୧୬ ବର୍ଷର ନାବାଳିକାଙ୍କୁ ନିଶାଦ୍ରବ୍ୟ ଶୁଙ୍ଘାଇ କରିନେଲେ ଅପହରଣ, ଦୁଷ୍କର୍ମ କରି ବେହୋଶ ଅବସ୍ଥାରେ ଫିଙ୍ଗିଦେଲେ ଗାଁ ଦାଣ୍ଡରେ, ୨ ଯୁବକଙ୍କୁ ଖୋଜୁଛି ପୋଲିସ

ବିହାରରେ ଏକ ଅମାନବୀୟ ଘଟଣା ଘଟିଛି। ସୁପୋଲ ଜିଲାର ଦୁଇଜଣ ଯୁବକ ନିଶାଦ୍ରବ୍ୟ ଶୁୁଙ୍ଘାଇ ୧୬ ବର୍ଷର ଜଣେ ନାବାଳିକାଙ୍କୁ ଅପହରଣ କରି ତାଙ୍କ ସହିତ ଗଣଦୁଷ୍କର୍ମ କରିଛନ୍ତି। ଏହାପରେ ଅଭିଯୁକ୍ତମାନେ ନାବାଳିକାଙ୍କୁ ବେହୋଶ ଅବସ୍ଥାରେ ତାଙ୍କ ଘର ପାଖରେ ଛାଡ଼ି ଦେଇ ଫେରାର୍‌ ହୋଇଯାଇଛନ୍ତି। ଘଟଣାଟି ସୋମବାର ସନ୍ଧ୍ୟାରେ ଘଟିଛି। ଏ ନେଇ ପୀଡ଼ିତାଙ୍କ ବାପା ମହିଳା ଥାନାରେ ଅଭିଯୋଗ କରିବା ପରେ ମଙ୍ଗଳବାର ମାମଲା ରୁଜୁ କରାଯାଇଛି। ସେପଟେ ପୀଡ଼ିତାଙ୍କୁ ଡାକ୍ତରୀମାଇନା ପାଇଁ ସଦର ହସ୍ପିଟାଲ ପଠାଯାଇଛି।

ଅଭିଯୋଗ ଅନୁସାରେ, ନାବାଳିକା ଜଣକ ପଡ଼ୋଶୀଙ୍କ ଘରକୁ ଯାଉଥିଲେ। ଏହି ସମୟରେ ଉକ୍ତ ଗାଁର ଦୁଇ ଯୁବକ ନାବାଳିକାଙ୍କୁ ନିଶାଦ୍ରବ୍ୟ ଶୁଙ୍ଘାଇ ଉଠାଇ ନେଇଥିଲେ ଏବଂ ତାଙ୍କ ସହିତ ବାରମ୍ବାର ଦୁଷ୍କର୍ମ କରିଥିଲେ। ବିଳମ୍ବିତ ରାତି ପର୍ଯ୍ୟନ୍ତ ଝିଅ ଘରକୁ ନ ଫେରିବାରୁ ପରିବାର ଲୋକେ ଖୋଜାଖୋଜି କରିଥିଲେ ଏବଂ ଏତିକି ବେଳେ ସେମାନଙ୍କ ନଜର ତାଙ୍କ ଝିଅ ଉପରେ ପଡ଼ିଥିଲା। ନାବାଳିକା ଜଣକ ବେହୋଶ ଅବସ୍ଥାରେ ଥିଲେ। ତାଙ୍କୁ ହୋଶକୁ ଅଣାଯିବା ପରେ ସେ ଘଟଣା ସମ୍ପର୍କରେ ତାଙ୍କ ପରିବାର ଲୋକଙ୍କୁ କହିଥିଲେ।

ପରଦିନ ସକାଳେ ପରିବାର ଲୋକେ ଲୋକହା ଓପି ଯାଇଥିଲେ, କିନ୍ତୁ ସେଠାରେ ପୋଲିସ ତାଙ୍କୁ ପ୍ରତାଡ଼ିତ କରିଥିଲା ଏବଂ ମହିଳା ଥାନା ପଠାଇ ଦେଇଥିଲା। ଏପରିକି, ମହିଳା ଥାନାରେ ବି ସେମାନେ ହଟହଟା ହୋଇଥିଲେ। ପରେ ସଦର ଡିଏସ୍‌ପି ଇନ୍ଦ୍ର ପ୍ରକାଶଙ୍କୁ ଘଟଣା ବିଷୟରେ ଜଣାପଡ଼ିବା ପରେ ସେ ମାମଲାକୁ ଗମ୍ଭୀରତାର ସହ ନେଇଥିଲେ ଏବଂ କେଶ ରୁଜୁ କରି ଅଭିଯୁକ୍ତମାନଙ୍କୁ ତୁରନ୍ତ ଗିରଫ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ତେବେ ମହିଳା ଥାନା ଅଧ୍ୟକ୍ଷଙ୍କ କହିବା ଅନୁଯାୟୀ, ଅଭିଯୁକ୍ତ ଦ୍ୱୟଙ୍କୁ ଗିରଫ କରାଯିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.