ବ୍ରିଟେନରେ ରହୁଥିବା ଭାରତୀୟ ଇଂଜିନିୟର ଭାରତୀୟଙ୍କ ପାଇଁ ତିଆରି କଲେ କମ୍‌ ଦାମ୍‌ରେ ଓ୍ଵାଶିଂ ମେସିନ୍‌

ଲଣ୍ଡନ : ଭାରତ ଭଳି ଦେଶରେ ଆର୍ଥିକ ଅନଗ୍ରସର ଲୋକଙ୍କ ପାଇଁ ବ୍ରିଟେନରେ ଜନ୍ମିତ ଭାରତୀୟ ଇଂଜିନିୟର ତିଆରି କଲେ କମ୍‌ ଦାମର ଓ୍ଵାସିଂ ମେସିନ୍‌ । ପାଣିର ଅଭାବ ଥିବା ଇରାକରେ ଏହାର ସଫଳ ପରୀକ୍ଷଣ ହୋଇସାରିଛି ।

ବ୍ରିଟେନ୍‌ରେ ଜନ୍ମିତ ଭାରତୀୟ ଇଂଜିନିୟର ନବଜୋତ ସାହାନୀ ୩ ବର୍ଷ ପୂର୍ବେ କମ୍‌ ଆୟ କରୁଥିବା ଲୋକଙ୍କ ପାଇଁ ମ୍ୟାନୁଆଲ ଓ୍ଵାଶିଂ ମେସିନ ପ୍ରୋଜେକ୍ଟ ଆରମ୍ଭ କରିଥିଲେ । ଏହି ଓ୍ଵାଶିଂ ମେସିନ ୬୦ ରୁ ୭୦ ପ୍ରତିଶତ ସମୟ ବଞ୍ଚାଇବା ସହ ୫୦ ପ୍ରତିଶତ ପାଣି ବଞ୍ଚାଇଥାଏ । ଏହି ମେସିନ କମ୍‌ ଆୟ କରୁଥିବା ଲୋକଙ୍କ ପାଇଁ ବରଦାନ ହେବ ବୋଲି ନବଜୋତ ପ୍ରକାଶ କରିଛନ୍ତି ।

ନବଜୋତ କୁହନ୍ତି ଏହି ଓ୍ଵାଶିଂ ମେସିନ ତିଆରି କରିବାର ବିଚାର ଜଣେ ବନ୍ଧୁଙ୍କ ଠାରୁ ତାଙ୍କୁ ମିଳିଥିଲା । ସେ ଦକ୍ଷିଣ ଭାରତରେ ଛୁଟି କଟାଉଥିବା ବେଳେ ଜଣେ ପଡ଼ୋଶୀ ଦିବ୍ୟାଙ୍କ ସମ୍ପର୍କରେ ଆସିଥିଲେ । ଯେଉଁ ଗାଁରେ ଦିନକୁ ଦୁଇ ଥର ପାଣି ଓ ବିଜୁଳି ଆସୁଥିଲା । ପରେ ନବଜୋତ ବ୍ରିଟେନ୍‌ରେ ନିଜର ଇଂଜିନିୟରିଂ କାରିଅର ଆରମ୍ଭ କରିଥିବା ବେଳେ କମ୍‌ ପାଣିରେ ଓ୍ଵାଶିଂ ମେସିନ ତିଆରି କରିବାର ବିଚାର ଆସିଥିଲା ।

ପରେ ସେ ଏକ ସାଧାରଣ ସଲାଦ ସ୍ପିନରରୁ ପ୍ରେରିତ ହୋଇ ନିଜ ଜ୍ଞାନକୌଶଳରେ ମ୍ୟାନୁଆଲ୍‌ ଓ୍ଵାଶିଂ ମେସିନ ‘‘ଦିବ୍ୟା ୧.୫ ’’ ମଡେଲ ପ୍ରସ୍ତୁତ କରିଛନ୍ତି ବୋଲି କହିଛନ୍ତି । ପ୍ରଥମେ ଏହି ମେସିନକୁ ବିତରଣ କରିବା ପାଇଁ ନବଜୋତ ଆଗାମୀ ସେପ୍ଟେମ୍ବର ମାସରେ ଇରାକ ଯାତ୍ରା କରିବେ । ପରେ ଏହାକୁ ଭାରତ ଓ ଆଫ୍ରିକା ସହ ଅନ୍ୟ ଅଞ୍ଚଳକୁ ମଧ୍ୟ ପଠାଇବାର ବ୍ୟବସ୍ଥା ହେବ ବୋଲି ନବଜୋତ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.