ମାଗଣାରେ ପାନ ନଦେବାରୁ ଦୋକାନୀର କାନ ଓ ଓଠକୁ କାମୁଡି ଛିଣ୍ଡାଇ ଦେଲା ଯୁବକ

ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ଏକ ଆଶ୍ଚର୍ଯ୍ୟକଲା ଭଳି ଘଟଣା ଦେଖିବାକୁ ମିଳିଛି। ଯାହାକୁ ଶୁଣିଲେ ଆପଣ ମଧ୍ୟ ତାଜୁବ ହୋଇଯିବେ। ଘଟଣାଟି ହେଉଛି ଜଣେ ବ୍ୟକ୍ତି ପାନ ଦୋକାନୀକୁ ମାଗଣା ପାନ ମାଗିଥିଲା । କିନ୍ତୁ ଦୋକାନୀ ଜଣକ ମାଗଣା ପାନ ଦେବା ପାଇଁ ମନା କରିବା କାରଣରୁ ଯୁବକ ଜଣକ ଉତକ୍ଷିପ୍ତ ହୋଇ ପାନ ବିକ୍ରେତାଙ୍କର ବାମ କାନ ଓ ତଳ ଓଠକୁ କାମୁଡି କ୍ଷତବିକ୍ଷତ କରିଦେଇଛନ୍ତି।

ସୂଚନା ଅନୁଯାୟୀ ଅଭିଯୁକ୍ତ ଜଣକ ପେଶାରେ ଜଣେ ଭିଡିଓଗ୍ରାଫର ଅଟନ୍ତି । ଗତ ମଙ୍ଗଳବାର ଦିନ ରାତିରେ 28 ବର୍ଷୀୟ ସାଲୁ ଏକ ପାନ ଦୋକାନକୁ ଯାଇ ମାଗଣାରେ ପାନ ମାଗିଥିଲେ । ତେବେ ମାଗଣାରେ ପାନ ଦେବାପାଇଁ ଦୋକାନୀ ସତ୍ୟେନ୍ଦ୍ର ସାଲୁଙ୍କୁ ମନା କରିଦେଇଥିଲେ ଯେଉଁଥିରେ ଉତକ୍ଷିପ୍ତ ହୋଇ ସାଲୁ ପ୍ରଥମେ ତାଙ୍କ ଉପରକୁ ପଥର ଫୋପାଡ଼ି ଥିଲେ ଓ ପରେ ତାଙ୍କ ବାମ କାନକୁ ଜୋରସେ କାମୁଡି ଦେଇଥିଲେ । ଯନ୍ତ୍ରଣାରେ ଛଟପଟ ହୋଇ ସତ୍ୟେନ୍ଦ୍ର ଯେତେବେଳେ ତଳେ ପଡିଗଲେ ସେହି ସମୟରେ ସାଲୁ ତାଙ୍କ ତଳ ଓଠକୁ ମଧ୍ୟ ଆସି କାମୁଡି ରକ୍ତାକ୍ତ କରିଦେଇଥିଲେ ।

ଏହାପରେ ସେହି ବାଟ ଦେଇ ଯାଉଥିବା ଲୋକମାନେ ସତ୍ୟେନ୍ଦ୍ରଙ୍କୁ ଉଦ୍ଧାର କରି ତୁରନ୍ତ ଡାକ୍ତରଖାନା ନେଇଯାଇଥିଲେ ଓ ଏହାପରେ ସ୍ଥାନୀୟ ପୋଲିସ ଷ୍ଟେସନରେ ସାଲୁଙ୍କ ନାମରେ ଅଭିଯୋଗ କରାଯାଇଥିଲା । ଅଭିଯୋଗ ଅନୁଯାୟୀ ଗତକାଲି ପୋଲିସ ସାଲୁଙ୍କୁ ଗିରଫ କରିଛି । ତେବେ ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ସାଲୁ ଜଣେ ମଦ୍ୟପ ଅଟନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.