Below header

ପ୍ରଶାସକରୁ ରାଜନୀତି ମଇଦାନ : କେତେ ସଫଳ ଏମାନେ

() ରାଜନୀତିରେ ପ୍ରଶାସକ । କିଛି ନୂଆ କଥା ନୁହେଁ । ଏମିତି କେତେ ଆସିଛନ୍ତି । ରାଜନୀତିର ପାଣିରେ ପହଁରି କିଏ କେଉଁଆଡ଼େ ଭାସି ଯାଇଛନ୍ତି । କେହି କେହି ଲାଗିଛନ୍ତି କୂଳରେ । ପଲିଟିକ୍ସକୁ କ୍ୟାରିଅର କରିବା ପାଇଁ କିଛି ବ୍ୟକ୍ତିତ୍ୱ ବର୍ଷ କେଇଟା ଭିତରେ ଚାକିରିରୁ ସ୍ୱେଚ୍ଛାକୃତ ଅବସର ନେଇ ଯାଉଛନ୍ତି । ତାଲିକାରେ ରହିଛି ଦେଶରେ ଅନେକ ହେଭିେଓ୍ଵଟଙ୍କ ନାଁ । କିଏ ଫ୍ଲପ୍‌ ତ ଆଉ କିଏ ହିଟ୍‌ ହୋଇଛନ୍ତି । ଏମିତି ବି ହୋଇଛି ସଫଳତା ସାଉଁଟିଥିବା ବ୍ୟୁରୋକ୍ରାଟ୍‌ କମ୍‌ ପଲିଟିସିଆନ୍‌ ପରେ ସମୟଚକ୍ରରେ ବେଶ୍‌୍‌ ହଟହଟା ବି ହୋଇଛନ୍ତି । …

ଅପରାଜିତା ଷଡ଼ଙ୍ଗୀ

APARAJITA-2

ତାଜ ତାଜା ଓଡ଼ିଶା କ୍ୟାଡର୍‌ ଆଇଏଏସ୍‌ ଅପରାଜିତା ଷଡ଼ଙ୍ଗୀ ରାଜନୀତିରେ ତାଙ୍କ ଇନିଂସ ଆରମ୍ଭ କରିଛନ୍ତି । ପ୍ରଶାସିକାରୁ ରାଜନେତ୍ରୀ ହୋଇଛନ୍ତି ଅପରାଜିତା । ବିଜେପି କ୍ୟାମ୍ପରେ ନିଜ ନାଁ ଲେଖାଇଛନ୍ତି । ୧୧ ବର୍ଷ ଚାକିରି ଥିଲେ ବି ସ୍ୱେଚ୍ଛାକୃତ ଭାବରେ ଅବସର ନେଇ ବିଜେପିରେ ଯୋଗ ଦେଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିକାଶର ଧାରା ଓ ବିଜେପିର ବିଚାରଧାରାରେ ଅନୁପ୍ରାଣିତ ହୋଇ ସେ ବିଜେପିରେ ଯୋଗ ଦେଇଥିବା କହିଛନ୍ତି । ଏବେ ଆଉ ତାଙ୍କ ପାଖରେ ପ୍ରଶାସନିକ କ୍ଷମତା ନଥିଲେ ବି ଲୋକବଳ ଓ ଜନସାଧାରଣଙ୍କ ଭଲ ପାଇବା ରହିଥିବା କହିଛନ୍ତି ଅପରାଜିତା ।

ଓ. ପି. ଚୌଧୁରୀ

O P CHOUDHURY

ଅପରାଜିତାଙ୍କ ପରି ଏମିତି ଆଉ ଜଣେ ଚର୍ଚ୍ଚିତ ଚେହେରା ଓ. ପି. ଚୌଧୁରୀ । ୨୦୦୫ ବ୍ୟାଚ୍‌ର ଛତିଶଗଡ଼ କ୍ୟାଡର ଆଇଏଏସ୍‌ । ରାଜନୀତିକୁ ଲମ୍ଫ ଦେଇଛନ୍ତି । ଗେରୁଆ ଦଳର ସଦସ୍ୟତା ନେଇଛନ୍ତି ଓ. ପି. ଚୌଧୁରୀ । ଛତିଶଗଡ଼ର ଚଳିତ ବିଧାନସଭା ନିର୍ବାଚନରେ ଖରସିଆ ଆସନରୁ ଭାଗ୍ୟ ପରୀକ୍ଷା କରାଇଛନ୍ତି । ଦାନ୍ତେଓ୍ଵାଡା ଓ ରାୟପୁରରେ ଜିଲ୍ଲାପାଳ ଥିବା ବେଳେ ମୁଖ୍ୟମନ୍ତ୍ରୀ ରମଣ ସିଂହଙ୍କ ସହିତ ଘନିଷ୍ଠତା ବଢ଼ିଥିଲା । ମାତ୍ର ୧୩ ବର୍ଷ ଚାକିରି କରିବା ପରେ ସ୍ୱେଚ୍ଛାକୃତ ଅବସର ନେଇଥିଲେ । ଓ. ପି. ଚୌଧୁରୀ ବି କହିଛନ୍ତି, କିଛି ନୂଆ କରିବା ପାଇଁ ସେ ରାଜନୀତିରେ ପାଦ ଥାପିଛନ୍ତି । ଆଜି ପର୍ଯ୍ୟନ୍ତ ବିଜେପି ଏହି ଆସନରୁ ଜିତି ନଥିବା ବେଳେ ପଦ୍ମ ଫୁଟାଇବାକୁ ଦମ୍‌ ଲଗେଇଛନ୍ତି ଓ. ପି. ।

ଅଜିତ ଯୋଗୀ

Ajit Jogi

୧୯୬୫ ବ୍ୟାଚ୍‌ ଆଇଏଏସ୍‌ ଅଜିତ ଯୋଗୀ । ୧୯୮୫ ମସିହାରେ ଆଇଏଏସ୍‌ ଚାକିରି ଛାଡ଼ି ରାଜନୀତି ମୈଦାନକୁ ଓହ୍ଲାଇଥିଲେ । ମଧ୍ୟପ୍ରଦେଶ ଇନ୍ଦୋର ଜିଲ୍ଲାପାଳ ଥିବା ବେଳେ ତାଙ୍କୁ ରାଜନୀତିକୁ ଆଣିଥିଲେ ତତ୍କାଳୀନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧି । ରାଜୀବଙ୍କ ପିଏ ଭିନସେଣ୍ଟ ଜର୍ଜଙ୍କ ଗୋଟିଏ ଫୋନ୍‌ କଲ୍‌ ପାଇ ଜିଲ୍ଲାପାଳ ଚାକିରି ଛାଡ଼ି ଦେଇଥିଲେ ଅଜିତ ଯୋଗୀ । ରାତାରାତି ଆଇଏଏସ୍‌ରୁ ପାଲଟିଥିଲେ ରାଜନେତା । ରାଜୀବ ଗାନ୍ଧିଙ୍କ ନିର୍ଦ୍ଦେଶରେ ତାଙ୍କୁ କଂଗ୍ରେସରେ ମିଶାଇଥିଲେ ଦିଗବିଜୟ ସିଂହ । ପ୍ରଥମେ ତାଙ୍କୁ ମିଳିଥିଲା ରାଜ୍ୟସଭା ଟିକେଟ । ଛତିଶଗଡ଼ ପ୍ରଦେଶ ଗଠନ ପରେ ଅଜିତ ଯୋଗୀ ହୋଇଥିଲେ ରାଜ୍ୟର ପ୍ରଥମ ମୁଖ୍ୟମନ୍ତ୍ରୀ । ତେବେ ୨୦୧୬ରେ ହାତ ସହ ସମ୍ପର୍କ ଛିନ୍ନ କରିଥିଲେ । ‘ଛତିଶଗଡ଼ ଜନତା କଂଗ୍ରେସ’ ନାଁରେ ଗଠନ କରିଥିଲେ ନୂଆ ଦଳ । ଚଳିତ ବିଧାନସଭା ନିର୍ବାଚରେ ତାଙ୍କ ଦଳ ବିଏସ୍‌ପି ସହ ମେଣ୍ଟ କରିଛି । କଂଗ୍ରେସ ରାସ୍ତାରେ କଣ୍ଟା ହୋଇପାରନ୍ତି ଆଦିବାସୀ ଫେସ୍‌ ଅଜିତ ଯୋଗୀ ।

ଯଶଓ୍ଵନ୍ତ ସିହ୍ନା

Yashwant Sinha

ଏକଦା ପ୍ରଶାସନିକ ଅଧିକାରୀ ଥିଲେ । ୧୯୬୦ରେ ବିହାର କ୍ୟାଡର ଆଇଏଏସ୍‌ ଯଶଓ୍ଵନ୍ତ ସିହ୍ନା । ୧୯୮୪ ମସିହା ପର୍ଯ୍ୟନ୍ତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦ ପଦବିରେ ରହିଥିଲେ । ୨୪ ବର୍ଷ ଚାକିରି କରିବା ପରେ ସ୍ୱେଚ୍ଛାକୃତ ଅବସର ନେଇଥିଲେ ଯଶଓ୍ଵନ୍ତ ସିହ୍ନା । ଆରମ୍ଭ କରିଥିଲେ ରାଜନୀତିରେ ନୂଆ ଇନିଂସ । ଜନତା ଦଳର ସଦସ୍ୟତା ନେଇଥିଲେ । ୧୯୮୮ରେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ ଯଶଓ୍ଵନ୍ତ ସିହ୍ନା । ୧୯୯୦ରୁ ୧୯୯୧ ପର୍ଯ୍ୟନ୍ତ ଚନ୍ଦ୍ରଶେଖରଙ୍କ ମନ୍ତ୍ରିମଣ୍ଡଳରେ ତାଙ୍କୁ ମିଳିଥିଲା ଗୁରୁତ୍ୱପୂର୍ଣ୍ଣ ଅର୍ଥ ବିଭାଗ । ଏହାପରେ ବିଜେପିରେ ନାଁ ଲେଖାଇଥିଲେ । ବିଜେପି ନେତୃତ୍ୱାଧୀନ ଏନ୍‌ଡିଏ ସରକାରରେ ଅଟଳ ବିହାରୀ ବାଜପେୟୀ ପ୍ରଧାନମନ୍ତ୍ରୀ ଥିବା ବେଳେ ତାଙ୍କୁ ମିଳିଥିଲା ଅର୍ଥ, ପ୍ରତିରକ୍ଷା ମନ୍ତ୍ରାଳୟ ଦାୟିତ୍ୱ । ୨୦୧୪ ସାଧାରଣ ନିର୍ବାଚନ ପରେ ଦଳୀୟ ନେତୃତ୍ୱ ପ୍ରତି ଅଙ୍ଗୁଳି ଉଠାଇ ବେଶ ବିବାଦୀୟ ହୋଇଥିଲେ ଯଶଓ୍ଵନ୍ତ ସିହ୍ନା । ୨୦୧୮ରେ ସେ ବିଜେପି ସହ ସମ୍ପର୍କ ଛିନ୍ନ କରିଛନ୍ତି ।

ମୀରା କୁମାର

Meira Kumar

ଦେଶର ପ୍ରଥମ ମହିଳା ବାଚସ୍ପତି । ୨୦୦୯ରୁ ୨୦୧୪ ପର୍ଯ୍ୟନ୍ତ ଲୋକସଭା ବାଚସ୍ପତି ଦାୟିତ୍ୱ ତୁଲାଇଥିଲେ ମୀରା କୁମାର । କଂଗ୍ରେସ ସାଂସଦ ଓ ଦଳର ଦଳିତ ଚେହେରା । ରାଜନୀତିକୁ ଆସିବା ଆଗରୁ ଥିଲେ ପ୍ରଶାସନିକ ଅଧିକାରୀ । ୧୯୭୩ ବ୍ୟାଚ୍‌ର ଆଇଏଫ୍‌ଏସ୍‌ ମୀରା କୁମାର । ବହୁ ବର୍ଷ ଚାକିରି କରିବା ପରେ ୧୯୮୫ରେ ପଲିଟିକ୍ସକୁ ଆସିଥିଲେ । ହାତ ସହ ହାତ ମିଳାଇଥିଲେ ମୀରା କୁମାର । ବିହାର ବିଜନୋର୍‌ ଉପନିର୍ବାଚନରେ ରାମ ବିଳାସ ପାଶଓ୍ଵାନ ଓ ମାୟାବତୀଙ୍କୁ ହରାଇ ରାଜନୀତିରେ ଦମଦାର ଏଣ୍ଟ୍ରି ମାରିଥିଲେ । ୨୦୦୪ରେ କେନ୍ଦ୍ରରେ ୟୁପିଏ ସରକାରରେ ସେ ଥିଲେ ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ମନ୍ତ୍ରୀ । ୨୦୧୭ରେ ରାଷ୍ଟ୍ରପତି ନିର୍ବାଚନରେ ତାଙ୍କୁ ପ୍ରାର୍ଥୀ କରିଥିଲା କଂଗ୍ରେସ । ତାଙ୍କ ବାପା ବାବୁ ଜଗଜୀବନ ରାମ ଥିଲା ରାଜନେତା । ଦେଶର ଚତୁର୍ଥ ଉପପ୍ରଧାନମନ୍ତ୍ରୀ ।

ମଣି ଶଙ୍କର ଆୟାର

Mani Shankar Aiyar

୧୯୬୩ ମସିହାରେ ଭାରତୀୟ ବିଦେଶ ସେବାରେ ଯୋଗ ଦେଇଥିଲେ । ୧୯୮୯ରେ ଚାକିରି ଛାଡି ପଲିଟିକ୍ସକୁ ଆସିଥିଲେ ମଣିଶଙ୍କର ଆୟାର । ୧୯୯୧ରେ ତାମିଲନାଡୁର ମୈଲାଦୁତୁରାଇରୁ ଲୋକସଭାକୁ ନିର୍ବାଚିତ ହୋଇଥିଲେ । ୨୦୦୪ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ମନ୍ତ୍ରିମଣ୍ଡଳରେ ତାଙ୍କୁ ମିଳିଥିଲା ପେଟ୍ରୋଲିୟମ୍‌, କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରାଳୟ ସହ ଉତ୍ତର-ପୂର୍ବାଞ୍ଚଳ ବିକାଶର ଦାୟିତ୍ୱ । ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ବେଶ୍‌ ଘନିଷ୍ଠ ଥିଲେ ମଣିଶଙ୍କର ଆୟାର । ୨୦୧୪ ସାଧାରଣ ନିର୍ବାଚନରେ ମୋଦିଙ୍କୁ ‘ଚା ବାଲା’ କହି ବିବାଦୀୟ ହୋଇଥିଲେ । ୨୦୧୭ରେ ଗୁଜୁରାଟ ବିଧାନସଭା ନିର୍ବାଚନ ବେଳେ ମୋଦିଙ୍କ ପ୍ରତି ‘ନୀଚ୍‌ ଆଦ୍‌ମୀ’ ଆକ୍ଷେପ କରିବାରୁ କଂଗ୍ରେସରୁ ସସପେଣ୍ଡ ହୋଇଥିଲେ ମଣିଶଙ୍କର ଆୟାର ।

ଅରବିନ୍ଦ କେଜରିଓ୍ଵାଲ

Arvind Kejriwal

ଦେଶ ରାଜନୀତିରେ ଚର୍ଚ୍ଚିତ ଚେହେରା ଅରବିନ୍ଦ କେଜରିଓ୍ଵାଲ । ଆମ୍‌ ଆଦମୀ ପାର୍ଟିର ପ୍ରତିଷ୍ଠାତା । ଦିଲ୍ଲୀର ମୁଖ୍ୟମନ୍ତ୍ରୀ । ୧୯୮୯ରେ ଆଇଆଇଟି ଖଡଗପୁରର ମେକାନିକାଲ୍‌ ଇଞ୍ଜିନିୟରିଂରେ ସ୍ନାତକ ଡିଗ୍ରୀ ହାସଲ କରିଥିଲେ । ୧୯୯୨ରେ ଭାରତୀୟ ରାଜସ୍ୱ ସେବାରେ କାର୍ଯ୍ୟ ଆରମ୍ଭ କରିଥିଲେ କେଜରିଓ୍ଵାଲ । କିଛି ବର୍ଷ ପରେ ଚାକିରି ଛାଡ଼ି ଦେଇଥିଲେ । ଜନଲୋକପାଳ ଆଇନ ଦାବିରେ ଆନ୍ଦୋଳନ ଚଳାଇଥିବା ସମାଜସେବୀ ଆନ୍ନା ହଜାରେଙ୍କ ପ୍ରମୁଖ ସହଯୋଗୀ ଥିଲେ ଅରବିନ୍ଦ କେଜରିଓ୍ଵାଲ୍‌ । ୨୦୧୨ରେ ସେ ଗଢ଼ିଥିଲେ ଆମ୍‌ ଆଦମୀ ପାର୍ଟି । ୨୦୧୩ ଦିଲ୍ଲୀ ବିଧାନସଭା ନିର୍ବାଚନରେ କଂଗ୍ରେସ ସମର୍ଥନରେ ମୁଖ୍ୟମନ୍ତ୍ରୀ ହୋଇଥିଲେ । ୪୯ ଦିନରେ ଭାଙ୍ଗି ଯାଇଥିଲା ସରକାର । ଉପନିର୍ବାଚନରେ ପୁଣି ପାଓ୍ଵାରକୁ ଫେରିଥିଲା ଆମ୍‌ ଆଦମୀ ପାର୍ଟି । ୭୦ ବିଧାନସଭା ଆସନରୁ ଆପ୍‌ ଏକାକୀ ହାତେଇଥିଲା ୬୭ ଆସନ । ମୁଖ୍ୟମନ୍ତ୍ରୀ ଗାଦିରେ ବସିଥିଲେ ଅରବିନ୍ଦ କେଜରିଓ୍ଵାଲ୍‌ ।

ସତ୍ୟପାଲ ସିଂ

Satyapal Singh

ମହାରାଷ୍ଟ୍ର କ୍ୟାଡରର ୧୯୮୦ ବ୍ୟାଚ୍‌ ଆଇପିଏସ୍‌ । ଏବେ କେନ୍ଦ୍ରରେ ମୋଦି ସରକାରରେ ମନ୍ତ୍ରୀ ଅଛନ୍ତି । ସତ୍ୟପାଲ ସିଂଙ୍କୁ ମିଳିଛି ମାନବ ସମ୍ବଳ ମନ୍ତ୍ରାଳୟର ରାଷ୍ଟ୍ରମନ୍ତ୍ରୀ ଦାୟିତ୍ୱ । ୨୦୧୪ରେ ସେ ରାଜନୀତିକୁ ଓହ୍ଲାଇଥିଲେ । ଆଇପିଏସ୍‌ ଚାକିରି ଛାଡ଼ି ବିଜେପିରେ ସାମିଲ ହୋଇଥିଲେ ସତ୍ୟପାଲ ସିଂ । ସେ ଥିଲେ ମୁମ୍ବାଇ ପୋଲିସ କମିଶନର । ୧୯୯୦ରେ ମୁମ୍ବାଇରେ ସଂଗଠିତ ଅପରାଧ ନିୟନ୍ତ୍ରଣ କରିବାରେ ତାଙ୍କର ଥିଲା ଗୁରୁତ୍ୱପୂର୍ଣ୍ଣ ଭୂମିକା । ନକ୍ସଲ ଅଧ୍ୟୁଷିତ ଆନ୍ଧ୍ର ପ୍ରଦେଶ ଓ ମଧ୍ୟପ୍ରଦେଶରେ ଉଲ୍ଲେଖନୀୟ ସେବା ପାଇଁ ୨୦୦୮ରେ ତାଙ୍କୁ ମିଳିଥିଲା ଆଭ୍ୟନ୍ତରୀଣ ସୁରକ୍ଷା ସେବା ପଦକ ।

ଏ. ଜେ. ଆଲଫୋନ୍ସ, ହରଦୀପ ସିଂହ ପୁରୀ, ରାଜକୁମାର ସିଂହ, ନଟଓ୍ଵର ସିଂହ ଆଦି ଏମିତି ଅନେକ ନାଁ ରହିଛି ଯେଉଁମାନେ ପ୍ରଶାସନିକ ଅଧିକାରକୁ ଛାଡ଼ି ରାଜନୈତିକ ଅଧିକାର ପ୍ରତି ମନ ବଳାଇଛନ୍ତି । ହେଲେ ଯିଏ ବିଫଳ ହୋଇଛି ପୂରା ହଜି ଯାଇଛି ଯିଏ ସଫଳ ହୋଇଛି ତାକୁ ଖୁବ୍‌ ସଂଘର୍ଷ କରିବାକୁ ପଡ଼ିଛି । ଏବେ ନିଜକୁ ପ୍ରମାଣିତ କରିବାର ବେଳ ଆସିଛି ଅପରାଜିତା ଷଡ଼ଙ୍ଗୀଙ୍କୁ । କାରଣ ତାଙ୍କ ହାତରେ ଆଉ ପ୍ରଶାସନର କ୍ଷମତା ରୁପକ ଲାଠି ନାହିଁ ଯେ ସେ ତାକୁ ଉପଯୋଗ କରି ନିଜର କରାମତି ଦେଖାଇବେ । ଏବେ ଯାହା କରିବେ ନିଜେ କରିବେ । ଦଳର ପତିଆରାରେ କରିବେ । ହେଲେ ସେ ମଞ୍ଚ ଓ ଏ ମଞ୍ଚ ଭିତରେ ଆକାଶ ପାତାଳ ଫରକ ରହିଛି । ପ୍ରଶାସନିକ କ୍ଷେତ୍ର ଅପେକ୍ଷା ରାଜନୀତି ମଇଦାନ ଅଧିକ କଷ୍ଟକର ବୋଲି ମାନିଛନ୍ତି ଅଧିକାଂଶ ।

ତେବେ ଏକଥା ଭୁଲି ଯାନ୍ତୁ ନାହିଁ, କେଉଁଥିରେ ଅଧିକ କ୍ଷମତା ରହିଛି ? ପ୍ରଶାସନିକ ଅଧିକାରୀ ଭାବେ ନା ରାଜନେତା ଭାବେ ? କହିବା ଦରକାର ନାହିଁ । ଆପଣ ବୁଝି ଯାଉଥିବେ ନିଶ୍ଚୟ ।

ରିପୋର୍ଟ : ଅଜିତ କୁମାର ଦେହୁରୀ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.