ଆଖି ଦେଖିବ ଚକା ନୟନକୁ, ଭକ୍ତ ଓ ଭଗବାନ ଭିତରେ ଦୂର ହେବ ୭୭ ଦିନର ବ୍ୟବଧାନ

କୁହାଯାଏ ଭକ୍ତ ବିନା ଭଗବାନ ଅଧୁରା । ଆଉ କାହା କଥା ତ ଅଲଗା ହେଲେ କାଳିଆ ଠାକୁର ଶ୍ରୀଜଗନ୍ନାଥ ଭକ୍ତଙ୍କ ଭାବନାରେ ବନ୍ଧା । ସେଥିଲାଗି ତ ବର୍ଷକୁ ଥରେ ବଡ଼ଦାଣ୍ଡକୁ ଚାଲି ଆସନ୍ତି ସମସ୍ତଙ୍କୁ ଦର୍ଶନ ଦେବାକୁ । ଯେଉଁଠି ଜାତି ଧର୍ମର ବାଛ ବିଚାର ନଥାଏ । ୯ ଦିନ ଧରି ଲୀଳା କରନ୍ତି ଶ୍ରୀମନ୍ଦିରରୁ ଗୁଣ୍ଡିଚା ମନ୍ଦିର ଯାଏ । ଟ୍ଟ ହେଲେ ଏ ବର୍ଷ ଯେମିତି ଅଭିମାନ କରିଛନ୍ତି ପ୍ରଭୁ । କରୋନା ଜରିଆରେ ଲକ୍‌ଡାଉନ୍ କରି ଦୂରେଇ ଯାଇଛନ୍ତି ଭକ୍ତଙ୍କ ଠାରୁ । ଦର୍ଶନ ଦେଉ ନାହାନ୍ତି । ଯିଏ ବି ଯାଉଛି ତାକୁ ଫେରିବାକୁ ପଡୁଛି ସିଂହଦ୍ୱାରରୁ । ସେ ସ୍ଥାନୀୟ ଲୋକ ହୁଅନ୍ତୁ ଅବା ଶ୍ରୀକ୍ଷେତ୍ର ବାହାର । କାହାକୁ ବି ଅନୁମତି ନାହିଁ ଦର୍ଶନ ନିମନ୍ତେ । ନିୟମିତ ଭାବେ ନୀତିକାନ୍ତି ସିନା ଚାଲିଛି, ହେଲେ ଭକ୍ତକୁ ଅନୁମତି ନାହିଁ ଦର୍ଶନ ପାଇଁ ।

ବୋଧହୁଏ ଭକ୍ତଙ୍କ ଦୁଃଖ ଦେଖି ମନ ତରଳିଛି ପ୍ରଭୁଙ୍କର । ଆସନ୍ତାକାଲି ସ୍ନାନପୂର୍ଣ୍ଣିମାରେ ଦର୍ଶନ ଦେବେ ଭକ୍ତଙ୍କୁ । ଗତ ମାର୍ଚ୍ଚ ୨୦ ତାରିଖରୁ ମନ୍ଦିର ଦୁଆର ବନ୍ଦ । ଦୁଇ ମାସ ଅଧିକ ସମୟ ହୋଇଗଲାଣି । ଶ୍ରୀମୁଖର ଦର୍ଶନ ପାଇ ନାହିଁ ଭକ୍ତ । କାଲି ଆଖି ପୂରାଇ ଦେଖିବ ଚତୁର୍ଦ୍ଧା ମୂରତିଙ୍କୁ । ରତ୍ନବେଦୀରୁ ସ୍ନାନବେଦୀକୁ ବିଜେ କରିବେ ତିନି ଠାକୁର ।

JAGANNATH-2ପ୍ରଥମେ ମନ୍ଦିର ଦ୍ୱାର ସମ୍ପୂର୍ଣ୍ଣ ବନ୍ଦ ଥିଲା । ପୁଣି ରଥ ନିର୍ମାଣ ହେବ କି ନାହିଁ ତାକୁ ନେଇ ଉପୁଜିଲା ଦ୍ୱନ୍ଦ୍ୱ । ଏବେ ରଥ ନିର୍ମାଣ ଶେଷ ପର‌୍ୟ୍ୟାୟରେ । ଯାହା ସୂଚନା ଦେଉଛି ଶ୍ରୀଜୀଉ ବଡ଼ଦାଣ୍ଡକୁ ଆସିବେ ଓ ରଥାରୂଢ଼ ହେବେ । ତେବେ ତା ପୂର୍ବରୁ ସିଧାସଳଖ ନହେଲେ ମଧ୍ୟ ଛୋଟ ପରଦା ଜରିଆରେ ଘରେ ଘରେ ଲକ୍‌ଡାଉନ୍‌ରେ ଥିବା ଭକ୍ତଙ୍କୁ ଦର୍ଶନ ଦେବେ । ପୁରୀରେ ପ୍ରବେଶ ନିଷେଧ । ୧୪୪ ଧାରା ଜାରି ହୋଇଛି କେବଳ ଭକ୍ତଙ୍କ ଭାବାବେଗକୁ ରୋକିବା ପାଇଁ ।

JAGANNATH-3

ସେଥିଲାଗି ରାଜ୍ୟ ସରକାର ଟେଲିଭିଜନ୍ ଜରିଆରେ ସ୍ନାନଯାତ୍ରାର ସିଧାପ୍ରସାରଣ କରିବାକୁ ନିଷ୍ପତ୍ତି ନେଇଛନ୍ତି । ତଥାପି ଭକ୍ତ ମନରେ କ୍ଷୋଭ । ଅତି ଆପଣାର କାଳିଆ ଠାକୁରଙ୍କୁ ପାଖରୁ ଦେଖିବାର ଯେଉଁ ଲୋଭ ରହିଛି ତାହା ପୂରଣ ହୋଇ ପାରୁନାହିଁ । ରଥକୁ ପ୍ରଭୁ ଆସିଲେ ବି ଠାକୁରଙ୍କୁ ବଡ଼ଦାଣ୍ଡରେ ଦେଖିବା, ରଥ ଦଉଡ଼ି ଛୁଇଁବାର ଆଶା ଏଥର ପୂରଣ ହେବ ନାହିଁ । ଆଉ ଯଦି ଏହି ମନୁଆଁ ଠାକୁର ଚାହିଁବେ ତେବେ ସେଇ ଛୋଟ ପରଦାରେ ଦେଖି ପାରିବା ତାଙ୍କର ଗୁଣ୍ଡିଚା ଯାତ୍ରା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.