ମଙ୍କି ଫିଭରରେ ଗଲାଣି ଦୁଇ ଜୀବନ, ଆତଙ୍କରେ ସାଧାରଣ ଲୋକେ
ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ କହିବାନୁସାରେ, ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଚଳିତ ବର୍ଷ ଜାନୁଆରୀ ୧ ତାରିଖରୁ ପ୍ରଭାବିତ ଜିଲ୍ଲାମାନଙ୍କରୁ ସମୁଦାୟ ୨,୨୮୮ଟି ନମୁନା ସଂଗ୍ରହ କରିଛି, ଯେଉଁଥିରୁ ୪୮ ଜଣ ଏହି ରୋଗରେ ଆକ୍ରାନ୍ତ ଥିବା ଜଣାପଡ଼ିଛି ।

ବ୍ୟାପୁଛି ମଙ୍କି ଫିଭର । ଏହି ଭାଇରାଲ ଫିଭର ଏମିତି ଭୟଙ୍କର ଭାବେ ବ୍ୟାପୁଛି ଯେ, ଏଥିରେ ଲୋକଙ୍କର ଜୀବନ ଗଲାଣି । ଲୋକମାନେ ଏହି ରୋଗକୁ ନେଇ ଭୟରେ ଅଛନ୍ତି । ଚଳିତ ବର୍ଷ କର୍ଣ୍ଣାଟକରେ ମଙ୍କି ଫିଭର ଯୋଗୁଁ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି । ସ୍ୱାସ୍ଥ୍ୟ ବିଭାଗର ସୂଚନାନୁସାରେ ମଙ୍କି ଫିଭର ବା କ୍ୟାସାନୁର ଫରେଷ୍ଟ ଡିଜିଜ୍ ବା କେଏଫଡି ଯୋଗୁଁ ଜାନୁଆରୀ ୮ ରେ ଶିବମୋଗା ଜିଲ୍ଲାର ହୋସାନଗର ତାଲୁକରେ ପ୍ରଥମ ମୃତ୍ୟୁ ମାମଲା ସାମ୍ନାକୁ ଆସିଥିଲା । ଦ୍ୱିତୀୟ ମୃତ୍ୟୁ ମାମଲା ଉଦୁପି ଜିଲ୍ଲାରୁ ସାମ୍ନାକୁ ଆସିଥିଲା ।
ବର୍ତ୍ତମାନ ସୁଦ୍ଧା କର୍ଣ୍ଣାଟକରେ ୪୯ ଟି ମଙ୍କି ଫିଭର ମାମଲା ଚିହ୍ନଟ ହୋଇଛି । ସେଥିମଧ୍ୟରୁ ଉତ୍ତର କନ୍ନଡ ଜିଲ୍ଲାରେ ସର୍ବାଧିକ ୩୪ ଟି ମାମଲା ସାମ୍ନାକୁ ଆସିଛି । ଏହା ପରେ ଶିବାମୋଗା ଜିଲ୍ଲାରେ ୧୨ ଟି ସଂକ୍ରମଣ ମାମଲା ଚିହ୍ନଟ ହୋଇଥିବାବେଳେ ଚିକମଙ୍ଗଲୁରୁରେ ସଂକ୍ରମଣର ତିନୋଟି ମାମଲା ଚିହ୍ନଟ ହୋଇଛି । ମଙ୍କି ଫିଭର ମାମଲାରେ ବୃଦ୍ଧି ଏବଂ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ଘଟଣାକୁ ଦୃଷ୍ଟିରେ ରଖି କର୍ଣ୍ଣାଟକ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ କମିଶନର ଡି. ରଣଦୀପ ଶନିବାର ଦିନ ଶିବାମୋଗା ଜିଲ୍ଲା ପରିଦର୍ଶନ କରିବା ସହ ଉତ୍ତର କନ୍ନଡ, ଶିବାମୋଗା ଏବଂ ଚିକମଙ୍ଗଲୁରୁ ଜିଲ୍ଲାର ସ୍ୱାସ୍ଥ୍ୟ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ ।
ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ କହିବାନୁସାରେ, ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଚଳିତ ବର୍ଷ ଜାନୁଆରୀ ୧ ତାରିଖରୁ ପ୍ରଭାବିତ ଜିଲ୍ଲାମାନଙ୍କରୁ ସମୁଦାୟ ୨,୨୮୮ଟି ନମୁନା ସଂଗ୍ରହ କରିଛି, ଯେଉଁଥିରୁ ୪୮ ଜଣ ଏହି ରୋଗରେ ଆକ୍ରାନ୍ତ ଥିବା ଜଣାପଡ଼ିଛି ।
ମଙ୍କି ଫିଭର କଣ?
ଏହା ଫ୍ଲେଭିଭିରିଡ ଫ୍ୟାମିଲିର ଏକ ଭାଇରସ୍ । ଏହାକୁ କ୍ୟାସାନୁର ଫରେଷ୍ଟ ଡିଜିଜ୍ ମଧ୍ୟ କୁହାଯାଏ । ଏହା ମାଙ୍କଡମାନଙ୍କ ଦ୍ୱାରା ବ୍ୟାପିଥାଏ, ଅର୍ଥାତ୍ ମଣିଷ ଯେତେବେଳେ ସଂକ୍ରମିତ ପ୍ରାଣୀ ସହିତ ସଂସ୍ପର୍ଶରେ ଆସେ ସେତେବେଳେ ସେ ଏହି ରୋଗର ଶିକାର ହୋଇପାରେ । ଏହି ଜ୍ୱର ପ୍ରଥମେ ୧୯୫୭ ମସିହାରେ ଚିହ୍ନଟ ହୋଇଥିଲା । ଏହି ରୋଗ କର୍ଣ୍ଣାଟକରେ ଅବସ୍ଥିତ କ୍ୟାସାନୁର ଜିଲ୍ଲା ନାମରେ ନାମିତ ହୋଇଛି । କହି ରଖିବାକୁ ଚାହିଁବୁ ଲୋକମାନେ ସାଧାରଣତଃ ଏହାକୁ ମଙ୍କି ଫିଭର ବା ମାଙ୍କଡ଼ ଜ୍ୱର ବୋଲି କହିବା ଆରମ୍ଭ କରିଥିଲେ କାରଣ ଅନେକ ମାଙ୍କଡ଼ ଏହି ରୋଗରେ ମରିଯାଇଥିଲେ ।
ଲକ୍ଷଣ:
ଭୀଷଣ ଜ୍ୱର ହେବା, ଥଣ୍ଡା ଲାଗିବା, ମାଂସପେଶୀରେ ଦରଜ ହେବା, ମୁଣ୍ଡ ବିନ୍ଧା ସମସ୍ୟା, ବାନ୍ତି ଲାଗିବା, ରକ୍ତସ୍ରାବ ସମସ୍ୟା, ଆଖି ବିନ୍ଧିବା ଓ ଫୁଲିବା ଭଳି ସମସ୍ୟା ମଙ୍କି ଫିଭରର ଲକ୍ଷଣ ।
ମଙ୍କି ଫିଭରରୁ ବଞ୍ଚିବା ପାଇଁ ଏହାର ଏକ ମାତ୍ର ବିକଳ୍ପ ହେଉଛି ଟୀକା, ଯାହାକୁ ମାସରେ ଦୁଇ ଥର ଲଗାଇବା ଜରୁରୀ । ସୂଚନା ଥାଉକି ଜଙ୍ଗଲ କିମ୍ବା ଏହାର ନିକଟବର୍ତ୍ତୀ ଅଞ୍ଚଳରେ ରହୁଥିବା ଲୋକମାନଙ୍କୁ ଏହି ରୋଗ ହେବାର ବିପଦ ଅଧିକ ରହିଛି । ଜୀବଯନ୍ତୁଙ୍କ ସଂସ୍ପର୍ଶରେ ନଆସିବା ସହିତ ପରିଷ୍କାର ପରିଚ୍ଛନତାକୁ ଧ୍ୟାନ ଦେଲେ ଏଭଳି ରୋଗରୁ ବଞ୍ଚିପାରିବେ ।