ହାର୍‌ ମାନିଲେନି ବରିଷ୍ଠ ନାଗରିକ, ନିଜେ କେସ୍‌ ଲଢ଼ି ପାନେ ଦେଲେ ବିଲଡର୍‌କୁ; ଜାଣନ୍ତୁ ପୂରା ମାମଲା

ଦୃଢ ଇଚ୍ଛାଶକ୍ତି ଏବଂ ମନୋବଳ ଆଗରେ ବୟସ ହାର ମାନିଛି। ନିଜର ପ୍ରାପ୍ୟ ପାଇଁ ପରିଣତି ବୟସରେ ମଧ୍ୟ କୋର୍ଟରେ କେସ ଲଢି ଜିତାପଟ ହାସିଲ କରିଛନ୍ତି ୭୦ ବର୍ଷୀୟ ବୃଦ୍ଧା। ଏମ୍‌.ଏଲ୍‌ ସାହୁ ଜଣେ ପ୍ରଶାସନିକ ଅଧିକାରୀ ଭାବେ କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନରେ କାମ କରୁଥିଲେ। ଅବସର ଗ୍ରହଣ କରିବା ପରେ ନିଜ ଘରେ ଆରାମରେ ଜୀବନ ଅତିବାହିତ କରିବେ ବୋଲି ଭାବୁଥିଲେ । କିନ୍ତୁ କିଣିଥିବା ଘରକୁ ନେଇ କୋର୍ଟର ଦ୍ୱାରସ୍ଥ ହେବେ ତାହା କେବେ ଭାବି ନଥିଲେ। ନିଜର ନିଜ ଝାଳବୁହା ଧନରେ କିଣିଥିବା ଘର ପାଇଁ ତାଙ୍କୁ ବୃଦ୍ଧକାଳରେ ଏପରି ହଇରାଣ ହେବାକୁ ପଡିବ ସେ କେବେ ଚିନ୍ତା ମଧ୍ୟ କରିନଥିଲେ। ୧୯୯୮ରେ କରିଥିବା ଓକିଲାତି ୨୧ ବର୍ଷ ପରେ ବୃଦ୍ଧାବସ୍ଥାରେ କାମରେ ଆସିବ ତାହା ଜାଣିନଥିଲେ ଏମ୍‌.ଏଲ୍‌ ସାହୁ। ନିଜର ଓକିଲାତି ବିଦ୍ୟା ଯୋଗୁଁ ବିଲଡର ବିରୁଦ୍ଧରେ କେସ ଲଢି ନିଜର ହକ୍‌ ପାଇଛନ୍ତି ଶ୍ରୀ ସାହୁ।

builder

ସୂଚନା ମୁତାବକ, ଶ୍ରୀ ସାହୁ ପ୍ରଶାସନିକ ଅଧିକାରୀ ହେବା ପୂର୍ବରୁ ଗୁଆହାଟୀ ବିଶ୍ୱବିଦ୍ୟାଳୟରେ ଓକିଲାତି ପାଠ ପଢୁଥିଲେ। ୨୦୦୯ରେ ସେ ଲକ୍ଷ୍ନୌର ଶହୀଦ ପଥ ଅଞ୍ଚଳରେ ଏକ 1BHK ଫ୍ଲାଟକୁ ପ୍ରାଇଭେଟ ସୋସାଇଟି ଠାରୁ ରେଜିଷ୍ଟର କରିଥିଲେ। ଏଥିପାଇଁ ଶ୍ରୀ ସାହୁ ଚାରି ବର୍ଷ କିସ୍ତିରେ ୧୩ ଲକ୍ଷ ଟଙ୍କ ଉକ୍ତ ଘରୋଇ ସଂସ୍ଥାକୁ ଦେଇଥିଲେ। ଏହି ସବୁ କିସ୍ତି ପୂରଣ ହୋଇ ସାରିବା ପରେ ଉକ୍ତ ବିଲଡର ଶ୍ରୀ ସାହୁଙ୍କୁ ଆଉ ଅଧିକ ୩.୭ ଲକ୍ଷ ଟଙ୍କା ଦେବାକୁ କହିଥିଲେ। ଶ୍ରୀ ସାହୁ ଏ ବିଷୟରେ ପଚାରିବାରୁ ବିଲଡର କହିଥିଲେ, ତାଙ୍କ ଘରକୁ ଆଉ ୯୭ ବର୍ଗଫୁଟ ବଢାଇ ଦିଆଯାଇଛି। ସେଥିପାଇଁ ଶ୍ରୀ ସାହୁ କମ୍ପାନୀକୁ ତାଙ୍କ ଘରର କେଉଁ ଅଞ୍ଚଳ ବୃଦ୍ଧି କରାଯାଇଛି ତାର କାଗଜପତ୍ର ଦେଖାଇବାକୁ କହିଥିଲେ। ତେବେ କମ୍ପାନୀ କୌଣସି କାଗଜପତ୍ରକୁ ଦେଖାଇବାକୁ ମନା କରି ଦେଇଥିଲା। କମ୍ପାନୀ ଏପରି କରିବାରୁ ଶ୍ରୀ ସାହୁ ୨୦୧୫ରେ ଜିଲ୍ଲା କଞ୍ଜୁମର କୋର୍ଟରେ କେସ କରିଥିଲେ। ଆଉ ନିଜ ମାମଲା ନିଜେ ଲଢ଼ିବେ ବୋଲି ନିଷ୍ପତ୍ତି ନେଇ ରେଜିଷ୍ଟର କଲେ । ଏହାଛଡା ସେ ଏକ ଘରୋଇ ସଂସ୍ଥାକୁ କମ୍ପାନୀ କେଉଁ ସ୍ଥାନ ବୃଦ୍ଧି କରି ଏହି ପଇସା ମାଗୁଥିବା ବିଷୟରେ ଜାଣିବା ପାଇଁ ମଧ୍ୟ ସନ୍ଧାନରେ ଲଗାଇଥିଲେ। କିନ୍ତୁ ଏପରି କିଛି ହୋଇନାହିଁ ବୋଲି ସେ ତଦନ୍ତକାରୀ ସଂସ୍ଥା ଠାରୁ ଜାଣିବାକୁ ପାଇଥିଲେ ।

ଏମ୍‌ଏଲ୍‌ ସାହୁ ନିଜେ କେସ ଲଢ଼ିଲେ ଓ ଜିତିଲେ ମଧ୍ୟ । ତେଣୁ କଞ୍ଜୁମର କୋର୍ଟ ଶ୍ରୀ ସାହୁଙ୍କୁ ମାନସିକ ନିର୍ଯାତନା ବାବଦରେ ୨୦ ହଜାର ଟଙ୍କା ଏବଂ ଅନ୍ୟ ବାବଦରେ ୫ ଲକ୍ଷ ୨ ହଜାର ଟଙ୍କା ଦେବାକୁ ସଂପୃକ୍ତ କମ୍ପାନୀକୁ କୋର୍ଟ ନିର୍ଦ୍ଦେଶ ଦେଲେ। ଦୀର୍ଘ ତିନି ବର୍ଷ ଲଢିବା ପରେ ୨୦୧୮, ଡିସେମ୍ବରରେ ଆସିଥିଲା କୋର୍ଟଙ୍କ ଫଇସଲା । ସମସ୍ତ ଔପଚାରିକତା ସମାପ୍ତ ହେବାକୁ ୮ ମାସ ଲାଗିଥିଲା। ଏହାପରେ କୋର୍ଟଙ୍କ ଏହି ନିର୍ଦ୍ଦେଶ ଅନୁଯାୟୀ ଶ୍ରୀ ସାହୁ ନିଜର ସମସ୍ତ ପଇସା ଫେରି ପାଇଛନ୍ତି।
ସତରେ ଜଣେ ୭୦ ବର୍ଷ ବୟସ୍କ ବରିଷ୍ଠ ନାଗରିକ ଯଦି ନିଜ ହକ୍‌ ପାଇଁ ଆଇନ୍‌ କାନୁନ ଜରିଆରେ ଲଢ଼ି ଜିତି ପାରୁଛନ୍ତି ତାହାହେଲେ ଆପଣ କାହିଁକି ପାରିବେ ନାହିଁ । ଖାଲି ଏ ସମ୍ପର୍କରେ ଟିକେ ଜ୍ଞାନ ଆହରଣ କଲେ ଆପଣ ବି ଆପଣଙ୍କୁ ଠକୁଥିବା ଲୋକଙ୍କୁ ପାନେ ଦେଇ ପାରିବେ ।