ମିଳିଗଲା ଶିଶୁ: ଏବେ ପ୍ରଶ୍ନ, ହସ୍ପିଟାଲ କର୍ମଚାରୀଙ୍କ ବିନା ସହଯୋଗରେ କେମିତି କିଏ ଟେକି ନେଇଥିଲା?

ଶିଶୁପୁତ୍ରକୁ ଫେରାଇବା ପାଇଁ ପରିବାର ପକ୍ଷରୁ ମେଡିକାଲ କର୍ତୁପକ୍ଷ ଙ୍କୁ ୨୪ ଘଣ୍ଟାର ମହଲତ ଦିଆଯାଇଥିଲା । ଶିଶୁ ପୁତ୍ର ନ ମିଳିଲେ ଆତ୍ମାହୁତି ଦେବାକୁ ଚେତାବନୀ ଦେଇଥିଲେ ଶିଶୁଟିର ବାପା ମା । ଏପଟେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ କହିଥିଲେ ଆଜି ସକାଳ ୮ଟା ଭିତରେ ପିତାମାତାଙ୍କୁ ଶିଶୁ ପୁତ୍ରକୁଙ୍କୁ ହସ୍ତାନ୍ତର କରିବେ ବୋଲି ।

ବାଲେଶ୍ଵର(କେନ୍ୟୁଜ୍): ମୋ କଅଁଳ ଛୁଆଟାକୁ କିଏ ନେଇ ଯାଇଛି । ତା ଦେହ ଅସୁସ୍ଥ ଥିଲା । ଆମ ଅଜାଣତରେ କିଏ ଚୋରି କରିନେଇଛି ଆମ ପୁଅକୁ । ପୁଅକୁ ନଦେଲେ ଆମେ ବାପା ମା ଜୀବନ ହାରିବୁ । ଗତକାଲି କୋହଭରା କଣ୍ଠରେ ଏମିତି କିଛି କହିଥିଲେ, ହସ୍ପିଟାଲ ଭିତରୁ ଚୋରି ହୋଇଯାଇଥିବା  ନବଜାତ ଶିଶୁ ପୁତ୍ରଟିର ବାପା,ମା’ । ଏହି ଖବର ପ୍ରଚାର ହେବାପରେ ପରିସ୍ଥିତି ଅସମ୍ଭାଳ ହୋଇପଡିଥିଲା । କିଏ ବା କେମିତି ସହିପାରିବ ଏତେ ବଡ ଅଘଟଣକୁ ।

ଗତ ମାର୍ଚ୍ଚ ୨୮ରେ ବାଲେଶ୍ଵର ଜିଲ୍ଲା ଭୋଗରାଇ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ବାଲିଆପାଳ ବ୍ଲକ ଆଠ ବାଟିଆ ଗାଁର ସୁଶାନ୍ତ ବାରିକଙ୍କ ଏକ ପୁତ୍ର ସନ୍ତାନ ଜନ୍ମ ହୋଇଥିଲା । ନବଜାତ ଶିଶୁ ପୁତ୍ର ଜଣ୍ଡିସରେ ଆକ୍ରାନ୍ତ ହେବା ପରେ ପରିବାର ପକ୍ଷରୁ ଅଧିକ ଚିକିତ୍ସା ପାଇଁ ଗତ ୨ ତାରିଖରେ ବାଲେଶ୍ଵର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସା ଚାଲିଥିବା ବେଳେ ଶିଶୁର ମାଆ ଓ ବାପା ମେଡିକାଲ ବାହାରକୁ ଆସିବା ପରେ ଶିଶୁଟି ବେଡ୍ ରେ ନଥିଲା । ଭାବିଲେ କଣ ବିତୁଥିବ ସେହି ବାପା ମାଙ୍କ ଉପରେ ।

ହେଲେ ବର୍ତ୍ତମାନ ଯାହା ସୂଚନା ମିଳିଛି କି, ମେଡିକାଲରୁ ଚୋରି ହେବାର କେଇ ଘଣ୍ଟା ଭିତରେ ୭ ଦିନର ଶିଶୁପୁତ୍ରକୁ ଉଦ୍ଧାର କରାଯାଇଛି ।  ସୁରକ୍ଷିତ ଭାବେ ଶିଶୁପୁତ୍ରକୁ ଉଦ୍ଧାର କରିବା ସହ ଜଣେ ମହିଳାଙ୍କୁ ଅଟକ ରଖିଛି ପୋଲିସ୍ । ଚୋରି ଶିଶୁପୁତ୍ରକୁ ରେମୁଣା ଥାନା ଅଧୀନ ଦୁର୍ଗାଦେବୀ ଅଞ୍ଚଳରୁ ଉଦ୍ଧାର କରାଯାଇଥିବା ସୂଚନା ମିଳିଛି ।

ସୂଚନା ମୁତାବକ, ବାଲେଶ୍ଵର ଜିଲ୍ଲା ବଡ ଡାକ୍ତରଖାନାରେ ଗତକାଲି ଘଟିଥିଲା ଏକ ବଡ ଅବହେଳା । ମେଡିକାଲ ବେଡରୁ ୭ ଦିନର ଶିଶୁପୁତ୍ରକୁ କେହି ଚୋରି କରିନେଇଥିଲା । ସବୁଠାରୁ ବଡ଼କଥା ହେଲା ମେଡିକାଲ ଭିତରେ ଅନ୍ୟ ଏକ ବେଡ୍ ରେ ଏକ ଶିଶୁକନ୍ୟାକୁ ରଖି ଚାଲିଯାଇଥିଲା । ଯାହା ସନ୍ଦେହ କରାଯାଇଥିଲା କି, ଶିଶୁ କନ୍ୟା କୁ କେହି ରଖି ତା ବଦଳରେ ଶିଶୁ ପୁତ୍ରକୁ ଚୋରି କରିନେଇଛି । ତେବେ ଘଟଣା ପରେ ଚୋରି ହୋଇଥିବା ଶିଶୁପୁତ୍ର ର ପରିବାର ପକ୍ଷରୁ ମେଡିକାଲ ଫାଣ୍ଡି ଆଗରେ ପାଟିତୁଣ୍ଡ କରାଯାଇଥିବା ଦେଖିବାକୁ ମିଳିଥିଲା ।

ଶିଶୁପୁତ୍ରକୁ ଫେରାଇବା ପାଇଁ ପରିବାର ପକ୍ଷରୁ ମେଡିକାଲ କର୍ତୁପକ୍ଷ ଙ୍କୁ ୨୪ ଘଣ୍ଟାର ମହଲତ ଦିଆଯାଇଥିଲା । ଶିଶୁ ପୁତ୍ର ନ ମିଳିଲେ ଆତ୍ମାହୁତି ଦେବାକୁ ଚେତାବନୀ ଦେଇଥିଲେ ଶିଶୁଟିର ବାପା ମା । ତେବେ ଦୀର୍ଘ ସମୟ ପଟି ତୁଣ୍ଡ ଓ ଶିଶୁ ପୁତ୍ର ର ମାଆ ସିଡିଏମଓଙ୍କ କାର୍ଯ୍ୟଳୟ ଆଗରେ ପ୍ରତିବାଦ କରିବା ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ କହିଥିଲେ ଆଜି ସକାଳ ୮ଟା ଭିତରେ ପିତାମାତାଙ୍କୁ ଶିଶୁ ପୁତ୍ରକୁଙ୍କୁ ହସ୍ତାନ୍ତର କରିବେ ବୋଲି । ଆଉ ନିଜ କଥା ମୁତାବକ ଶିଶୁଟିକୁ ଠିକ୍ ସମୟରେ ଉଦ୍ଧାର କରାଯିବା ସହିତ ବାପା ମାଙ୍କୁ ହସ୍ତାନ୍ତର କରାଯାଇଛି ।

ଏପଟେ ସାଧାରଣରେ ପ୍ରଶ୍ନ ଉଠିଛି, ଶିଶୁଟି କେମିତି ଡାକ୍ତରଖାନା ବାହାରକୁ ଗଲା? ଦାୟିତ୍ୱରେ ଥିବା ଡାକ୍ତର ଓ ନର୍ସ କଣ ସେତେବେଳେ କରୁଥିଲେ? ଏଥିରେ ହସ୍ପିଟାଲ କତୃପକ୍ଷଙ୍କ ହାତ ନାହିଁ ତ? ହସ୍ପିଟାଲ କର୍ମଚାରୀଙ୍କ ବିନା ଅନୁମତି, ବିନା ସହାୟତାରେ କେମିତି କିଏ ଶିଶୁଟିକୁ ଡାକ୍ତରଖାନାରୁ ଟେକିନେଲା? ଏଭଳି ଅନେକ ପ୍ରଶ୍ନର ଉତ୍ତର ଖୋଜୁଛନ୍ତି ଜନତା ।

ଏପଟେ ଅଭିଯୋଗ ଅନୁସାରେ ଉଭୟ ପୋଲିସ୍ ଏବଂ ମେଡିକାଲ ପକ୍ଷରୁ ତଦନ୍ତ ଆରମ୍ଭ କରାଯାଇଛି । ଯେଉଁ ମାନେ ଏଥିପାଇଁ ଦାୟୀ ଥିବେ ସେମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କୁହାଯାଇଛି । ତେବେ ଏଭଳି ଏକ ଘଟଣା ସମଗ୍ର ଓଡିଶାରେ ଚର୍ଚ୍ଚାର ବିଷୟ ପାଲଟିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.