ଭାରତର ଏହି ସ୍ଥାନରେ ରହିଛି ବିଶ୍ୱର ଏକମାତ୍ର ବରଗଛ, ଯାହାର ଶାଖା ପ୍ରଶାଖାରେ ଦେଖିବାକୁ ମିଳେ ଜୀବଜନ୍ତୁଙ୍କ ରହସ୍ୟମୟ କଳାକୃତି
ଆନ୍ଧ୍ର ପ୍ରଦେଶର ନାଲଗୋଣ୍ଡାରେ ଥିବା ଏକ ବରଗଛକୁ ଯିଏ ଦେଖେ, ସିଏ ସ୍ତବ୍ଧ ହୋଇଯାଏ। କାରଣ, ଏଥିରେ ବିଭିନ୍ନ ଜଙ୍ଗଲି ଜୀବଜନ୍ତୁଙ୍କ କଳାକୃତି ଦେଖିବାକୁ ମିଳିଥାଏ। ସାପଠାରୁ ଆରମ୍ଭ କରି ବିଛା, କୁମ୍ଭୀର, ସିଂହ ଆଦି ଭୟଙ୍କର ବନ୍ୟପ୍ରାଣୀଙ୍କ ଅବିକଳ ଦୃଶ୍ୟ ଦେଖି ଲୋକେ ଭୟଭୀତ ହୋଇଯାଆନ୍ତି। କେହି ନିଜ ଆଖିକୁ ବିଶ୍ୱାସ କରିପାରନ୍ତି ନାହିଁ। ଗଛର ଗଣ୍ଡି ଏବଂ ଶାଖାପ୍ରଶାଖାରେ ଦେଖିବାକୁ ମିଳୁଥିବା ଏହି ସବୁ ପ୍ରତିକୃତି କେବେ କେବେ ସମସ୍ତଙ୍କୁ ଆଶ୍ଚଯ୍ୟର୍ କରିଦେଇଥାଏ। କେବଳ ଏତିକି ନୁହେଁ, ଏହି ଗଛ ବିଷୟରେ ଅନେକ କଥା ମଧ୍ୟ ଶୁଣିବାକୁ ମିଳିଥାଏ।
କିଛି ଲୋକଙ୍କ କହିବା ହେଲା, ଏହି ବରଗଛ ଡାଳରେ ଏଭଳି କଳାକୃତି କେହି ତିଆରି କରିଛନ୍ତି। ଏହା ମନୁଷ୍ୟକୃତ। ତେଣୁ ଏଥିରେ କୌଣସି ଚମତ୍କାରିତା ନାହିଁ। ସେଠି ସ୍ଥାନୀୟ ଲୋକଙ୍କର ବିଶ୍ୱାସ ରହିଛି ଯେ ଏହା ଅଦ୍ଭୁତ ପ୍ରଜାତିର ଗଛ, ଯାହାକି ସାରା ବିଶ୍ୱରେ ଏକମାତ୍ର। ଏହି ଗଛକୁ ଆଜି ପଯ୍ୟର୍ନ୍ତ କେହି ଛୁଇଁନାହାନ୍ତି। ଏହାକୁ ଦୁନିଆର ସବୁଠାରୁ ବଡ଼ ବରଗଛ ଗଣ୍ଡି ବୋଲି କୁହାଯାଉଛି।
ତେବେ ଅନେକ ଲୋକଙ୍କ ଦାବି ମୁତାବକ, ଏହା ସମ୍ପୂର୍ଣ୍ଣ ମିଥ୍ୟା ଖବର। ଏଥିରେ କୌଣସି ସତ୍ୟତା ନାହିଁ। ସୋସିଆଲ ମିଡିଆରେ ଘୂରି ବୁଲୁଥିବା ଏହି ବିଚିତ୍ର ବରଗଛକୁ କେହି କେହି ମନଗଢ଼ା କାହାଣୀ ବି କହୁଛନ୍ତି। ସେମାନଙ୍କ ମତରେ, ଆନ୍ଧ୍ର ପ୍ରଦେଶ ଅର୍ଥାତ୍ ଭାରତରେ ଏଭଳି କୌଣସି ବି ବୃକ୍ଷ ନାହିଁ।
ବାସ୍ତବରେ ଏ ସମସ୍ତ କଳାକୃତି ହେଉଛି ଡିସ୍ନି ଆନିମଲ୍ କିଙ୍ଗଡମ୍ର, ଯାହାକି ଆମେରିକାର ଫ୍ଲୋରିଡାରେ ଥିବା ଏକ ପଶୁ ଥିମ୍ ପାର୍କରୁ ଆସିଛି। ଏହି ବିଶାଳ ବୃକ୍ଷରେ ତିଆରି କଳାକୃତିକୁ ‘ଟ୍ରି ଅଫ୍ ଲାଇଫ୍’ ନାଁରେ ଜଣାଯାଇଥାଏ। ବୃକ୍ଷର ଲମ୍ବା ୧୪୫ ଫୁଟ ଥିବା ବେଳେ ଚଉଡ଼ା ରହିଛି ୫୦ ଫୁଟ୍। ଗଛର ଗଣ୍ଡି ଏବଂ ଶାଖା ପ୍ରଶାଖାରେ ପାଖାପାଖି ୩୨୫ଟି ପ୍ରାଣୀଙ୍କର ଅଦ୍ଭୁତ କଳାକୃତି ଦେଖିବାକୁ ମିଳିଥାଏ।
ଫ୍ଲୋରିଡାର ପଶୁ ଥୁମ୍ ପାର୍କରେ କେବଳ ଗଛ ନୁହେଁ, ବରଂ ଏଠାରେ ଏକ ଥ୍ରୀ-ଡି ଥିଏଟର ମଧ୍ୟ ତିଆରି କରାଯାଇଛି, ଯେଉଁଠି ‘ଇଟସ୍ ଟଫ୍ ଟୁ ବି ଏ ବଗ୍’ ନାମକ ମଜାଦାର ଫିଲ୍ମ ଶୋ’କେସ୍ କରାଯାଇଥାଏ। ତେବେ ମୋଟାମୋଟି କହିବାକୁ ଗଲେ, ଆନ୍ଧ୍ର ପ୍ରଦେଶର ସେହି ରହସ୍ୟମୟ ବୃକ୍ଷକୁ ନେଇ ଉଠିଥିବା ଗୁଜବ ବାସ୍ତବିକ ଏକ ମିଥ୍ୟା ପ୍ରଚାର ଅଟେ।