଭିଡିଓ ସେୟାର କରିଛି ।
ଭିଡିଓରେ ଦେଖିବାକୁ ମିଳିଛି କି, ମ୍ୟାଚ୍ ହାରିବା ପରେ ହରମନପ୍ରୀତ ନିଜକୁ କିଛି ସମୟ ନିଜକୁ ସମ୍ଭାଳିଥିଲେ । କିନ୍ତୁ ଯେତେବେଳେ ଅଞ୍ଜୁମ ଚୋପ୍ରା ତାଙ୍କୁ ଆଲିଙ୍ଗନ କରିଥିଲେ, ସେତେବେଳେ ହରମନପ୍ରୀତ କାନ୍ଦିବାକୁ ଲାଗିଥିଲେ । ନିଜ କୋହକୁ ସମ୍ଭାଳି ପାରିନଥିଲେ । ସେମିଫାଇନାଲରେ ଭାରତ ମାତ୍ର ୫ ରନରେ ହାରିବା ସହିତ ବିଶ୍ୱକପରୁ ବାଦ୍ ପଡିବା କଷ୍ଟକୁ ସହିପାରିନଥିଲେ ହରମନପ୍ରୀତ । ଆଉ ନିଜ ଆଖିର ଲୁହକୁ ଲୁଚାଇବା ପାଇଁ କଳା ଚଷମା ପିନ୍ଧି ସମସ୍ତଙ୍କ ସାମ୍ନାକୁ ଆସିଥିଲେ ।
ଏହାକୁ ନେଇ ଅଞ୍ଜୁମ କହିଛନ୍ତି, ମୁଁ ଅନେକ ଥର ଏଭଳି ପରିସ୍ଥିତିର ସାମ୍ନା କରିଛି। ଅନେକ ଥର ଟିମ୍ ସେମିଫାଇନାଲରେ ପହଞ୍ଚି ହାରିଛି । କିନ୍ତୁ ଏହି ମ୍ୟାଚରେ ହରମନପ୍ରୀତ ଆଘାତ ପହଞ୍ଚି ଥିବା ସତ୍ତ୍ୱେ ମଧ୍ୟ ଭଲ ଖେଳିଥିଲେ ।
Watch: Harmanpreet Kaur cries inconsolably as Anjum Chopra tries to comfort Indian captain@ImHarmanpreet @BCCIWomen https://t.co/nUvvUqqVAx#INDWvAUSW #T20WomensWorldCup #HarmanpreetKaur pic.twitter.com/qY3OZ4nIG3
— Sports Tak (@sports_tak) February 24, 2023
ସୂଚନାଯୋଗ୍ୟ, ୧୭୩ ରନର ବିଜୟ ଲକ୍ଷ୍ୟର ପିଛା କରୁଥିବା ଭାରତୀୟ ଦଳ ନିର୍ଦ୍ଧାରିତ ଓଭରରେ ୮ ୱିକେଟ୍ ହରାଇ ୧୬୭ ରନ୍ କରିଥିଲା। ଦଳ ପ୍ରଥମରୁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ୧.୩ ଓଭରରେ ଓପନର ଶେଫାଳି ବର୍ମା ଆଉଟ୍ ହୋଇଯାଇଥିଲେ। ଗତ ମ୍ୟାଚରେ ବଢ଼ିଆ ଖେଳିଥିବା ମନ୍ଧାନା ମାତ୍ର ୨ ରନ୍ କରି ଆଉଟ୍ ହୋଇଯାଇଥିଲେ। ୟାସ୍ତିକ ଭାଟିଆ ୪ ରନ୍ କରି ଆଉଟ୍ ହୋଇଥିଲେ।
ଜେମିମା ରୋଡ୍ରିଗ୍ସ ଓ ଅଧିନାୟକ ହରମନପ୍ରୀତ କୌର ୪୧ଟି ବଲ୍ରୁ ଦ୍ରୁତ ୬୯ ରନ୍ କରିଥିଲେ। ତେବେ ଜେମିମା ୪୩ ରନ୍ (୨୪ ବଲ୍, ୬ ଚୌକା) କରି ଆଉଟ୍ ହୋଇଯାଇଥିଲେ। ଡି. ବ୍ରାଉନଙ୍କ ବଲରେ ଏଲିସା ହିଲୀଙ୍କ ହାତରେ ସେ କ୍ୟାଚ୍ ଆଉଟ୍ ହୋଇଯାଇଥିଲେ।
ଶେଷ ଓଭରରେ ଭାରତକୁ ଜିତିବାକୁ ୧୬ ରନ୍ କରିବାକୁ ଥିବା ବେଳେ ୧୧ ରନ୍ କରିବାକୁ ସକ୍ଷମ ହୋଇଥିଲା। ଶେଷ ଓଭରରେ ରାଧା ଯାଦବ ଶୂନରେ ଆଉଟ୍ ହୋଇଥିଲେ। ଦୀପ୍ତି ଶର୍ମା ୨୦ ଓ ଶିଖା ପାଣ୍ଡେ ୧ ରନ୍ କରି ଅପରାଜିତ ରହିଥିଲେ। ଅଷ୍ଟ୍ରେଲିଆ ପକ୍ଷରୁ ଆଶ୍ଲୀ ଗାର୍ଡନର ଓ ଡି. ବ୍ରାଉନ୍ ୨ଟି ଲେଖାଏ ୱିକେଟ୍ ନେଇଥିବା ବେଳେ ମେଗାନ୍ ଶଟ୍ ଓ ଜେସ୍ ଜୋନାସେନ ଗୋଟିଏ ଲେଖାଏ ୱିକେଟ୍ ନେଇଥିଲେ।