ଲଣ୍ଡନ ସ୍ଥିତ ବିଳାସପୂର୍ଣ୍ଣ ଘର ଛାଡିବେ ବିଜୟ ମାଲ୍ୟା, କୋର୍ଟ ଦେଲେ ନିର୍ଦ୍ଦେଶ

ଲଣ୍ଡନସ୍ଥିତ ନିଜ ବିଳାସପୂର୍ଣ୍ଣ ଘରୁ ବିଦା ହେବେ ପଳାତକ ବ୍ୟବସାୟୀ ବିଜୟ ମାଲ୍ୟା । ବିଜୟ ମାଲ୍ୟାଙ୍କୁ ଲଣ୍ଡନ ହାଇକୋର୍ଟ ପୂର୍ବରୁ ଦେବାଳିଆ ଘୋଷଣା କରିଥିବା ବେଳେ ଏବେ ଘରୁ ବାହାର କରିବାକୁ ଦେଇଛନ୍ତି ନିର୍ଦ୍ଦେଶ । ସୁଇସ୍‌ ବ୍ୟାଙ୍କ ୟୁବିଏସ୍‌ ସହ ଦୀର୍ଘ ଦିନ ଧରି ଆଇନଗତ ଲଢ଼େଇ ଜାରି ରହିଥିବା ବେଳେ ମାଲ୍ୟାଙ୍କୁ ଏହି ଘର ଖାଲି କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ଆଦେଶ ଉପରେ ରୋକ ଲଗାଇବାକୁ ମାଲ୍ୟା କୋର୍ଟରେ ଆବେଦନ କରିଥିବା ବେଳେ ତାଙ୍କ ଆବେଦନ କିନ୍ତୁ ଅଗ୍ରାହ୍ୟ ହୋଇଯାଇଛି।

ଲଣ୍ଡନର ରିଜେଣ୍ଟ ପାର୍କ ନିକଟରେ ଥିବା ବିଳାସପୂର୍ଣ୍ଣ ଆପାର୍ଟମେଣ୍ଟରେ ଥିବା ଫ୍ଲାଟ୍‌ରେ ମାଲ୍ୟାଙ୍କ ୯୫ ବର୍ଷୀୟା ମା’ ଲଳିତା ରହୁଛନ୍ତି। ଏହାର ମୂଲ୍ୟ ବହୁ ଲକ୍ଷେ ପାଉଣ୍ଡ ହେବ ବୋଲି ଅନୁମାନ କରାଯାଇଛି।

ଏହାର ଶୁଣାଣି କରି ଲଣ୍ଡନ ହାଇକୋର୍ଟ ବିଚାପତି ମ୍ୟେଥୁ ମାର୍ଶ କହିଛନ୍ତି, ମାଲ୍ୟାଙ୍କ ଉପରେ ସୁଇସ୍‌ ବ୍ୟାଙ୍କର ୨.୦୪ କୋଟି ପାଉଣ୍ଡର ଋଣ ଥିବା ବେଳେ ଦିନ ଗଡ଼ାଇ ଚାଲିଛନ୍ତି ମାଲ୍ୟା। ହେଲେ ଏହାକୁ ଶୁଝିବା ପାଇଁ ତାଙ୍କୁ ଅଧିକ ସମୟ ଦେଇ ହେବ ନାହିଁ। ତେଣୁ ମାଲ୍ୟାଙ୍କ ଉପରେ ଥିବା ଅବଶିଷ୍ଟ ବକେୟା ରାଶି ଆଦାୟ ପାଇଁ ଲଣ୍ଡନସ୍ଥିତ ଘରୁ ତାଙ୍କୁ ବେଦଖଲ କରାଯାଇ ପାରିବ ବୋଲି କହିଛନ୍ତି ବିଚାରପତି।

ବ୍ୟବସାୟୀ ମାଲ୍ୟା ମାର୍ଚ୍ଚ ୨୦୧୬ ରେ ବ୍ରିଟେନକୁ ପଳାଇଥିଲେ । ମାଲ୍ୟାଙ୍କ ନାଁରେ ଭାରତରେ ଋଣର ଅପବ୍ୟବହାର ଏବଂ ୯,୦୦୦ କୋଟି ଟଙ୍କା ଟଙ୍କା ହେରଫେର ନେଇ ଅଭିଯୋଗ ରହିଛି । ୬୫ ବର୍ଷୀୟ ମାଲ୍ୟା ବର୍ତ୍ତମାନ ବ୍ରିଟେନରେ ଜାମିନରେ ଅଛନ୍ତି । ବିସ୍ଥାପନ ପ୍ରକ୍ରିୟା ସହ ଜଡିତ ଏକ ପୃଥକ ମାମଲାରେ ଦେଶରେ ଆଶ୍ରୟ ନେଇଥିବା ଆଇନଗତ ପ୍ରକ୍ରିୟାର ସମାଧାନ ନହେବା ପର୍ଯ୍ୟନ୍ତ ସେ ଜାମିନରେ ରହିପାରନ୍ତି ବୋଲି ଅନୁମତି ରହିଛି।