ତେଲେଙ୍ଗାନା ରେଳ ଷ୍ଟେସନରେ ମିଳୁଛି ପବନ ରୁ ପ୍ରସ୍ତୁତ ପାଣି, ମୂଲ୍ୟ ଲିଟର ପିଛା ୫ ଟଙ୍କା

୨୦୧୫ ମସିହାରେ ରାଜ୍ୟର ମାନ୍ୟତା ପାଇଥିବା ତେଲେଙ୍ଗାନାର ରେଳ ଷ୍ଟେସନରେ ଏକ ଅଜବ ଘଟଣା ଦେଖାଦେଇଛି । ଏହି ରାଜ୍ୟର ସହର ସିକନ୍ଦରାବାଦ ସ୍ଥିତ ରେଳ ଷ୍ଟେସନର ଏକ ନମ୍ବର ପ୍ଲାଟଫର୍ମରେ ପବନରୁ ସିଧା ପାଣି ପ୍ରସ୍ତୁତ କରି ବିକ୍ରି କରାଯାଉଛି । ମେଘଦୂତ ପ୍ରଣାଳୀରେ ପ୍ରସ୍ତୁତ ହୋଇଥିବା ଏହି ପାଣିର ମୂଲ୍ୟ ବୋତଲ ସହ ୮ ଟଙ୍କା ରଖାଯାଇଛି । କିନ୍ତୁ ଗ୍ରାହକ ଯଦି ନିଜ ବୋତଲରେ ଏହାକୁ ମାତ୍ର ପାଞ୍ଚ ଟଙ୍କାରେ କିଣିପାରିବେ । ରାଜ୍ୟର ଜଳଶକ୍ତି ମନ୍ତ୍ରାଳୟ ତରଫରୁ ଏହି ଟେକନିକକୁ ପରୀକ୍ଷା ନିରୀକ୍ଷା କରାଯିବା ପରେ ଏହା ସ୍ୱାସ୍ଥ୍ୟପ୍ରଦ ବୋଲି ସଫେଇ ଦେଇଛନ୍ତି । ଏହା ପରେ ରାଜ୍ୟର ସାଉଥ ସେଣ୍ଟ୍ରାଲ ରେଳ ଷ୍ଟେସନରେ ଏହାକୁ ୨ ଦିନ ତଳେ ଲଞ୍ଚ କରାଯାଇଛି । ଏହାକୁ ଦୈନନ୍ଦିନ ବ୍ୟବହାର କଲେ ଲୋକଙ୍କ ଶରୀରରେ କୌଣସି ପ୍ରକାର କୁପ୍ରଭାବ ପଡିବ ନାହିଁ ବୋଲି ମଧ୍ୟ ସ୍ପଷ୍ଟ କରାଯାଇଛି । ଏହି ପ୍ରକ୍ରିୟାରେ ଏକ ଅଟୋମେଟିକ ୱାଟର ଜେନେରେଟର ମେସିନ ପ୍ରତିଦିନ ୧୦୦୦ ଲିଟର ପାଣି ପ୍ରସ୍ତୁତ କରିପାରିଥାଏ ।

water

ଯାହାକି ପରବର୍ତ୍ତୀ ସମୟରେ ଷ୍ଟିଲ ନିର୍ମିତ ଏକ ଟ୍ୟାଙ୍କରେ ଜମା ହୋଇଥାଏ । ରାଜ୍ୟର ଖାଦ୍ୟମାନକ ଅଧିକାରୀଙ୍କ ଅନୁଯାୟୀ ଏହି ଟ୍ୟାଙ୍କ ପାଣିକୁ ଖରାପ ହେବାକୁ ଦେଇନଥାଏ । ଏହି ପାତ୍ରରେ ପାଣି ସତେଜ ଅବସ୍ଥାରେ ରହିଥାଏ । ଏହି ପ୍ରଣାଳୀର ନାମ ମେଘଦୂତ ରଖାଯାଇଥିବା ବେଳେ ମୈତ୍ରୀ ଆକୁଆଟେକ କମ୍ପାନୀ ‘ମେକ ଇନ ଇଣ୍ଡିଆ’ ଯୋଜନା ଅଧୀନରେ ଏହାକୁ ବିକଶିତ କରିଛନ୍ତି । ଅଧିକାରୀଙ୍କ ଅନୁଯାୟୀ ଏହି ମେସିନ ପରିବେଶ ପାଇଁ ସମୁର୍ଣ୍ଣ ରୂପେ ଅନୁକୂଳ ଅଟେ । ଆହୁରି ମଧ୍ୟ ଏହା କୌଣସି ପାଣି ସ୍ରୋତ ଉପରେ ନିର୍ଭର କରିନଥାଏ । ଏହାର ଆଉ ଏକ ବିଶେଷତ୍ୱ ହେଉଛି ଏଥିରୁ କୌଣସି ଆବର୍ଜନା ପଦାର୍ଥ ନିଷ୍କଶିତ ହୋଇନଥାଏ ଓ ପ୍ରତି ଋତୁରେ ଏହା କାମ କରିପାରିଥାଏ । ଏହା ଏତେ ଶବ୍ଦ ମଧ୍ୟ କରିନଥାଏ । ଆଉ ସବୁସମୟରେ ତାପମାତ୍ରା ଓ ବାୟୁ ଚାପକୁ ଡିଷ୍ଲେ ଉପରେ ଦେଖାଇଥାଏ ।

water

ପ୍ରସ୍ତୁତି ପ୍ରଣାଳୀ:

  • ସର୍ବ ପ୍ରଥମେ ଦ୍ରୁତ ବେଗରେ ବାୟୁକୁ ମେସିନରେ ପ୍ରବେଶ କରାଯାଇଥାଏ । ଏଠାରେ ବାୟୁରୁ ଧୂଳି କଣିକା ଗୁଡିକ ଦୂରୀଭୂତ ହୋଇଯାଇଥାଏ ।
  • ମେସିନରୁ ଛାଣି ହେବା ପରେ ଶୁଦ୍ଧ ବାୟୁ ସିଧା ଯାଇ କୁଲିଙ୍ଗ ଚ୍ୟାମ୍ବରରେ ଯାଇ ଜମା ହୋଇଥାଏ । ଯେଉଁଠାରେ ଏହାକୁ ତାପମାତ୍ରା କମାଯାଇ ଅତ୍ୟଧିକ ଥଣ୍ଡା କରାଯାଇଥାଏ ।
  • ଏଠାରେ କଣ୍ଡେନ୍ସେଡ଼ ବାୟୁ ପାଣିରେ ପରିଣତ ହୋଇଥାଏ । ଏହା ପରେ ବୁନ୍ଦା ବୁନ୍ଦା କରି ପାଣି ଏଠାରେ ଜମା ହୋଇଥାଏ ।
  • ଜମା ହୋଇଥିବା ପାଣି ବି କେତେକ ସ୍ତର ଦେଇ ଫିଲ୍ଟର ହୋଇଥାଏ । ଏହାଦ୍ୱାରା ପାଣିରେ ଥିବା କେତେକ ପ୍ରଦୂଷିତ କଣିକା ଗୁଡିକ ବାହାରିଯାଏ ଓ ପାଣି ସଂପୁର୍ଣ ରୂପେ ବିଶୁଦ୍ଧ ହୋଇଯାଏ ।
  • ପରେ ଏହାକୁ ଅଲଟ୍ରା ଭାଓଲେଟ କିରଣ ମଧ୍ୟ ଦେଇ ପ୍ରବେଶ କରାଯାଇଥାଏ । ଯାହା ଦ୍ଵରା ପାଣି ସମ୍ପୂର୍ଣ୍ଣ ରୂପେ ପିଇବା ଯୋଗ୍ୟ ହୋଇଯାଏ |
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.