Below header

ଭାରତର ‘ନା’ ପରେ ଇମ୍ରାନ ଖାନ୍ ଖପ୍ପା, ଔଷଧ ରାଗରେ ତାଟିଆ କାମୁଡ଼ା

ଇସଲାମାବାଦ : ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ଭାରତ ଉପରେ ଫଁ ଫଁ ହେଉଛନ୍ତି । ରାଗରେ ବିଷ ଓଗାଳୁଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପରୋକ୍ଷରେ ଟ୍ବିଟ୍ କରି କଡ଼ା ସମାଲୋଚନା ବି କରିବାକୁ ପଛାଇ ନାହାନ୍ତି । କାରଣ ହେଲା ପାକିସ୍ତାନର ପ୍ରସ୍ତାବିତ ବୈଦେଶିକ ମନ୍ତ୍ରିସ୍ତରୀୟ ଆଲୋଚନାକୁ ଭାରତ ରଦ୍ଦ କରିଦେଇଛନ୍ତି । ତେଣୁ କ୍ଷୁବ୍ଧ ହୋଇଛନ୍ତି ଇମ୍ରାନ୍ କହିବାକୁ ଗଲେ ସେ ଏବେ  ଔଷଧ ବିକଳରେ ତାଟିଆ କାମୁଡୁଛନ୍ତି । ପାକିସ୍ତାନ ଶାସନ ଭାର ମୁଣ୍ଡାଇବା ପରେ ନିକଟରେ ଇମ୍ରାନ ଖାନ୍ ଭାରତ ସହ ଶାନ୍ତି ଆଲୋଚନା ପାଇଁ ଚିଠି ଲେଖିଥିଲେ । ଏହାର ସକାରାତ୍ମକ ଜବାବରେ ଚଳିତ ମାସ ଶେଷ ଭାଗରେ ନ୍ୟୁୟର୍କରେ ଦୁଇ ଦେଶର ବୈଦେଶିକ ମନ୍ତ୍ରିସ୍ତରୀୟ କଥାବାର୍ତ୍ତା ପାଇଁ ସହମତି ଜଣାଇଥିଲେ କେନ୍ଦ୍ର ସରକାର ।

Imran-Khan

ଭାରତର ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ଓ ପାକିସ୍ତାନ ବୈଦେଶିକ ମନ୍ତ୍ରୀ ଶାହ ମେହମୁଦ କ୍ଯୁରେସୀଙ୍କ ମଧ୍ଯରେ ଆଲୋଚନା ହେବ ବୋଲି ଇମ୍ରାନଙ୍କ ଚିଠିର ଜବାବ ଦେଇଥିଲା ନୂଆଦିଲ୍ଲୀ । କିନ୍ତୁ ଗତକାଲି (୨୧-୦୯-୨୦୧୮)ରେ କେନ୍ଦ୍ର ବୈଦେଶିକ ମନ୍ତ୍ରଣାଳୟ ହଠାତ୍ ଆଲୋଚନାକୁ ରଦ୍ଦ କରି ପାକିସ୍ତାନକୁ ଶକ୍ତ ଚାପୁଡ଼ା ମାରିଥିଲା । ଯାହାକୁ ସହଜରେ ହଜମ କରି ପାରି ନାହାନ୍ତି ପାକ୍ ପ୍ରଧାନମନ୍ତ୍ରୀ । ଆଜି ପ୍ରତିକ୍ରିୟାରେ ଭାରତ ସରକାରଙ୍କୁ କଟୁ ସମାଲୋଚନା କରିଛନ୍ତି । ନାଁ ନେଇ ନଥିଲେ ବି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଟେଟ୍ କରିଛନ୍ତି । ଟ୍ବିଟ୍ କରି ଇମ୍ରାନ୍ ଲେଖିଛନ୍ତି, “ଶାନ୍ତି ଆଲୋଚନା ପାଇଁ ସେ ଦେଇଥିବା ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରି ଭାରତ ଅହଂକାରୀ ଓ ନକାରାତ୍ମକ ପ୍ରତିକ୍ରିୟା ଦେଇଛି । ଯାହା ତାଙ୍କୁ ନିରାଶ କରିଛି । ଜୀବନରେ ବହୁ ଛୋଟ ଲୋକଙ୍କୁ ଭେଟିଛି, ଯେଉଁମାନେ ଉଚ୍ଚ ପଦ ପଦବୀରେ ବସିଛନ୍ତି । କିନ୍ତୁ ସେମାନଙ୍କଠାରେ ଦୂରଦୃଷ୍ଟିର ଘୋର ଅଭାବ ରହିଛି”।


ଦ୍ବିପାକ୍ଷିକ କଥାବାର୍ତ୍ତା ପ୍ରସ୍ତାବକୁ ଭାରତ ରଦ୍ଦ କରିବା ପରେ ଗତକାଲି ନିଷ୍ପତ୍ତିକୁ ଦୁର୍ଭାଗ୍ୟଜନକ ବୋଲି କହିଥିଲେ ପାକିସ୍ତାନ ବୈଦେଶିକ ମନ୍ତ୍ରୀ ଶାହ ମେହମୁଦ କ୍ଯୁରେସୀ । ଆଜି ନିଜ ମନର ଅସନ୍ତୋଷକୁ ଜାହିର କରିଛନ୍ତି ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ । କିନ୍ତୁ ଅସଲ ମଞ୍ଜିକୁ ବୁଝି ନ ବୁଝିଲା ଭଳି ହେଉଛି ପାକିସ୍ତାନ । କାହିଁକି ଦ୍ୱିପାକ୍ଷିକ ଶାନ୍ତି କଥାବାର୍ତ୍ତାରୁ ଭାରତ ଓହରିଲା ? ଏଥିପାଇଁ ପାକିସ୍ତାନକୁ ଦାୟୀ କରାଯାଉଛି । ଦୁଇ ଦିନ ତଳେ (୨୦-୦୯-୨୦୧୮) ଜମ୍ମୁ କାଶ୍ମୀରରୁ ୩ ଜଣ ସ୍ବତନ୍ତ୍ର ପୋଲିସ ଅଫିସର (ଏସ୍ଓପି)ଙ୍କୁ ଅପହରଣ କରି ବର୍ବର ଭାବରେ ହତ୍ୟା କରିଥିଲେ ଆତଙ୍କବାଦୀ । ସେହିପରି ଆତଙ୍କବାଦୀ ବୁମରାହ ଓ୍ବାନି ସମେତ ୨୦ ଆତଙ୍କବାଦୀଙ୍କ ଫଟୋ‌ ଥିବା ଡାକ ଟିକଟ ଜାରି ପରେ ପ୍ରତିକ୍ରିୟାଶୀଳ ଭାରତ ଶାନ୍ତି ଆଲୋଚନା ପ୍ରସ୍ତାବରୁ ଦୂରେଇଗଲା । କେହି ନ ଜାଣିଲେ ବି ଭଲ ଭାବରେ ଏକଥା ଜାଣିଛି ପାକିସ୍ତାନ । ତୁଚ୍ଛାକୁ ଅଭିମାନ କରୁଛନ୍ତି ଇମ୍ରାନ୍ । ସତରେ ଯଦି ପାକିସ୍ତାନ କି ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ଭାରତ ସହ ଶାନ୍ତି ପ୍ରତିଷ୍ଠା ପାଇଁ ବ୍ୟଗ୍ର ତେବେ ଆତଙ୍କବାଦୀ ବିରୋଧୀ ଅଭିଯାନରେ ଭାରତ ସହ ହାତ ମିଳାନ୍ତୁ । ନଚେତ ଏକଘରିକିଆ ହୋଇ ରହିବା ସାର ହେବ ।

imran-khan

ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହେବା ପରେ ଆତଙ୍କବାଦ ବିରୋଧୀ ବକ୍ତବ୍ୟ ଦେଇ ଏସବୁକୁ ବରଦାସ୍ତ କରାଯିବ ନାହିଁ ବୋଲି ଇମ୍ରାନ୍ କହିଥିଲେ । ହେଲେ ଏପର୍ଯ୍ୟନ୍ତ ଭାରତ ଭୋଗୁଥିବା ଆତଙ୍କାବଦ ଯନ୍ତ୍ରଣା ଉପରେ ଦିନେ ବି ତାଙ୍କ ମୁହଁରୁ ପଦୁଟିଏ ବାହାରିଲା ନାହିଁ । ଯାହା ଆତଙ୍କବାଦକୁ ପାକିସ୍ତାନ ଦେଉଥିବା ଭିତିରି ସମର୍ଥନକୁ ଉଜାଗର କରୁଛି । ସୀମାପାର ଆତଙ୍କବାଦ ବନ୍ଦ ନହେଲା ପର୍ଯ୍ୟନ୍ତ ପାକିସ୍ତାନ ସହ ଆଲୋଚନା ସମ୍ଭବ ନୁହେଁ ବୋଲି ପୂର୍ବରୁ ଘୋଷଣା କରି ସାରିଛି ଭାରତ । ତେଣୁ ସେଇ ନୀତିରେ ଭାରତ ଅଡ଼ି ରହିବା ଉଚିତ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.