ମହିଳା ସଫେଇ କର୍ମୀଙ୍କ ପାଦ ଛୁଇଁ ଆଶୀର୍ବାଦ ନେଲେ କେନ୍ଦ୍ର ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିୟା, ଭାଇରାଲ ହେଉଛି ଭିଡିଓ

କେନ୍ଦ୍ର ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିୟାଙ୍କ ସ୍ୱଭାବରେ ଏବେ ବହୁତ ପରିବର୍ତ୍ତନ ଦେଖିବାକୁ ମିଳୁଛି। କେନ୍ଦ୍ରରେ ମୋଦି ସରକାରଙ୍କ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇବା ଦିନ ଠାରୁ ସେ ଖୁବ୍‌ କାମ କରୁଥିବା ଦେଖାଯାଇଛି। ସେ ଲୋକଙ୍କ ନିକଟକୁ ଯାଇ ତାଙ୍କ ସୁଖ ଦୁଃଖ ବାଣ୍ଟୁଥିବାର ଦେଖିବାକୁ ମିଳୁଛି। ରାଜ ପରିବାରର ବଂଶଜ ସିନ୍ଧିୟା ଏବେ ମୋଦିଙ୍କ ରଙ୍ଗରେ ରଙ୍ଗେଇ ଯାଇଛନ୍ତି ଓ ଲୋକଙ୍କ ନିକଟତର ହେବା ଆରମ୍ଭ କରିଛନ୍ତି।

ଶନିବାର ଆୟୋଜିତ ଏକ ସମ୍ମାନ କାର୍ଯ୍ୟକ୍ରମରେ ୟୁନିୟନ୍‌ ସିଭିଲ ଆଭିଏସନ୍‌ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିୟା ଜଣେ ମହିଳା ସଫେଇ କର୍ମୀଙ୍କ ପାଦ ଛୁଇଁ ଆଶୀର୍ବାଦ ନେଇଥିବା ଦେଖାଯାଇଛି। ଗ୍ଵାଲିୟରରେ ସଫେଇ କର୍ମୀଙ୍କ ସମ୍ମାନରେ ଆୟୋଜିତ କାର୍ଯ୍ୟକ୍ରମର ଏକ ଭିଡିଓ ଏବେ ଖୁବ୍‌ ଭାଇରାଲ ହେଉଛି। ଭିଡିଓରେ ସିନ୍ଧିୟା ଜଣେ ମହିଳା ସଫେଇ କର୍ମୀଙ୍କୁ ସମ୍ମାନିତ କରିବା ପରେ ତାଙ୍କ ପାଦ ଛୁଇଁ ଆଶୀର୍ବାଦ ନେଇଛନ୍ତି।

ଦେଖନ୍ତୁ ଭିଡିଓ:


କେନ୍ଦ୍ର ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିୟା ଏକ ଟ୍ଵିଟ୍‌ ମଧ୍ୟ କରିଛନ୍ତି। ସେ ଲେଖିଛନ୍ତି, ୨୫ ବର୍ଷ ଧରି ଗ୍ଵାଲିୟରକୁ ସ୍ୱଚ୍ଛ ଓ ସୁନ୍ଦର ରଖିବା ଲାଗି ନିଷ୍ଠାର ସହ କାମ କରିଥିବା ବବିତା ଜୀ ଓ ସମସ୍ତ ସଫେଇ ଦେବାଦେବୀଙ୍କୁ ମୋର ଶହ ଶହ ପ୍ରଣାମ।

ଆଉ ଏକ ଟ୍ଵିଟ୍‌ରେ ସିନ୍ଧିୟା କହିଛନ୍ତି, ଆଜି ଗ୍ଵାଲିୟରରେ ସ୍ୱଚ୍ଛତାର ଦୂତ ଭାବେ କାର୍ଯ୍ୟ କରୁଥିବା ଆମ ସଫେଇ କର୍ମୀଙ୍କୁ ଭଲ ସ୍ୱାସ୍ଥ୍ୟ ଓ ଉଚ୍ଚ କୋଟୀର କାର୍ଯ୍ୟ ପରିବେଶ ପାଇଁ ୟୁନିଫର୍ମ ପ୍ରଦାନ କଲି। ଏଥିସହ ସବୁ କର୍ମଚାରୀଙ୍କର ପ୍ରତି ୩ ମାସରେ ଥରେ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ। ଏଥିପାଇଁ ସମସ୍ତଙ୍କୁ ସ୍ୱାସ୍ଥ୍ୟ କାର୍ଡ ପ୍ରଦାନ କରାଯିବ ବୋଲି କେନ୍ଦ୍ର ମନ୍ତ୍ରୀ କହିଛନ୍ତି। ତେବେ ଜଣେ ରାଜ ପରିବାର ବଂଶଜଙ୍କ ଏଭଳି ମହାନତା ସମସ୍ତଙ୍କୁ ଖୁବ୍‌ ପସନ୍ଦ ଆସିଥିବା ଦେଖାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.