ଚୋରା ମଦ କାରବାରକୁ ଧରା ପକାଇଦେଲା ମଇଁଷି, କାହିଁକି ଜାଣିଲେ ହସି ହସି ଗଡ଼ିଯିବେ…..

ଗୁଜୁରାଟରେ ମଦବିକ୍ରିକୁ ବେଆଇନ ଘୋଷଣା କରାଯାଇଛି । ଆଉ ଏହି କାରଣରୁ ଅନେକ ଦିନ ହେବ ଏଠି ଖୋଲାଖୋଲି ମଦ ବିକ୍ରି ହେଉନାହିଁ । କିନ୍ତୁ କିଛି ଲୋକ ଲୁଚାଛପାରେ ମଦ ବିକୁଥିବା ଜଣାଯାଇଛି । ଏହାକୁ ନେଇ ଏକ ମଜାଦାର ଘଟଣା ନିକଟରେ ଘଟିଛି । ଯାହା ବାବଦରେ ଶୁଣି ଆପଣ ହସି ହସି ଗଡ଼ିଯିବେ । ଘଟଣାଟି ପ୍ରକୃତରେ ଗୁଜୁରାଟ ର ଗାନ୍ଧୀ ନଗର ଅଂଚଳରେ ଘଟିଛି  । ଏଠାକାର ଜଣେ ଗୋପାଳକ ଅନ୍ୟମାନଙ୍କ ଠାରୁ କିଛି ମଦ ବୋତଲ ଲୁଚେଇ ରଖିଦେଇଥିଲେ । କିନ୍ତୁ କେମିତି କେଜାଣି ବୋତଲର ଠିପି ଖୋଲି ଯାଇଥିଲା । ଆଉ ପାଖରେ ଥିବା ପାଣି କୁଣ୍ଡରେ ମିଶିଯାଇଥିଲା ମଦ । ମଇଁଷି ମାନେ ଏହି ପାଣି ପିଇବା ପରେ ଫୁଲ ନିଶାଗ୍ରସ୍ତ ହୋଇପଡିଥିଲେ । ହୋସରେ ନଥିବାରୁ ଏଠିସେଠି ଡେଇଁବାକୁ ଲାଗିଲେ ।

ଖାଲି ସେତିକି ନୁହେଁ ମଦ ମିଶା ପାଣି ପିଇ ଦୁଇଟି ମଇଁଷି ରୋଗରେ ପଡିଯାଇ ଥିଲେ । ଆଉ ଏମାନଙ୍କ ଚିକିତ୍ସା ପାଇଁ ଜଣେ ପଶୁଚିକିତ୍ସକଙ୍କୁ ଡକା ଯାଇଥିଲା । କିନ୍ତୁ ପାଣିର ରଙ୍ଗ ଦେଖି ପଶୁ ଡାକ୍ତରଙ୍କ ମନରେ ସନ୍ଦେହ ଉଙ୍କି ମାରିଥିଲା । ଏହା ସହ ଏହି ପାଣିରୁ ଏକ ଅଜବ ଧରଣର ଗନ୍ଧ ଆସୁଥିବାର ମଧ୍ୟ ଠାବ କରିଥିଲେ | କିନ୍ତୁ ନିକଟରେ ଥିବା ଗଛର ଡାଳପତ୍ର ଆଦି ପଡି ଏମିତି ଗନ୍ଧ ଆସୁଥିବା ନେଇ ଭୁଲାଇ ଦେଇଥିଲେ ମାଲିକ ଜଣଙ୍କ । କିନ୍ତୁ ଡାକ୍ତରଙ୍କୁ ଏହି ଉତ୍ତର ସନ୍ତୁଷ୍ଟି ଦେଇନଥିଲା । ଏହି ସୂଚନା ସେ ଏଲସିବି ଟିମକୁ ଦେଇଥିଲେ ।

ଏହି ଖବର ପୋଲିସ ପାଖରେ ପହଂଚିବା ପରେ ପୋଲିସ ଟିମ ପହଂଚି ତନାଘନା ଆରମ୍ଭ କରିଦେଇଥିଲେ । ଆଉ ଆଶ୍ଚର୍ଯ୍ୟର କଥା ଏହି ସମୟରେ ୧୦୧ଟି ମଦବୋତଲ ଜବତ ହୋଇଥିଲା । ଯାହାର ମୂଲ୍ୟ ପାଖାପାଖି ୩୫ ହଜାର ଟଙ୍କା ହେବ । ମାମଲାର ତଦନ୍ତରୁ ସତ ଜଣାପଡିବା ପରେ ପୋଲିସ ସେହି ଗୋପାଳକ ସମେତ ଏଥିରେ ସମ୍ପୃକ୍ତ ଥିବା ଅନ୍ୟମାନଙ୍କୁ ଗିରଫ କରି କୋର୍ଟଚାଲାଣ କରିଛନ୍ତି ।

Leave A Reply

Your email address will not be published.