ଆସନ୍ତାକାଲି କଂଗ୍ରେସର ଅଧ୍ୟକ୍ଷ ପଦ ପାଇଁ ଭୋଟିଂ, ୨୪ ବର୍ଷ ପରେ ଦଳକୁ ମିଳିବ ଅଣଗାନ୍ଧୀ ନେତୃତ୍ବ

ନୂଆଦିଲ୍ଲୀ : କିଏ ହେବ କଂଗ୍ରେସର ନୂଆ ବସ୍‌ । ଆସନ୍ତାକାଲି କଂଗ୍ରେସର ଅଧ୍ୟକ୍ଷ ପଦ ପାଇଁ ହେବ ନିର୍ବାଚନ । ମଲ୍ଲିକାର୍ଜୁନ ଖଡ୍‌ଗେ ଏବଂ ଶଶି ଥରୁରଙ୍କ ମଧ୍ୟରେ ହେବ ସିଧାସଳଖ ଲଢେଇ । ଦୀର୍ଘ ୨୪ ବର୍ଷ ପରେ ପୁଣି ଦଳକୁ ଜଣେ ଅଣଗାନ୍ଧୀ ବା ଗାନ୍ଧୀ ପରିବାର ବାହାରର ସଦସ୍ୟ ହାଇକମାଣ୍ଡ ଭାବେ ମିଳିବାକୁ ଯାଉଛନ୍ତି । ଚଳିତ ନିର୍ବାଚନରେ ଗାନ୍ଧୀ ପରିବାରରୁ କେହି ସର୍ବପୁରାତନ ଦଳର ସର୍ବୋଚ୍ଚ ସାଙ୍ଗଠନିକ ପଦବୀ ପାଇଁ ନିର୍ବାଚନ ଲଢୁନାହାନ୍ତି ।

ସକାଳ ୧୦ଟାରୁ ୪ଟା ମଧ୍ୟରେ ହେବ ଭୋଟ୍‌ । ସମଗ୍ର ଦେଶରେ ୪୦ ଟି କେନ୍ଦ୍ରରେ ୬୮ଟି ବୁଥ୍‌ ହୋଇଛି । ପ୍ରତ୍ୟେକ ରାଜ୍ୟର ପ୍ରତିନିଧି ‘ଟିକ୍‌’ ମାର୍କ ଦେଇ ଭୋଟ୍‌ ଦେବେ । ମତଦାନ କରିବେ ପ୍ରାୟ ୯ ହଜାରରୁ ଅଧିକ ପ୍ରତିନିଧି । ସୋନିଆ ଗାନ୍ଧୀ, ମନମୋହନ ସିଂ, ପ୍ରିୟଙ୍କା ଗାନ୍ଧୀଙ୍କ ସହ ସିଡବ୍ଲୁସିର ସମସ୍ତ ସଦସ୍ୟ କଂଗ୍ରେସ୍‌ ମୁଖ୍ୟାଳୟରେ ହୋଇଥିବା ବୁଥ୍‌ରେ ମତଦାନ କରିବେ ।

ତେବେ କଂଗ୍ରେସ୍‌ର ଭାରତ ଯୋଡୋ ଯାତ୍ରା ପାଇଁ ବର୍ତ୍ତମାନ କର୍ଣ୍ଣାଟକରେ ଅଛନ୍ତି ରାହୁଲ ଗାନ୍ଧୀ । ତେଣୁ ସେଠାରେ ହୋଇଥିବା ବୁଥ୍‌ରୁ ମତଦାନ କରିବେ ରାହୁଲ । ରାହୁଲଙ୍କ ସମେତ ଅନ୍ୟ ୪୦ ନେତାବି ଭୋଟ ଦେବେ। ମଲ୍ଲିକାର୍ଜୁନ ଖଡଗେ ବେଙ୍ଗାଲୁରୁ ଏବଂ ଶଶି ଥରୁର ଥିରୁଅନନ୍ତପୁରମ ସ୍ଥିତ ରାଜ୍ୟ କଂଗ୍ରେସ୍‌ କାର୍ଯ୍ୟାଳୟରେ ମତଦାନ କରିବେ । ମତଦାନ ପରେ ୧୮ ତାରିଖରେ ଦିଲ୍ଲୀ ଅଣାଯିବ ବାଲଟ୍‌ ବକ୍ସ । ୧୯ରେ ମତଗଣନା ହେବ । ଏହା ପରେ ଜଣା ପଡିବ କିଏ ଧରିବ କଂଗ୍ରେସ୍‌ କମାଣ । ତେବେ ୨୨ ବର୍ଷ ପରେ କଂଗ୍ରେସ୍‌ ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ହେଉଛି । ୧୩୭ ବର୍ଷ ମଧ୍ୟରେ ଏହା ଷଷ୍ଠ ଥର ପାଇଁ ଅଧ୍ୟକ୍ଷ ପଦ ନିର୍ବାଚନ । ପ୍ରାୟ ୨୪ ବର୍ଷ ପରେ ଗାନ୍ଧୀ ପରିବାର ବାହାରକୁ ଯାଉଛି ଦଳର କମାଣ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.