କରୋନାର ଶିକାର ହେଲେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତୀରଥ ସିଂ ରାଓ୍ଵତ, ନିଜେ ଟ୍ଵିଟ୍‌ କରି ଦେଲେ ସୂଚନା

ଉତ୍ତରାଖଣ୍ଡର ନବ ନିର୍ବାଚିତ ମୁଖ୍ୟମନ୍ତ୍ରୀ ତୀରଥ ସିଂ ରାଓ୍ଵତ କରୋନା ଭାଇରସ୍‌ର ଶିକାର ହୋଇଛନ୍ତି। କିଛିଦିନ ତଳେ ତାଙ୍କଠାରୁ ନମୁନା ସଂଗ୍ରହ କରାଯାଇଥିଲା। ରିପୋର୍ଟ ସାମ୍ନାକୁ ଆସିବା ପରେ ସେ ସଂକ୍ରମିତ ଥିବା ଜଣାପଡ଼ିଛି। ଏ ନେଇ ରାଓ୍ଵତ ନିଜ ଅଫିସିଆଲ ଟ୍ଵିଟର ହ୍ୟାଣ୍ଡେଲରେ ସୂଚନା ଦେଇଛନ୍ତି। ସେ ନିଜକୁ ଆଇସୋଲେଟ କରି ନେଇଥିବା ଜଣାଇଛନ୍ତି।

ରାଓ୍ଵତ୍‌ ଟ୍ଵିଟ କରି ଲେଖିଛନ୍ତି, ‘ମୋ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ୍‌ ଆସିଛି। ମୁଁ ଠିକ୍‌ ଅଛି ଏବଂ ମୋତେ କୌଣସି ସମସ୍ୟା ନାହିଁ। ଡାକ୍ତରଙ୍କ ନଜରବନ୍ଦୀରେ ମୁଁ ନିଜକୁ ଆଇସୋଲେଟ୍‌ କରି ନେଇଛି। ଆପଣମାନଙ୍କ ମଧ୍ୟରୁ ଯିଏ ବି ଗତ କିଛିଦିନ ଭିତରେ ମୋ ନିକଟ ସମ୍ପର୍କରେ ଆସିଛନ୍ତି, ଦୟାକରି ସାବଧାନତା ଅବଲମ୍ବନ କରନ୍ତୁ ଏବଂ ନିଜ ଯାଞ୍ଚ କରାନ୍ତୁ’।

କହି ରଖୁଛୁ, ନିକଟରେ ତୀରଥ ସିଂ ରାଓ୍ଵତଙ୍କର ଦୁଇଟି ବୟାନ ବିବାଦ ଘେରକୁ ଚାଲିଆସିଛି। ପ୍ରଥମେ ସେ ଫଟା ଜିନ୍ସ ଉପରେ ଟିପ୍ପଣୀ କରିଥିଲେ। ଆଉ ଏଥିପାଇଁ କ୍ଷମା ମଧ୍ୟ ମାଗିଛନ୍ତି। ଏବେ ରାଓ୍ଵତଙ୍କର ଏକ ନୂଆ ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ସେ ଅଧିକ ରାଶନ ପାଇଁ ଅଧିକ ଛୁଆ ଜନ୍ମ କରିବା କଥା କହୁଥିବା ଦେଖିବାକୁ ମିଳୁଛି। ଭିଡିଓଟି ଭାଇରାଲ ହେବା ପରେ ଏହାକୁ ନେଇ ବିବାଦ ପୁଣି ମୁଣ୍ଡ ଟେକିଛି।

Leave A Reply

Your email address will not be published.