୨୪ ଘଣ୍ଟାରେ ୩ଟି ରେଳ ଦୁର୍ଘଟଣା, ବାରମ୍ବାର ଦୁର୍ଘଟଣା ପାଇଁ ଭୟରେ ଅଛନ୍ତି ଯାତ୍ରୀ

୨୪ ଘଣ୍ଟାରେ ଏଭଳି ୩ଟି ରେଳ ଦୁର୍ଘଟଣା ଘଟିଥିବାରୁ ଯାତ୍ରୀମାନେ ଭୟରେ ଅଛନ୍ତି । ଟ୍ରେନରେ ଯାତ୍ରା ସବୁଠାରୁ ନିରାପଦ ପରିବହନର ମାଧ୍ୟମ ବୋଲି ବିଚାର କରାଯାଏ । କିନ୍ତୁ ବାହାନଗା ଟ୍ରେନ ଦୁର୍ଘଟଣା ପରେ ବାରମ୍ବାର ହେଉଥିବା ଟ୍ରେନ ଦୁର୍ଘଟଣାକୁ ନେଇ ଭୟଭୀତ ଜନ ସାଧାରଣ ।

ବାହାନଗା ଟ୍ରେନ ଦୁର୍ଘଟଣାର ଭୟ ମନରୁ ଏବେ ବି ଲିଭିନି । ଲୋକଙ୍କ ଚିତ୍କାର ଓ କୁଢ଼ କୁଢ଼ ଶବ କଥା ଭାବିଲେ ଏବେ ବି ଦେହ ଥରି ଉଠେ । ସେ ଅନ୍ଧାର ରାତିରେ ଯେଉଁ ଦୁର୍ଘଟଣା ଘଟିଥିଲା ତାକୁ ଭୁଲିବା ମୁସ୍କିଲ । ସେ କଥା ମନରୁ ଲିଭି ନଥିବା ବେଳେ ପୁଣି ଘଟିଛି ଆଉ ତିନୋଟି ରେଳ ଦୁର୍ଘଟଣା । କେଉଁଠି ଟ୍ରେନରେ ନିଆଁ ଲାଗିଛି ତ ଆଉ କେଉଁଠି ଧୂଆଁ ବାହାରୁଛି । ଏସବୁ ଦେଖିବା ପରେ ଯାତ୍ରୀଙ୍କ ମନରେ ଭରିଯାଇଛି ଭୟ । ଲୋକମାନେ ଟ୍ରେନରେ ଯାତ୍ରା କରିବାକୁ ଭୟ କରୁଛନ୍ତି । ଟ୍ରେନରେ ବସିଲେ ନିଜ ଗନ୍ତବ୍ୟ ସ୍ଥଳରେ ପହଞ୍ଚି ପାରିବେ କି ନାହିଁ ତାକୁ ନେଇ ଚିନ୍ତା ଘାରୁଛି । ଆଉ ଟ୍ରେନରୁ ଓହ୍ଲାଇବା ପରେ ଶାନ୍ତିରେ ନିଶ୍ୱାସ ମାରୁଛନ୍ତି । ତେବେ ଏଭଳି ଟ୍ରେନ ଦୁର୍ଘଟଣାର କାରଣ କଣ । କାହିଁକି ବାରମ୍ବାର ଏପରି ଘଟୁଛି । ଏଥିପାଇଁ ଦାୟୀ କିଏ ? ଏଭଳି ଅନେକ ପ୍ରଶ୍ନ ସାଧାରଣରେ ସୃଷ୍ଟି ହୋଇଛି ।

ଗତ କାଲି ରାତିରେ ନୂଆଦିଲ୍ଲୀରୁ ଦରଭଙ୍ଗା ଅଭିମୁଖେ ଯାଉଥିବା କ୍ଲୋନ ସ୍ପେସାଲ ଏକ୍ସପ୍ରେସରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଥିଲା । ଏହି ଦୁର୍ଘଟଣାରେ ଗୋଟିଏ କୋଚ୍ ଜଳି ପୋଡ଼ି ପାଉଁଶ ହୋଇଯାଇଥିଲା ଏବଂ ଏହାକୁ ଲାଗି ରହିଥିବା ଅନ୍ୟ ଦୁଇଟି କୋଚ୍ ମଧ୍ୟ ନିଆଁରେ କ୍ଷତିଗ୍ରସ୍ତ ହୋଇଥିଲା । ଉତ୍ତରପ୍ରଦେଶର ସରାଇ ଭୋପତ ଷ୍ଟେସନ ଅତିକ୍ରମ କରିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା । ଏହି ରେଳ ଦୁର୍ଘଟଣାର ଭିଡିଓ ମଧ୍ୟ ଭାଇରାଲ ହେଉଛି । ତେବେ ଏହି ନିଆଁରେ ଯଦି ମଣିଷ ଫସି ଯାଏ ତେବେ ତାର ଅବସ୍ଥା ଯେ କଣ ହେବ ତାହା ନ କହିବା ଭଲ । ଯେଉଁ ନିଆଁରେ କୋଚ ଜଳି ପୋଡ଼ି ପାଉଁଶ ହୋଇ ଯାଉଛି ସେଠି ମଣିଷର କଣ ହେବ ତାହା କେବଳ ଅନୁମାନ କରିହେବ ।

ଅନ୍ୟପଟେ ଏହି ଦୁର୍ଘଟଣାର ୧୨ ଘଣ୍ଟା ନ ପୁରୂଣୁ ପୁଣି ହେଲା ଆଉ ଏକ ରେଳ ଦୁର୍ଘଟଣା । ୧୨ ଘଣ୍ଟା ଭିତରେ ହିଁ ଉତ୍ତରପ୍ରଦେଶର ଇଟାଓ୍ଵାରେ ଦୁଇଟି ଟ୍ରେନରେ ହେଲା ଅଗ୍ନିକାଣ୍ଡ । ବୈଶାଳୀ ଏକ୍ସପ୍ରେସ ଟ୍ରେନରେ ପୁଣି ହୋଇଥିଲା ଅଗ୍ନିକାଣ୍ଡ । ଦିଲ୍ଳୀରୁ ସହରସା ଯାଉଥିବାବେଳେ ଏହି ଦୁର୍ଘଟଣା ଘଟିଥିଲା । ଏହି ଟ୍ରେନର ଏସ୍‌-୬ ବଗିରେ ଅଗ୍ନିକାଣ୍ଡ ହୋଇଥିଲା । ତେବେ ପ୍ରଥମ ଦୁର୍ଘଟଣାରେ କୌଣସି ବ୍ୟକ୍ତି ଆହତ ହୋଇ ନଥିବାବେଳେ ଦ୍ୱିତୀୟ ଦୁର୍ଘଟଣାରେ ୧୯ରୁ ଅଧିକ ଯାତ୍ରୀ ଆହତ ହୋଇଥିଲେ ।

ଏହି ଦୁଇଟି ଦୁର୍ଘଟଣା ଘଟିବାର ୨୪ ଘଣ୍ଟା ବିତି ନଥିବା ବେଳେ ପୁଣି ଆଉ ଏକ ଟ୍ରେନରେ ନିଆଁ ଲାଗିଥିଲା । ଟ୍ରେନର ବଗି ତଳୁ ଧୂଆଁ ବାହାରୁଥିବା ଦେଖିବାକୁ ପାଇଥିଲେ ଯାତ୍ରୀ । ଏଭଳି ଦୃଶ୍ୟ ଦେଖିବା ପରେ ଭୟରେ ସମସ୍ତ ଯାତ୍ରୀ ଟ୍ରେନରୁ ଓହ୍ଲାଇ ପଡ଼ିଥିଲେ । ଏହି ଦୁର୍ଘଟଣା ବିଶାଖାପାଟଣା ବିଜୟନଗରମ ଷ୍ଟେସନ ମଝିରେ ଘଟିଛି ବୋଲି ଜଣା ପଡ଼ିଛି । ଫଳରେ ଆଖପାଖ ଅଞ୍ଚଳର ସମସ୍ତ ଅଞ୍ଚଳ ଧୂଅାଁ ମୟ ହୋଇଯାଇଥିଲା । ଏନେଇ ଲୋକଙ୍କ ମନରେ ଭୟ ସୃଷ୍ଟି ହୋଇଛି ।

ତେବେ ୨୪ ଘଣ୍ଟାରେ ଏଭଳି ୩ଟି ରେଳ ଦୁର୍ଘଟଣା ଘଟିଥିବାରୁ ଯାତ୍ରୀମାନେ ଭୟରେ ଅଛନ୍ତି । ଟ୍ରେନରେ ଯାତ୍ରା ସବୁଠାରୁ ନିରାପଦ ପରିବହନର ମାଧ୍ୟମ ବୋଲି ବିଚାର କରାଯାଏ । କିନ୍ତୁ ବାହାନଗା ଟ୍ରେନ ଦୁର୍ଘଟଣା ପରେ ବାରମ୍ବାର ହେଉଥିବା ଟ୍ରେନ ଦୁର୍ଘଟଣାକୁ ନେଇ ଭୟଭୀତ ଜନ ସାଧାରଣ । ଟ୍ରେନରେ ଯିବାକୁ ଲୋକମାନେ ଆଉ ନିରାପଦ ମନେ କରୁ ନାହାନ୍ତି । ଦେଖିବାକୁ ବାକି ରହିଲା କେତେ ଦିନ ଚାଲୁଛି ଏଭଳି ଦୁର୍ଘଟଣା ଓ ଏହାକୁ କମାଇବା ପାଇଁ ସରକାର ନେଉଛନ୍ତି କଣ ପଦକ୍ଷେପ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.