ଆମେରିକା ସହରରେ ପୁଣି ଗୁଳିକାଣ୍ଡ: ୩ ମୃତ, ୭ରୁ ଅଧିକ ଗୁରୁତର

ଆମେରିକାର ନ୍ୟୁ ମେକ୍ସିକୋର ଫାର୍ମିଙ୍ଗଟନରେ ଗୁଳିକାଣ୍ଡ ଘଟି ୩ ଜଣଙ୍କର ପ୍ରାଣ ଚାଲିଯାଇଥିବା ବେଳେ ୭ରୁ ଅଧିକ ଗୁରୁତର ହୋଇଛନ୍ତି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ସନ୍ଦିଗ୍ଧଙ୍କୁ ହତ୍ୟା କରିଛି ।

ପୁଣି ଥରେ ଆମେରିକାରେ ଗୁଳିକାଣ୍ଡ । ନ୍ୟୁ ମେକ୍ସିକୋର ଫାର୍ମିଙ୍ଗଟନରେ ଗୁଳିକାଣ୍ଡରେ ତିନି ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଲୋକ ଆହତ ହୋଇଛନ୍ତି। ଏହାସହିତ ୨ ଜଣ ପୋଲିସ ସହିତ ଅନ୍ୟ ୭ ଜଣ ଲୋକ ଗୁରୁତର ଆହତ ହୋଇଛନ୍ତି । ପୋଲିସ ସୋସିଆଲ ମିଡିଆରେ ଏହି ସୂଚନା ଦେଇଛି। ଏନକାଉଣ୍ଟର ବେଳେ ସନ୍ଦିଗ୍ଧ ବନ୍ଧୁକଧାରୀଙ୍କୁ ଘଟଣାସ୍ଥଳରେ ହତ୍ୟା କରାଯାଇଥିବା ପୋଲିସ କହିଛି।

ପୋଲିସ ଏକ ସୋସିଆଲ ମିଡିଆ ପୋଷ୍ଟରେ କହିଛି ଯେ, ବ୍ରୁକସାଇଡ୍ ପାର୍କ ଅଞ୍ଚଳରେ ରାତି ୧୧ ଟା ପରେ ଗୁଳି ବିନିମୟ ହୋଇଥିଲା । ସ୍ଥାନୀୟ ଅଞ୍ଚଳରେ ଜଣେ ବ୍ୟକ୍ତି ରାସ୍ତାରେ ବନ୍ଧୁକ ଧରି ଗୁଳିକାଣ୍ଡ ଘଟାଇଥିଲା । ପୋଲିସ ଏହାକୁ ସାମ୍ନା କରିବା ବେଳକୁ ୩ ଜଣଙ୍କର ପ୍ରାଣ ଚାଲିଯାଇଥିଲା । ଯାହା ପରେ ସହରର ସମସ୍ତ ବିଦ୍ୟାଳୟ ବନ୍ଦ ରହିଥିଲା। ପୋଲିସ ଏହି ମାମଲାରେ ଯାଞ୍ଚ ଆରମ୍ଭ କରିଦେଇଛି ।

ଆହତ ହୋଇଥିବା ଦୁଇ ପୋଲିସ ଅଧିକାରୀଙ୍କ ଅବସ୍ଥା ସ୍ଥିର ରହିଛି । ଏପର୍ଯ୍ୟନ୍ତ ସନ୍ଦିଗ୍ଧ ଏବଂ ମୃତକଙ୍କ ବିଷୟରେ ସବିଶେଷ ବିବରଣୀ ମିଳିନାହିଁ ।

ସୂଚନାଯୋଗ୍ୟ, ଚଳିତବର୍ଷ ଆମେରିକାରେ ୨୦୦ରୁ ଅଧିକ ଗୁଳିକାଣ୍ଡ ଘଟଣା ସାମ୍ନାକୁ ଆସିଛି । ଏହାପୂର୍ବରୁ ୩୦ ଏପ୍ରିଲରେ ଗୁଳିକାଣ୍ଡ ହୋଇଥିଲା। ସେଥିରେ ୫ ଜଣଙ୍କର ମୃତ୍ୟୁ ହୋଇଥିଲା । ଏହି ଘଟଣାରେ ୯ ବର୍ଷର ଝିଅର ମଧ୍ୟ ମୃତ୍ୟୁ ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.