Below header

୧୨ ବର୍ଷ ଧରି ପାରାଲାଇଜ୍ଡ ଥିବା ବ୍ୟକ୍ତିଙ୍କୁ ସୁସ୍ଥ କଲା ଏଆଇ, ଜାଣନ୍ତୁ କିପରି ହେଲା ସମ୍ଭବ

ପାରାଲାଇଜ୍ଡ ହେବା ପରେ ସେ ଭବିଷ୍ୟତରେ କେବେ ଚାଲି ପାରିବେ ବୋଲ ଆଶା ରଖି ନଥିଲେ, କିନ୍ତୁ ଦୀର୍ଘ ୧୨ ବର୍ଷ ପରେ ୟୁରୋପୀୟ ଅନୁସନ୍ଧାନକାରୀଙ୍କ ସାହାଯ୍ୟରେ ସେ ପୁଣି ଥରେ ଚାଲିବା ପାଇଁ ସକ୍ଷମ ହୋଇଛନ୍ତି । ଆଗାମୀ ସମୟରେ ଏଆଇ ସ୍ୱାସ୍ଥ୍ୟକ୍ଷେତ୍ରରେ ବଡ଼ ଭୂମିକା ଗ୍ରହଣ କରିବ ବୋଲ ଆଶା କରାଯାଉଛି ।

(କେନ୍ୟୁଜ ବ୍ୟୁରୋ) : ଚଳିତ ବର୍ଷ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସି ନିଜର ଭିନ୍ନ ପରିଚୟ ସୃଷ୍ଟି କରିଛି । ପ୍ରତ୍ୟେକ ଦିନ ଏଆଇ କୁ ନେଇ କିଛି ନା କିଛି ଖବର ସାମ୍ନାକୁ ଆସୁଛି । ବର୍ତ୍ତମାନ ସୁଦ୍ଧା ଏଆଇ ସାହାଯ୍ୟରେ ମଣିଷ ମସ୍ତିଷ୍କକୁ ପଢ଼ିବା ଏବଂ ସ୍ୱପ୍ନ ବ୍ୟାଖ୍ୟା କରିବା ସମ୍ପର୍କରେ କୁହାଯାଇଥିଲା । କିନ୍ତୁ ଏଆଇକୁ ନେଇ ବର୍ତ୍ତମାନ ଏକ ବଡ଼ ଖବର ସାମ୍ନାକୁ ଆସିଛି । କିଛି ଅନୁସନ୍ଧାନକାରୀ ୧୨ ବର୍ଷ ପାରାଲାଇଜ୍ଡ ଥିବା ବ୍ୟକ୍ତିଙ୍କୁ ଏଆଇ ସାହାଯ୍ୟରେ ଠିକ କରିଛନ୍ତି । ବର୍ତ୍ତମାନ ପାରାଲାଇଜ୍ଡରେ ପିଡ଼ିତ ଥିବା ବ୍ୟକ୍ତି ଜଣଙ୍କ ଅତି ସହଜରେ ଚାଲି ପାରୁଛନ୍ତି । ଆଗାମୀ ସମୟରେ ଏଆଇ ସ୍ୱାସ୍ଥ୍ୟକ୍ଷେତ୍ରରେ ବଡ଼ ଭୂମିକା ଗ୍ରହଣ କରିବ ବୋଲ ଆଶା କରାଯାଉଛି ।

ଗର୍ଟ ଜନ ଓସ୍କମ ନାମକ ଜଣେ ବ୍ୟକ୍ତି ୨୦୧୧ ମସିହାରେ ସାଇକେଲ ଦୁର୍ଘଟଣାରେ ଚାଲିବାର କ୍ଷମତା ହରାଇଥିଲେ । ଏହା ସହିତ ସେ ଅଣ୍ଟା ତଳକୁ ପାରାଲାଇଜ୍ଡ ହୋଇଯାଇଥିଲେ । ପାରାଲାଇଜ୍ଡ ହେବା ପରେ ସେ ଭବିଷ୍ୟତରେ କେବେ ଚାଲି ପାରିବେ ବୋଲ ଆଶା ରଖି ନଥିଲେ, କିନ୍ତୁ ଦୀର୍ଘ ୧୨ ବର୍ଷ ପରେ ୟୁରୋପୀୟ ଅନୁସନ୍ଧାନକାରୀଙ୍କ ସାହାଯ୍ୟରେ ସେ ପୁଣି ଥରେ ଚାଲିବା ପାଇଁ ସକ୍ଷମ ହୋଇଛନ୍ତି । ଅନୁସନ୍ଧାନକାରୀମାନେ ଓସ୍କମଙ୍କ ମସ୍ତିଷ୍କ ଏବଂ ମେରୁଦଣ୍ଡକୁ ସଂଯୋଗ କରିବା ପାଇଁ ଏକ ପ୍ରତିରୋପଣ କରିଥିଲେ । ମସ୍ତିଷ୍କର ନିର୍ଦ୍ଦେଶକ୍ରମେ ପୁଣି ଥରେ ଚାଲିବାକୁ ସକ୍ଷମ ହୋଇଥିଲେ ଓସ୍କମ । ଅନୁସନ୍ଧାନକାରୀମାନେ ଓସ୍କମଙ୍କ ମସ୍ତିଷ୍କ ଏବଂ ମେରୁଦଣ୍ଡ ମଧ୍ୟରେ ଏକ ଡିଜିଟାଲ ବ୍ରିଜ ପ୍ରସ୍ତୁତ କରିଥିଲେ, ଯାହା ସାହାଯ୍ୟରେ ଆହତ ଅଙ୍ଗକୁ ଠିକ କରାଯାଇଥିଲା । ଏହା ଦ୍ୱାରା ମେରୁଦଣ୍ଡକୁ ସୂଚନା ମିଳୁଥିଲା ।

ଏହି ଅନୁସନ୍ଧାନକାରୀଙ୍କ ମଧ୍ୟରେ ଥିବା ଜଣେ ନ୍ୟୁରୋ ସାଇଣ୍ଟିଷ୍ଟ ଗ୍ରେଗୋଇର କୋର୍ଟାଇନ କହିଛନ୍ତି ଯେ, ଓସ୍କମଙ୍କ ମଧ୍ୟରେ ଯେଉଁ ଡିଜିଟାଲ ବ୍ରିଜ ପ୍ରସ୍ତୁତ କରାଯାଇଛି ତାହା ଅଙ୍ଗ ମଧ୍ୟରେ ହେଉଥିବା ଯୋଗାଯୋଗକୁ ପୁନଃସ୍ଥାପିତ କରିବାରେ ସକ୍ଷମ ହୋଇଥାଏ । ଯାହା ମସ୍ତିଷ୍କର ଚିନ୍ତାଧାରାକୁ କାର୍ଯ୍ୟରେ ପରିଣତ କରିଥାଏ । ଓସ୍କମଙ୍କ ମସ୍ତିଷ୍କର ଏକ ଅଂଶକୁ ପ୍ରତିରୋପଣ କରାଯାଇଥିଲା ଯାହା ଗୋଡ଼ର ମାଂସପେଶୀକୁ ନିୟନ୍ତ୍ରଣ କରିଥାଏ । ଏହି ପ୍ରତିରୋପଣ ମଣିଷର ଚିନ୍ତାଧାରାକୁ ବୁଝିଥାଏ ଏବଂ ଗୋଡ଼ର ମାଂସପେଶୀକୁ ସକ୍ରିୟ କରିବା ପାଇଁ ମେରୁଦଣ୍ଡକୁ ସଙ୍କେତ ଦେଇଥାଏ । ଏହି ସମସ୍ତ ପ୍ରକ୍ରିୟାରେ ବ୍ୟକ୍ତିର ମସ୍ତିଷ୍କରେ ଏକ ଚିପ ଲାଗିଥାଏ, ଯାହା ଏକ ଡିଭାଇସ ଦ୍ୱାରା ମେରୁଦଣ୍ଡକୁ ସଂକେତ ଦେଇଥାଏ । ଡିଜିଟାଲ ବ୍ରିଜ ଦ୍ୱାରା ବ୍ୟକ୍ତି ଜଣଙ୍କ ସମସ୍ତ କାର୍ଯ୍ୟ କରିବା ପାଇଁ ସକ୍ଷମ ହୋଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.