କରୋନା ସହ ଲଢ଼ିବା ପାଇଁ ଭାରତକୁ ଆବଶ୍ୟକ ୧୦ ଲକ୍ଷ ଭେଣ୍ଟିଲେଟର, ଅଛି ମାତ୍ର ୫୦ ହଜାର

ଭାରତରେ ଖୁବ ଦ୍ରୁତ ବେଗରେ ବ୍ୟାପୁଛି କରୋନା। ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୧ ହଜାର ଟପିଛି। ଗୁରୁବାର ସକାଳେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ତରଫରୁ ମିଳିଥିବା ସୂଚନାନୁସାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢି ୨୧,୩୯୩ ରେ ପହଞ୍ଚିଛି। ଅନ୍ୟପଟେ ଏଥିରେ ୬୮୧ ଜଣଙ୍କ ମୃତ୍ୟୁ ମଧ୍ୟ ଘଟିସାରିଲାଣି। ତେବେ ଇତିମଧ୍ୟରେ କରୋନା ସୁରକ୍ଷା ସାମଗ୍ରୀକୁ ନେଇ ବିଶେଷଜ୍ଞମାନେ ଚେତାବନୀ ଦେଇଛନ୍ତି।

ବିଶେଷଜ୍ଞଙ୍କ କହିବାନୁସାରେ ଆଗକୁ ଭାରତରେ ଭେଣ୍ଟିଲେଟରର ଅଭାବ ପରିଲକ୍ଷିତ ହୋଇପାରେ। ଏବେ ଦେଶରେ ମାତ୍ର ୫୦ ହଜାରଟି ଭେଣ୍ଟିଲେଟର ରହିଛି। ମାତ୍ର ଭବିଷ୍ୟତରେ ୧୦ ଲକ୍ଷରୁ ଅଧିକ ଭେଣ୍ଟିଲେଟରର ଆବଶ୍ୟକତା ରହିଛି। କରୋନା ରୋଗୀଙ୍କୁ ନିଃଶ୍ୱାସ ନେବାରେ ସମସ୍ୟା ହେଉଥିବାରୁ ସେମାନଙ୍କୁ ଭେଣ୍ଟିଲେଟରରେ ରଖାଯାଏ। ବର୍ତ୍ତମାନ ଦେଶରେ ଉପଲବ୍ଧ ଭେଣ୍ଟିଲେଟରର ଦାମ ୩ରୁ ୭ ଡଲାର ଭିତରେ ଥିବା ବେଳେ ଉଚ୍ଚକୋଟୀର ଭେଣ୍ଟିଲେଟରର ମୂଲ୍ୟ ୧୬ ହଜାର ଡଲାର ରହିଛି। ଏଣୁ ସରକାର ଏବେଠୁ ଏଥିପ୍ରତି ଧ୍ୟାନ ଦେବା ଆବଶ୍ୟକ।

ଦେଶରେ ସବୁଠାରୁ ଅଧିକ ସଂକ୍ରମିତ ରାଜ୍ୟ ମଧ୍ୟରେ ମହାରାଷ୍ଟ୍ର ରହିଛି। ଏଠାରେ ସଂକ୍ରମିତଙ୍କ ସଂଖ୍ୟା ୫୬୪୯ ଛୁଇଁଥିବା ବେଳେ ଗତକାଲି ୪୩୧ଟି ନୂଆ ମାମଲା ସାମ୍ନାକୁ ଆସିଛି। ଅନ୍ୟପଟେ ଗୁଜରାଟରେ ମଧ୍ୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏଠାରେ ଗତ ୫ ଦିନ ମଧ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ରେକର୍ଡ ସଂଖ୍ୟକ ବଢ଼ିଛି।

Leave A Reply

Your email address will not be published.