କି ମୁଣ୍ଡଫଟା ଖରା ଲୋ…ଆ ତୋତେ ଗାଧୋଇ ଦେବି! ଛୁଆକୁ ଜବରଦସ୍ତ ଗାଧୋଇ ଦେଉଛି ମା’ ମାଙ୍କଡ଼; ହେଲେ ଛୁଆ ଧରିଛି ଅଲଗା ଜିଦ୍‌

ମଣିଷ ହୁଅନ୍ତୁ କି ପଶୁ, ଘର ହେଉ କି ଜଙ୍ଗଲ, ମା’ର ଭୂମିକା କେବେ ବି କେଉଁଠି ବଦଳେ ନାହିଁ। ନିଜ ସନ୍ତାନର ଯତ୍ନଠାରୁ ଆରମ୍ଭ କରି ତା’ର ସୁରକ୍ଷା, ଖାଦ୍ୟପେୟ, ସବୁକିଛି ମା’ ହିଁ ସମ୍ଭାଳିଥାଏ। ଦେଶର ବିଭିନ୍ନ ଅଞ୍ଚଳରୁ ଏମିତି ଅନେକ ଭିଡିଓ ଏବଂ ଫଟୋ ମଝିରେ ମଝିରେ ସାମ୍ନାକୁ ଆସିଥାଏ, ଯାହାକୁ ଦେଖି ଓଠରେ ଆପେ ହସ ଫୁଟିଆସେ। ଜଣେ ମା’ ସବୁବେଳେ ସବୁ ଜାଗାରେ ଅନ୍‌ଡ୍ୟୁଟି ହିଁ ରହିଥାଏ।

ଏବେ ଟ୍ଵିଟରରେ ଏକ ଭିଡିଓ ଖୁବ୍‌ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଏକ ମା’ ମାଙ୍କଡ଼ ଓ ତା’ର ଛୁଆ ନଜର ଆସୁଛନ୍ତି। ଏଠାରେ ମାଙ୍କଡ଼ଟି ନିଜ ଛୁଆକୁ ଘଷି ଘଷି ପାଣିରେ ଗାଧୋଇ ଦେଉଛି। ହେଲେ ଛୁଆ ଗାଧୋଇବାକୁ ପ୍ରସ୍ତୁତ ନାହିଁ। ଓଡ଼ିଶା କ୍ୟାଡରର ଆଇଏଫ୍‌ଏସ୍‌ ଡ. ସମ୍ରାଟ ଗୌଡ଼ ଭିଡିଓଟିକୁ ନିଜ ଟ୍ଵିଟରରେ ସେୟାର କରିଛନ୍ତି, ଯାହାକୁ ମାତ୍ର ୪ ଘଣ୍ଟାରେ ୭ ହଜାରରୁ ଅଧିକ ଭ୍ୟୁ ମିଳି ସାରିଛି।

ଟ୍ଵିଟର ଭିଡିଓରେ ଏକ ବଡ଼ ଜଙ୍ଗଲି ବାଥ୍‌ରୁମ, ଆଉ ଏହା ଭିତରେ ତିଆରି ବାଥ୍‌ଟବ ନଜର ଆସୁଛି। ବାଥ୍‌ଟବ ପାଖରେ ମା’ ମାଙ୍କଡ଼ ତା’ ଛୁଆକୁ ରଗଡ଼ି ରଗଡ଼ି ଗାଧୋଇ ଦେଉଛି। ଏହି ଦୃଶ୍ୟ ଅତ୍ୟନ୍ତ ମନୋହର ରହିଛି। ପ୍ରକୃତରେ ପ୍ରକୃତି କୋଳରେ ଏତେ ଭଲ ସ୍ନାନାଗାର କାହାର ବା ଭାଗ୍ୟରେ ଥିବ, ଯାହା ଏହି ଛୁଆ ମାଙ୍କଡ଼ଟିକୁ ମିଳିଛି। ମା’ ତାକୁ ଏମିତି ଭାବେ ଗାଧୋଇ ଦେଉଛି, ଯେମିତି ସେ ସଙ୍ଗେ ସଙ୍ଗେ ପ୍ରସ୍ତୁତ ହୋଇ ବରଯାତ୍ରୀ ବାହାରି ପଡ଼ିବ।

ମୁଣ୍ଡଫଟା ଖରାକୁ ଦେଖି ମା’ ତା’ ଛୁଆକୁ ଗାଧୋଇ ଦେବାକୁ ଚାହୁଁଥିବା ବେଳେ ଛୁଆ କିନ୍ତୁ ମା’ ହାତରୁ ଖସି ସାଙ୍ଗସାଥୀଙ୍କ ସହ ଖେଳିବାକୁ ଜିଦ୍ଦି କରୁଛି। ତଥାପି ମା’ ଛାଡ଼ିବାକୁ ନାରାଜ। ଏହି ଭିଡିଓ ଦେଖି ଲୋକେ ଖୁବ୍‌ ହସୁଛନ୍ତି। ବାସ୍ତବରେ, ଏହି ଜଙ୍ଗଲି ସ୍ନାନାଗାର ବେଶ୍‌ ମଜାଦାର ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.