ପାକିସ୍ତାନ: ନିର୍ବାଚନର ଦିନକ ପୂର୍ବରୁ ଦୁଇଟି ବଡ଼ ବିସ୍ଫୋରଣ, ୨୬ ଜଣଙ୍କ ମୃତ୍ୟୁ
ପାକିସ୍ତାନରେ ଗୁରୁବାର ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବ । ଏହାର ଦିନକ ପୂର୍ବରୁ ଅର୍ଥାତ୍ ବୁଧବାର ଏଠାରେ ଦୁଇଟି ବଡ଼ ବିସ୍ଫୋରଣ ଘଟିଛି । ଏହି ବିସ୍ଫୋରଣରେ ୨୬ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି ।

ପାକିସ୍ତାନରେ ଗୁରୁବାର ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବ । ଏହାର ଦିନକ ପୂର୍ବରୁ ଅର୍ଥାତ୍ ବୁଧବାର ଏଠାରେ ଦୁଇଟି ବଡ଼ ବିସ୍ଫୋରଣ ଘଟିଛି । ଏହି ବିସ୍ଫୋରଣରେ ୨୬ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି । ବହୁ ସଂଖ୍ୟକ ଲୋକ ଏଥିରେ ଆହତ ହୋଇଛନ୍ତି । ବଲୁଚିସ୍ତାନର ଦୁଇଟି ଭିନ୍ନ ଜାଗାରେ ଏହି ବିସ୍ଫୋରଣ ଘଟିଛି ।
ରିପୋର୍ଟ ମୁତାବକ, ଏକ ରାଜନୈତିକ ଦଳ ଏବଂ ଜଣେ ସ୍ୱାଧୀନ ପ୍ରାର୍ଥୀଙ୍କ କାର୍ଯ୍ୟାଳୟ ନିକଟରେ ବୋମା ବିସ୍ଫୋରଣ ହୋଇଛି । ପ୍ରାନ୍ତୀୟ ସରକାରଙ୍କ ପ୍ରବକ୍ତା ଜନ ଅଚକଜାଇ କହିଛନ୍ତି ଯେ ପ୍ରଥମ ଆକ୍ରମଣ ବଲୁଚିସ୍ତାନ ପ୍ରାନ୍ତର ପସିନ୍ ଜିଲ୍ଲାରେ ହୋଇଥିବା ବେଳେ ଏଥିରେ ୧୪ ଜଣ ପ୍ରାଣ ହରାଇଛନ୍ତି ।
ଏହିପରି ବଲୁଚିସ୍ତାନର କିଲା ସୈଫୁଲ୍ଲାହ ସହରରେ ଜଣେ ରାଜନେତାଙ୍କ ପାର୍ଟି କାର୍ଯ୍ୟାଳୟ ନିକଟରେ ଆଉ ଏକ ବୋମା ବିସ୍ଫୋରଣ ଘଟିଛି । ଏଥିରେ ଅତି କମ୍ରେ ୧୦ ଜଣଙ୍କର ମୃତ୍ୟୁ ହୋଇଛି । ତେବେ ନିର୍ବାଚନ ପୂର୍ବରୁ ଏହି ଦୁଇଟି ବୋମା ବିସ୍ଫୋରଣ ପାଇଁ କେହି ନିଜକୁ ଦାୟୀ କରିନାହାନ୍ତି ।
ସୂଚନାଥାଉ କି, ଦେଶରେ ବିଶେଷ କରି, ବଲୁଚିସ୍ତାନରେ ଆତଙ୍କବାଦୀ ଆକ୍ରମଣ ଘଟଣା ବୃଦ୍ଧି ପରେ ଶାନ୍ତି ସୁନିଶ୍ଚିତ କରିବା ପାଇଁ ହଜାର ହଜାର ପୋଲିସ ଏବଂ ଅର୍ଦ୍ଧସାମରିକ ବାହିନୀ ନିୟୋଜିତ ହୋଇଥିଲେ ମଧ୍ୟ ଏହି ବିସ୍ଫୋରଣ ଘଟିଛି ।