ଦୁନିଆର ସବୁଠାରୁ କମ୍‌ ବୟସ୍କ ପ୍ରଧାନମନ୍ତ୍ରୀ ବନିଲେ ଏହି ମହିଳା, ଜାଣନ୍ତୁ କେଉଁ ଦେଶରେ କରିବେ ରାଜ୍‌

ରାଷ୍ଟ୍ରପତିଙ୍କ ପରେ ପ୍ରଧାନମନ୍ତ୍ରୀଙ୍କୁ ଗୋଟିଏ ଦେଶର ମୁଖ୍ୟ କୁହାଯାଏ। ସେ ହିଁ ଦେଶକୁ ପ୍ରତିନିଧିତ୍ୱ କରିଥାନ୍ତି। ଏଣୁ ଜଣେ ବୟୋଜ୍ୟେଷ୍ଠ ତଥା ଅନୁଭୂତି ସମ୍ପନ୍ନ ବ୍ୟକ୍ତିଙ୍କୁ ସବୁ ଦେଶରେ ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ କରାଯାଏ। କିନ୍ତୁ ଫିନ୍‌ଲ୍ୟାଣ୍ଡରେ ଏହାର ଓଲଟା ଦେଖିବାକୁ ମିଳିଛି। ନିକଟରେ ଫିନ୍‌ଲ୍ୟାଣ୍ଡର ପ୍ରଧାନମନ୍ତ୍ରୀ ଭାବେ ସୋସିଆଲ ଡେମୋକ୍ରେଟ୍‌ ପାର୍ଟି ତରଫରୁ ପୂର୍ବ ପରିବହନ ମନ୍ତ୍ରୀ ସନା ମରୀନଙ୍କୁ ନିର୍ବାଚିତ କରାଯାଇଛି। ତାଙ୍କ ବୟସ ମାତ୍ର ୩୪ ବର୍ଷ। ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ପରେ ସେ କେବଳ ଫିନ୍‌ଲ୍ୟାଣ୍ଡ ନୁହେଁ ସାରା ଦୁନିଆର ସବୁଠାରୁ କମ୍‌ ବୟସ୍କ ପ୍ରଧାନମନ୍ତ୍ରୀ ହେବା ସୌଭାଗ୍ୟ ଅର୍ଜନ କରିଛନ୍ତି।

ପୂର୍ବରୁ ସବୁଠାରୁ କମ୍‌ ବୟସ୍କ ବା ଯୁବ ପ୍ରଧାନମନ୍ତ୍ରୀ ତାଲିକାରେ ୩୫ ବର୍ଷୀୟ ଉତ୍ତର କୋରିଆ ନେତା ଜଙ୍ଗ୍‌ ଉଙ୍ଗ୍‌ଙ୍କ ନାଁ ରହିଥିଲା। ୟୁକ୍ରେନ୍‌ର ପ୍ରଧାନମନ୍ତ୍ରୀ ଓଲେକ୍ସୀ ହୋଞ୍ଚାରୁକ୍‌ଙ୍କ ବୟସ ମଧ୍ୟ ୩୫ ବର୍ଷ।

୧୯୮୫ ମସିହାରେ ହେଲସିଙ୍କି ଠାରେ ମରୀନ୍‌ ଏକ ସମଲିଙ୍ଗୀ ପରିବାରରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ମା’ ଜଣେ ମହିଳାଙ୍କୁ ବିବାହ କରିଥିଲେ। ପରିବାର ଯୋଗୁ ତାଙ୍କୁ ଅନେକ ଥର ଲଜ୍ଜିତ ହେବାକୁ ପଡ଼ିଛି ବୋଲି କହିଛନ୍ତି ମରୀନ୍‌। କଲେଜ ବେଳେ ସେ ବେକେରୀରେ କାମ କରି ନିଜ ଗୁଜୁରାଣ ମେଣ୍ଟାଉଥିଲେ। ତେବେ ବର୍ତ୍ତମାନ ମରୀନ ଏକ ୨୨ ମାସର ଶିଶୁ କନ୍ୟାର ମା’। ତାଙ୍କ ଝିଅ ନାଁ ଏମା ଆମାଲିଆ ମରୀନ୍‌ ବୋଲି ଜଣାଯାଇଛି।

ମାତ୍ର ୨୭ ବର୍ଷ ବୟସରେ ମରୀନା ପ୍ରଥମେ ରାଜନୀତିରେ ଏକ ସମ୍ମାନଜନକ ପଦ ଅଳଙ୍କୃତ କରିଥିଲେ। ପ୍ରଧାନମନ୍ତ୍ରୀ ହେବା ପରେ ମରୀନ୍‌ କହିଛନ୍ତି ପୁନର୍ବାର ଲୋକଙ୍କ ହୃଦୟ ଜିତିବା ପାଇଁ ବହୁତ କାମ କରିବାକୁ ପଡ଼ିବ। ମୁଁ ମୋ ବୟସ  କିମ୍ବା ଲିଙ୍ଗ ବିଷୟରେ କେବେ ଚିନ୍ତା କରିନାହିଁ। ମୁଁ ରାଜନୀତିରେ ଆସିବାର କାରଣ ବିଷୟରେ ଚିନ୍ତା କରେ ଓ ଲୋକଙ୍କୁ ସେବା ଯୋଗାଇ ବିଶ୍ୱାସ ଜିତିବାକୁ ଚାହେଁ ବୋଲି କହିଛନ୍ତି ମରୀନ୍‌।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.