ଭକ୍ତର ଇଚ୍ଛାକୁ ପୂରଣ କଲେ ମା’ ବିନ୍ଧ୍ୟବାସିନୀ, ଭକ୍ତ ଖୁସିରେ ଦାନ କଲେ ୧୦୧ କେଜିର ରୁପା କବାଟ

ଭଗବାନ କାହାର କେତେ ବେଳେ ମନସ୍କାମନା ପୂରଣ କରନ୍ତି, ତାହା ଜାଣିବା ଅସମ୍ଭବ। ଭକ୍ତର ଇଚ୍ଛା, କଷ୍ଟ, ଦୁଃଖ, ଅଭାବକୁ ପୂରଣ କରିବା ପାଇଁ ଭଗବାନ ଆଶୀର୍ବାଦ ଦିଅନ୍ତି। ଆଉ ଭକ୍ତର ଇଚ୍ଛା ପୂରଣ ହେଲେ ଭକ୍ତ ଖୁସି ଏବଂ ସାମର୍ଥ୍ୟ ମୁତାବକ ମନ୍ଦିର ହେଉ ଅବା ଭଗବାନଙ୍କୁ ଦାନ କରନ୍ତି। ଏମିତି ଏକ ଘଟଣା ମିର୍ଜାପୁରରେ ଦେଖିବାକୁ ମିଳିଛି।

ମିର୍ଜାପୁରର ବିନ୍ଧ୍ୟାଞ୍ଚଳରେ ଥିବା ପ୍ରସିଦ୍ଧ ମା’ ବିନ୍ଧ୍ୟବାସିନୀ ମନ୍ଦିରରେ ଜଣେ ଭକ୍ତର ମନସ୍କାମନା ପୂରଣ ହେବାରୁ ୧୦୧ କେଜି ରୁପାରେ ନିର୍ମିତ କବାଟ ଦାନ କରିଛନ୍ତି। ମନ୍ଦିରର ଗର୍ଭ ଗୃହରେ ପ୍ରବେଶ ଦ୍ୱାରରେ ଏହି ରୁପା କବାଟକୁ ବୈଦିକ ମନ୍ତ୍ର ଉଚ୍ଚାରଣ କରି ସ୍ଥାପିତ କରାଯାଇଛି। ଆଉ ଏହି ରୁପା କବାଟର ଦାମ୍‌ ୮୦ ଲକ୍ଷ ଟଙ୍କା ବୋଲି ଜଣାପଡିଛି।

ଏହି କବାଟର ଲମ୍ବା ୫ଫୁଟ ଏବଂ ଚଉଡା ୨ ଫୁଟ ରହିଛି। ଏହାକୁ ରାଜସ୍ଥାନରେ ନିର୍ମାଣ କରାଯାଇଛି। ଏହି ରୁପାର କବାଟକୁ ମନ୍ଦିରରେ ଲଗାଇବା ପାଇଁ ରାଜସ୍ଥାନର ଝୁନଝୁନ ଜିଲ୍ଲାରୁ ୫ ଜଣ କାରିଗର ମଧ୍ୟ ଡକାଯାଇଛି। ମନ୍ଦିରର ଯେଉଁ ସ୍ଥାନରେ କବାଟ ଲାଗିଛି, ପୂର୍ବରୁ ସେଠାରେ ଏକ ପିତ୍ତଳ କବାଟ ଲାଗିଥିଲା।

vindyabasini
Photo credit: Inditales

ରୁପା କପାଟ ଦାନ କରିଥିବା ଭକ୍ତ ରାଞ୍ଚିର ବୋଲି ଜଣାପଡିଛି। ଏହି ଅବସରରେ ବିନ୍ଧ୍ୟବାସିନୀ ମନ୍ଦିରରେ ବିଶେଷ ପୂଜା କରାଯାଇଛି। ଭକ୍ତ ସଞ୍ଜୟ ଚୌଧୁରୀ କହିଛନ୍ତି, ସେ ଦୀର୍ଘ ୨୫ ବର୍ଷ ଧରି ବିନ୍ଧ୍ୟାଞ୍ଚଳକୁ ଆସୁଛନ୍ତି। ସଞ୍ଜୟ ମଧ୍ୟ ନବରାତ୍ରି ସମୟରେ ପରିବାର ସହିତ ଆସିଥିଲେ। ନବରାତ୍ରି ସମୟରେ ସେ ମନସ୍କାମନା କରିଥିଲେ କି, ତାଙ୍କ ସଂକଳ୍ପ ପୂରଣ ହେଲେ ସେ ମାତାଙ୍କ ଗର୍ଭ ଗୃହରେ ରୁପାର କବାଟ ଲଗାଇବେ। ମା’ଙ୍କ ଆଶୀର୍ବାଦରୁ ତାଙ୍କ ମନସ୍କାମନା ପୂରଣ ହୋଇଥିଲା ତେଣୁ ସେ ମା’ଙ୍କ ଗର୍ଭଗୃହ ଦ୍ୱାରରେ ୧୦୧ କେଜିର ରୁପା କବାଟ ଦାନ କରିଥିଲେ।

ସୂଚନାଯୋଗ, ଗତବର୍ଷ ଅଗଷ୍ଟରେ ବିହାର ଜଣେ ମନ୍ତ୍ରୀ ମା’ଙ୍କ ମନ୍ଦିରକୁ ଏକ କିଲୋ ସୁନାର ମୁକୁଟ ଏବଂ ଚରଣ ଦାନ କରିଥିଲେ। ଯାହାର ଦାମ୍‌ ୫୦ ଲକ୍ଷ ଟଙ୍କା। ମା’ ବିନ୍ଧ୍ୟବାସିନୀଙ୍କ ମନ୍ଦିରରୁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଆସିଥାନ୍ତି। ଲୋକଙ୍କ ମନସ୍କାମନା ପୂରଣ ହେଲେ ଲୋକେ ବିଭିନ୍ନ ଜିନିଷ ଦାନ କରନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.