ବୁଡ଼ିବାର ୬ ଦିନ ପରେ ମିଳିଲା ‘Titan’ର ଭଗ୍ନାବଶେଷ, ଖଣ୍ଡ ଖଣ୍ଡ ଅଂଶରେ ମିଳିଛି ମାନବ ଦେହାବଶେଷ!

ଦୁର୍ଘଟଣାର ୬ ଦିନ ପରେ ମିଳିଛି ‘ଟାଇଟନ’ ବୁଡ଼ାଜାହାଜର ଭଗ୍ନାବଶେଷ। ଆଉ ଏଥିରୁ ମିଳିଛି ମଣିଷର ଦେହାବଶେଷ। ମଣିଷର ଏହି ମାଂସ, ହାଡ଼ ବୁଡ଼ାଜାହାଜରେ ପ୍ରାଣ ହରାଇଥିବା ଯାତ୍ରୀଙ୍କର ବୋଲି ଅନୁମାନ କରାଯାଉଛି।

ଦୁର୍ଘଟଣାର ୬ ଦିନ ପରେ ମିଳିଛି ‘ଟାଇଟନ’ ବୁଡ଼ାଜାହାଜର ଭଗ୍ନାବଶେଷ। ଆଉ ଏଥିରୁ ମିଳିଛି ମଣିଷର ଦେହାବଶେଷ। ମଣିଷର ଏହି ମାଂସ, ହାଡ଼ ବୁଡ଼ାଜାହାଜରେ ପ୍ରାଣ ହରାଇଥିବା ଯାତ୍ରୀଙ୍କର ବୋଲି ଅନୁମାନ କରାଯାଉଛି। ଆଟଲାଣ୍ଟିକ ମହାସାଗରରେ ବୁଡ଼ି ରହିଥିବା ଟାଇଟାନିକ ଜାହାଜର ଧ୍ୱଂସାବଶେଷ ଦେଖିବାକୁ ଯାଇଥିଲା ଟାଇଟନ। ହେଲେ ଦୁର୍ଭାଗ୍ୟବଶତଃ ଏହା ଦୁର୍ଘଟଣାର ଶିକାର ହୋଇଥିଲା, ଯାହାଫଳରେ ଏଥିରେ ଥିବା ୫ ଆରବପତିଙ୍କର ଜୀବନ ଚାଲିଯାଇଥିଲା।

ଉଦ୍ଧାରକାରୀ ଦଳ ଟାଇଟନର ୨ଟି ଧ୍ୱଂସାବଶେଷ ଉଦ୍ଧାର କରିଛି। ଏହାକୁ ପରୀକ୍ଷା କରିବା ପରେ ମିଳିଛି ମଣିଷ ଶରୀରର କିଛି ଅଂଶ। ଏହାର ଫର୍ମାଲ ଅନାଲିସସ କରିବେ ଆମେରିକା ମେଡିକାଲ ଟିମ୍। SUV କାର ସାଇଜର ଟାଇଟନ ଜାହାଜରେ ହୋଇଥିଲା ବିସ୍ଫୋରଣ। ୫ ଜଣ ଯାତ୍ରୀଙ୍କ କିଛି ମୂହୁର୍ତ୍ତରେ ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି।

ଉଦ୍ଧାର ହୋଇଥିବା ଟାଇଟନର ଅଂଶକୁ ଅଧିକ ପରୀକ୍ଷା ପାଇଁ ଆମେରିକା ବନ୍ଦରକୁ ନିଆଯାଇଛି। ଟାଇଟନରେ ନ ଥିଲା ବ୍ଲାକ୍‌ବକ୍ସ, ଫଳରେ ଏହାର ଶେଷ ଅବସ୍ଥିତି ସଂପର୍କରେ କୌଣସି ତଥ୍ୟ ମିଳି ପାରିନାହିଁ। ଟାଇଟନ ବୁଡ଼ାଜାହାଜର ପ୍ରତି ଅଂଶକୁ ସମୁଦ୍ରରୁ ଉଦ୍ଧାର କରାଯାଇ ଏହାର ଯାଞ୍ଚ କରାଯିବ।

ଭଗ୍ନାବଶେଷର ସବୁଠାରୁ କ୍ଷୁଦ୍ର କଣିକାକୁ ମାଇକ୍ରୋସ୍କୋପ୍‌ରେ ଦେଖାଯିବ। ଏଥିରୁ କାର୍ବନ ଫାଇଭର ଫିଲାମେଣ୍ଟର ଦିଗ ସଂପର୍କରେ ସୂଚନା ମିଳି ପାରିବ। ଏହା ମାଧ୍ୟମରେ ଟାଇଟନ ବିସ୍ଫୋରଣ ସଂପର୍କରେ ତଥ୍ୟ ମିଳିବ।

ଅଥଳ ସମୁଦ୍ରରେ ଟାଇଟାନିକ ବୁଲିବାକୁ ଟାଇଟନ ବୁଡାଜାହାଜରେ ଯାଇଥିଲେ ୫ ପର୍ଯ୍ୟଟକ। ଗତ ୧୮ ତାରିଖରେ ଟାଇଟନ ସହ ଯୋଗାଯୋଗ ବିଛିନ୍ନ ହୋଇ ଯାଇଥିଲା। ପରେ ଟାଇଟାନିକ ଜାହାଜର ଧ୍ୱଂସାବଶେଷ ନିକଟରୁ ଏହାର ଧ୍ୱଂସାବଶେଷ ଠାବ ହୋଇଥିଲା। ଟାଇଟାନିକ୍‌ ଜାହାଜର ୧୬୦୦ ମିଟର ଦୂରରୁ ଏହା ମିଳିଥିଲା। ବିସ୍ଫୋରଣ ହୋଇ ଖଣ୍ଡବିଖଣ୍ଡିତ ହୋଇଯାଇଥିଲା ଏହି ବୁଡ଼ାଜାହାଜ। ଜାହାଜର ଅନେକ ଖଣ୍ଡବିଖଣ୍ଡିତ ଅଂଶକୁ କାନାଡାର ସେଣ୍ଟ୍‌ ଜନ୍‌ ବନ୍ଦରକୁ ଅଣାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.