ବିନ୍ଦୁ ସାଗରରେ ଡଙ୍ଗା ଭସା ବେଳେ କିଛି ଏମିତି ଘଟିଥିଲା, ଯାହା ଆପଣଙ୍କୁ ହୃଦୟକୁ ବି ଓଦା କରିଦେବ

ମରମ ତଳେ ଅତୀତ ଯେ ମରେନା..

ଆ,କା,ମା,ବୈ ପାନ,ଗୁଆ ଥୋଇ .. ଏଇ କେଇ ପଦ କହି କିଏ କାର୍ତ୍ତିକ ମାସରେ ପୁଣ୍ୟ ଅର୍ଜନ କରୁଥିଲା ତ ଆଉ କେହି ଆମ ପୂର୍ବ ପରମ୍ପରାକୁ ସ୍ମରଣ କରି ଡଙ୍ଗୀ ଭସାଉ ଥିଲା । ଏ ଦୃଶ୍ୟ ଥିଲା ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିର ନିକଟ ବିନ୍ଦୁସାଗର ପୁରଷ୍କରିଣୀର ।କିଏ ପରିବାରର ମଙ୍ଗଳ କାମନ କରି ଲିଙ୍ଗରାଜଙ୍କୁ ମୁଣ୍ଡିଆ ପକାଇ ବିନ୍ଦୁସାଗର ପୂଣ୍ୟ ଜଳ ମଥାରେ ଛିଞ୍ଚି ହେଉଥିଲା । ପୁଣି କିଏ ପରିବାର ସହିତ ଝରଝରି ବାଣ ଲଗାଇ ପୂର୍ବପୁରୁଷଙ୍କୁ ପ୍ରଣାମ କରୁଥିଲା । ସେହି ଭିଡ଼ ଆଡେଇ ଏକ ବୟସ୍କ ଦମ୍ପତି ମୋ ପାଖକୁ ଆସି ମୋବାଇଲ ମୋ ହାତରେ ଦେଇ କହିଲେ ଆମର ଟିକେ ଫଟୋ ଉଠାଇ ଦେବେକି? ମୁଁ ତାଙ୍କଠାରୁ ମୋବାଇଲ ନେଇ ଯୁଗଳ ଫଟୋ ଉଠାଇବା ପରେ ମୋବାଇଲଟି ଫେରାଇ ଦେଇଥିଲି ।

OLD COUPLE

ଏତିକି ବେଳେ କିଛି କଥାବାର୍ତ୍ତା କରୁ କରୁ ଲୁହ ଛଳଛଳ ଆଖିରେ ଉଭୟ କହିଲେ, ଆମେ ଆସୁଛୁ ଆମ ପୁରୁଣା ସ୍ମୃତିକୁ ମନେ ପକାଇବା ପାଇଁ। ପୁଅ ଝିଅ ଖୁବ ଛୋଟ ଛୋଟ ହୋଇଥିଲା ବେଳେ ଆମେ ଆସି ଏଠି ଡଙ୍ଗା ଭସାଇବା ସହିତ ବହୁତ ବାଣ ଫୁଟାଇ ଖୁବ ମଜା କରୁଥିଲୁ । ଆଜିକାଲି ସେମାନେ ଆମଠାରୁ ବହୁତ ଦୂରରେ। କିଏ ପୁନେ ତ କିଏ ସାଉଦି ଆରବରେ । ଆମେ ଏବେ ପୂରା ଏକୁଟିଆ । ତେଣୁ ଏଭଳି ଜନ ଗହଳି ଭିତରେ ସ୍ମୃତିକୁ ସାଉଁଟିବା ପାଇଁ ଚାଲି ଆସୁ। ଏତିକି କହି ମୋ ଫୋନ ନମ୍ବରଟି ନେଇ ଚାଲି ଯାଇଥିଲେ ଏହି ଦମ୍ପତି । ମୁଁ ଜାଣି ପାରୁଥିଲି ଛାତି ଛାତିଏ କୋହ ଥିଲା ସେମାନଙ୍କର ।

SELFIE

ପରେ ନଜର ପଡ଼ିଲା ଏକ ନବବିବାହିତ ଦମ୍ପତିଙ୍କ ଉପରେ । ସେମାନେ ସେଲ୍ଫି ନେଉଥିଲେ । ସେପଟେ ଆଉ ଜଣେ ୩୭/୩୮ ବର୍ଷର ଯୁବକ ସେମାନଙ୍କ ଆଡ଼କୁ ନିରସ ବଦନରେ ଚାହିଁ ରହିଥାଏ। ମୁଁ ତାଙ୍କ ପାଖରେ ପହଁଚିଲା ପରେ ଚିହ୍ନା ଲୋକ ଭଳି ପଚାରିଲି ଆପଣଙ୍କ ଡଙ୍ଗା ? କହିଲେ- ପାଞ୍ଚ ବର୍ଷ ତଳେ ଭସାଇ ଥିଲି । ଏବେ ଆଉ ଭସାଉ ନାହିଁ । ମୁଁ ପଚାରିଲି, କଣ ବୁଲିବା ପାଇଁ ଆସିଛନ୍ତି ? ମୋତେ ଲାଗିଲା ସେ କିଛି କହିବାକୁ ଚାହୁଁଥିଲେ, ହେଲେ ମନର କଥା ଓଠକୁ ଆସୁନଥିଲା । କୁଣ୍ଠାବୋଧ କରୁଥିଲେ । କହିଲେ ନା; ଏମିତି, ଛାଡ଼ ସେ କଥା । କହୁ କହୁ ଲୁହ ଟିକେ ଆଖିରେ ଜକେଇ ଆସିଥାଏ । ମୁଁ କହିଲି କଣ ମନରେ ଆଘାତ ଦେଇନି ତ ? ତାଙ୍କୁ ଲାଗିଲା ହୁଏତ ନିଜର କେହି ଜଣେ ପ୍ରଶ୍ନ ପଚାରିଲା ବୋଲି ।

କହିଲେ, ମୁଁ ମୋ ସ୍ମୃତିକୁ ଖୋଜୁଛି। ପାଞ୍ଚ ବର୍ଷ ତଳେ ଏହିଠାରେ କାର୍ତ୍ତିକ ପୂର୍ଣ୍ଣମୀ ଦିନ ଜଣେ ଯୁବତୀଙ୍କ ସହିତ ଦେଖା ହୋଇଥିଲା । ପ୍ରେମ ବଢି ଥିଲା କିନ୍ତୁ କିଛି ଦିନ ପରେ ଅଲଗା ହୋଇ ଯାଇଥିଲୁ । ତେଣୁ କାଳେ ସେ ଏଠାକୁ ଆସିଲେ ଦେଖା ହେବ ବୋଲି ବଡି ଭୋରୁ ଆସି ଆଶାରେ ବସିଛି। ପ୍ରଥମ ପ୍ରେମକୁ କଣ କେହି ଭୁଲି ପାରେ ? ଏକଥା କହି ଯୁବକ ଜଣକ ସଂଗେ ସଂଗେ ଜାଗା ଛାଡ଼ି ଚାଲି ଯାଇଥିଲେ ।

ବିନାଶ ପଥରେ ଶୈଶବ

କାର୍ତ୍ତିକ ପୂର୍ଣ୍ଣିମାରେ ଡଙ୍ଗା ଭସାଇଲେ ପୁଣ୍ୟ ହୁଏ । ଏଇ ଆଶାରେ ନଈ, ପୋଖରୀ ସବୁଠି ଭାସି ଉଠେ ବିଭିନ୍ନ ପ୍ରକାରର ମାଳ ମାଳ ଡଙ୍ଗା । ଲୋକେ ଡଙ୍ଗା ଭସାଇ ମନକୁ ସାନ୍ତ୍ୱନା ଦେଇ ଚାଲି ଆସନ୍ତି । ହେଲେ ଯଦି ପଛକୁ କେବେ ଫେରି ଚାହାନ୍ତେ ତେବେ ଅନ୍ତତଃ ହୃଦବୋଧ ହୁଅନ୍ତା ଆମେ ଧର୍ମ ଅର୍ଜନ କଲେ ନା ପ୍ରଦୂଷଣ ? ଏଭଳି ସ୍ଥିତି ଅନେକ ଜଳାଶୟରେ ଥିଲା ।

POLLUTION

ଠିକ୍‌ ସେମିତି ପରିବେଶ ଥିଲା ବିନ୍ଦୁ ସାଗରରେ । ତେବେ ତାରି ଭିତରେ ଆଉ ଗୋଟିଏ ଘଟଣା ଆମକୁ ମର୍ମାହତ କରିଥିଲା । ଏପଟେ ଡଙ୍ଗା ଭସା ଚାଲିଥାଏ ସେପଟେ ପାଖ ବସ୍ତିର କିଛି ପିଲା ପଶିଥିଲେ ପାଣିରେ । ଅଣ୍ଡାଳି ଚାଲିଥିଲେ ଡଙ୍ଗୀଗୁଡ଼ିକୁ । ସେଥିରୁ ସଂଗ୍ରହ କରୁଥିଲେ ଲୋକେ ଡଙ୍ଗୀରେ ରଖିଥିବା ଟଙ୍କାଏ ଦିଟଙ୍କାର ପଇସା ସବୁ । ଏଇ ଛୋଟ ଛୋଟ ପିଲାଙ୍କ ଭିତରେ ପଇସା ଗୋଟାଇବା ପାଇଁ ଚାଲିଥିଲା ଠେଲାପେଲା । ପାଣିରେ ବୁଡ଼ିଯିବାର ଭୟ ବି ରହିଥିଲା । ମୁଁ ପଚାରିଲି, ପିଲେ କଣ କରିବ ଏଇ ପଇସା ନେଇ ? କିଏ କହିଲା ମିଠେଇ ଖାଇବୁ, ଆଉ କିଏ କହିଲା ଖେଳଣା କିଣିବ । ପୁଣି କେହି କହିଲା ଖର୍ଚ୍ଚ କରିବି ।

CHILD

ତେବେ ପାଖ ଦୋକାନୀ ଜଣକ ମୋତେ ଠାରି ଦେଇ କହିଲେ, ବାବୁ ଏ ପିଲାମାନେ ନିଶା କରନ୍ତି । ଯାହା ପଇସା ଗୋଟାଇବେ ସେଥିରେ କିଛି କିଣି ଖାଇବେ ଓ ନିଶା ଖାଇବେ । ଦେଖୁ ନାହାନ୍ତି କେମିତି ସେ ପିଲାଟି ଗାମୁଛାରେ ଡେନଡ୍ରାଇଟ୍‌ ଲଗାଇ ନିଶା କରୁଛି ? ମୁଁ ଲକ୍ଷ୍ୟ କଲି କିଛି ପିଲା ନିଶାରେ ଟଳମଳ ହେଉଥିଲେ । ଦୋକାନୀ କଥାରେ ବିଶ୍ୱାସ ଆସିଲା । ତେବେ ତାରି ଭିତରେ ତା ମା ସହ ଆସିଥିବା ପିଲାଟି ସୁନ୍ଦର ସୁନ୍ଦର ଡଙ୍ଗୀ ସବୁ ପାଣିରୁ ଛାଣି ଆଣି ସାଇତି ରଖୁଥିଲା । ହେଲେ ମନକୁ ଗୋଟିଏ କଥା ଆସୁଥିଲା, ବିକାଶର ନାରା ଭିତରେ ଡେନଡ୍ରାଇଟ୍‌ର ନିଶାରେ କିଭଳି ସଢ଼ି ହେଉଛି ଶୈଶବ ।

GOOD CHILD

କଣ କେବଳ ସେମାନଙ୍କ ଦାୟିତ୍ୱ ?

ଏସବୁ ଭିତରେ ଆସି ପହଞ୍ଚିଥିଲେ ସ୍ୱେଚ୍ଛାସେବୀମାନେ । ଆମର ଐତିହ୍ୟକୁ ମନେ ପକାଇବା ପାଇଁ ବିନ୍ଦୁସାଗରକୁ ଡଙ୍ଗାମୟ କରି ଚାଲି ଯାଇଥିଲେ ଲୋକେ । ତେବେ ଭୁଲି ଯାଇଥିଲେ ଏଇ ଐତିହ୍ୟ ସମ୍ପନ୍ନ ପୁଷ୍କରିଣୀଟିକୁ ସଫା କରିବ କିଏ? ରେଡ୍‌କ୍ରସ୍‌ ସମେତ ଅନ୍ୟ ସ୍ବେଚ୍ଛାସେବୀ ସଂଗଠନର ସଦସ୍ୟମାନେ ଓହ୍ଲାଇଥିଲେ ବିନ୍ଦୁସାଗର ପାଣିକୁ ।

CLEANING-1

ପରମ୍ପରା ନାଁରେ ଜମିଥିବା ଆବର୍ଜନା ସବୁକୁ ସଫା କରିଥିଲେ । ହୁଏତ ସମୟ ଆସିବ ଆଗକୁ ପ୍ରଦୂଷଣକୁ ଡରି ଆମେ କୃତ୍ରିମ ଜଳାଶୟରେ ମୂର୍ତ୍ତି ବିସର୍ଜନ କଲା ଭଳି ଡଙ୍ଗା ବି ଭସାଇବା ।

CLEANING-2
ତାଜା ତାଜା ବିନ୍ଦୁସାଗରରେ ଲାଇଟ୍‌ ଆଣ୍ଡ ସାଉଣ୍ଡ ବ୍ୟବସ୍ଥା କରାଯାଇଛି । ଝଲମଲ କରୁଛି ଏହି ଇତିହାସର ମୁକସାକ୍ଷୀ । ସେହିପରି ବିନ୍ଦୁସାଗର କୂଳରେ କରାଯାଇଛି ବର୍ଜ୍ୟବସ୍ତୁରେ ତିଆରି କିଛି କାରୁକାର୍ଯ୍ୟ । ଯାହା ପରିବେଶର ସୁନ୍ଦରତା ବଢ଼ାଇବା ସହ ବର୍ଜ୍ୟ ବସ୍ତୁର ସଠିକ ଉପଯୋଗ କଥା ଆମକୁ ଶିଖାଉଛି ।

ମନ୍ଦିରରେ ଜଳିଥିବା ଦୀପଗୁଡ଼ିକୁ ନେଇ ହୋଇଛି ଏହି କାରୁକାର୍ଯ୍ୟ । ଦେଖନ୍ତୁ ତ କିଭଳି ଆକର୍ଷଣୀୟ ହୋଇଛି ପୋଡ଼ା ଦୀପର ତିଆରି ଏହି ମାଛଟି ? ଏହାକୁ ପୁଣି ତିଆରି କରି ଯାଇଛନ୍ତି ଜଣେ ବିଦେଶୀ ।

DEEPA

ପର୍ଯ୍ୟଟନ ସ୍ଥଳର ସୌନ୍ଦର୍ଯ୍ୟ ରକ୍ଷା କରିବା କେବଳ ସରକାର କିମ୍ବା ବିଭାଗର ଦାୟିତ୍ୱ ନୁହେଁ, ଦାୟିତ୍ୱ ଓ କର୍ତ୍ତବ୍ୟ ଆମ ସମସ୍ତଙ୍କର । ଅନ୍ତତଃ ପରିବେଶକୁ ଯଦି ସ୍ୱଚ୍ଛ କରି ପାରିବା ନାହିଁ ତେବେ ଏହାକୁ ଅସ୍ୱଚ୍ଛ କରିବା ବି ଆମ ଅଧିକାର ବାହାରେ ।

ରିପୋର୍ଟ-ରାଜା

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.